ଭୁବନେଶ୍ବର,୨୦!୬: ଆଜି ନବନିର୍ମାଣ କୃଷକ ସଂଗଠନ ତରଫରୁ ଓଡ଼ିଶାରେ ୨ବର୍ଷ ଓ କେନ୍ଦ୍ରରେ ୧୨ ବର୍ଷର ଡବଲ ଇଂଜିନ୍ ବିଜେପି ସରକାର ତାଙ୍କର ପ୍ରତିଶୃତି ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଉପଲକ୍ଷେ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ରାଲି ଓ ବିକ୍ଷୋଭ ମାଷ୍ଟର କ୍ୟାଣ୍ଟିନ ଠାରେ ଅନୁଷ୍ଠିତ ହୋଇଯାଇଛି। “ନରେନ୍ଦ୍ର ମୋଦୀ ଇସ୍ତଫା ଦିଅ, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦିଅ” “ଓଡ଼ିଶାର ଧାରା, ବିକାଶର ନୁହେଁ- ବିନାଶର ଧାରା” ସ୍ଲୋଗାନ୍ ଇତ୍ୟାଦି ଦେଇ ଆଗକୁ ବଢ଼ିଥିଲେ।
ଆପଣମାନେ ଜାଣନ୍ତିଯେ, ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୧୬ ବର୍ଷ ହେଲା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନକୁ ନେଇ ଅନବରତ ଭାବରେ ଧାରଣା, ବିକ୍ଷୋଭ, ଜେଲଭରୋ, ସତ୍ୟାଗ୍ରହ ଇତ୍ୟାଦି ମାଧ୍ୟମରେ ଦାବୀ ଉପସ୍ଥାପିତ କରି ଆସୁଛି। ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀକୁ ୨୦ ବର୍ଷରୁ ଚାଷୀ ସୁରକ୍ଷା ଭତ୍ତା ଦେବା ବିଷୟରେ ଚିନ୍ତା କଲେନି କି ଆଲୋଚନା ବି କଲେନାହିଁ । ଯଦିଓ ରାଜ୍ୟ ସରକାର କ୍ୟୁଣ୍ଟାଲ ଧାନ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ଦେଲେ, କିନ୍ତୁ, ପ୍ରତି କ୍ୟୁଣ୍ଟାଲ ପିଛା ୫ କେଜିରୁ ୧୫ କେଜି ପର୍ଯ୍ୟନ୍ତ କାଟିନେଲେ, ତତ୍ ସହିତ ଟୋକନ ନମିଳିବା, ଟୋକନ୍ ମିଳିଲେ ବି ୮୦ କ୍ୟୁଣ୍ଟାଲ ଜାଗାରେ ୮ କ୍ୟୁଣ୍ଟାଲ ଆସିବା, ୧୫୦ କ୍ୟୁଣ୍ଟାଲ ପରେ ଇନପୁଟ୍ ସହାୟତା ୮୦୦ ଟଙ୍କା ନଦେବା ଇତ୍ୟାଦି ମାଧ୍ୟମରେ ଚାଷୀକୁ ରାଜ୍ୟ ସରକାର ମାରିଦେବାର ପ୍ରୟାସ କରୁଛନ୍ତି। ଠିକ୍ ସେହିପରି ଦିଲ୍ଲୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଢ ବର୍ଷର କୃଷକ ଆନ୍ଦୋଳନରେ ୭୫୦ କୃଷକ ସହୀଦ୍ ହୋଇଯିବା ପରେ ମଧ୍ୟ କେନ୍ଦ୍ର ସରକାର ୨୩ଟି ଫସଲ ଉପରେ ଏମ.ଏସ.ପି ଦେବାର ନାଁ ଧରିଲେନାହିଁ। ସେହିପରି ରାଜ୍ୟ ସରକାର ଘୋଷଣା କରିଥିବା ବୁଢାବୁଢୀ ଭତ୍ତା ୩,୫୦୦ ଟଙ୍କା ବଦଳରେ ୧,୦୦୦ ଟଙ୍କା ଦେବା, ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବା, ନିଶାମୁକ୍ତ ଓଡ଼ିଶା ଗଠନ କରିବା ସହିତ ଶୀତଳଭଣ୍ଡାର ଓ ଜଳସେଚନ ନାମରେ ବଡ଼ ବଡ଼ ଭାଷଣ ଚାଲିଛି, କିନ୍ତୁ କାର୍ଯ୍ୟ ଶୂନ୍ୟ। ଗତ ୩ ମାସ ହେଲା ବୁଢ଼ାବୁଢୀମାନେ ବାର୍ଦ୍ଧକ୍ୟ ଭତ୍ତା ପାଇନାହାଁନ୍ତି। ପରିଣାମରେ ଗଞ୍ଜାମର ବେଗୁନିଆପଡ଼ା ବ୍ଲକ୍ ମର୍ଦ୍ଦକୋଟ ପଞ୍ଚାୟତ ଚଢ଼େୟାପଡ଼ା ଗ୍ରାମର ବି.ସାବିତ୍ରୀ ଦୋରା ଭତ୍ତା ନପାଇ ଆତ୍ମହତ୍ୟା କରିବାର ତାଜା ଉଦାହରଣ।
ଠିକ୍ ସେହିପରି ରାଜ୍ୟ ସରକାରଙ୍କର ପ୍ରଥମ ୧୮ ମାସ ଭିତରେ ନାରୀ ନିର୍ଯ୍ୟାତନା କେସ୍ ୪୮,୦୦୦ ଅତିକ୍ରମ କରିଗଲା, ତା ଭିତରେ ଆଜିର ଶୀର୍ଷରେ ପହଞ୍ଚିଥିବା କେନ୍ଦ୍ରାପଡ଼ାର ମହିଳା ସରପଞ୍ଚ ଚାମେଲି ଓଝାଙ୍କର ବିଷୟ ରାଜ୍ୟ ରାଜନୀତି ଓ ନୈତିକତାକୁ ଦୋହଲାଇ ଦେଇଛି। ଅନ୍ୟପଟରେ ଓଡ଼ିଶାର ଖଣିଜ ସଂପଦକୁ ୧୦ ବର୍ଷ ଭିତରେ ଲୁଟ୍ କରି ସମାପ୍ତ କରିଦେବାର ଏକ ଅଭିନବ ପ୍ରୟାସ ଚାଲିଛି- ବିକାଶ ନାମରେ, ରୋଜଗାର ଦେବା ନାମରେ ଓ ଗରିବୀ ହଟାଇବା ନାମରେ। କିନ୍ତୁ ବାସ୍ତବିକତା ହେଉଛି, ଆମ୍ବାନୀ, ଆଦାନୀ, ଟାଟା, ବିର୍ଲା, ଜିନ୍ଦଲ ପାଖରେ ଏହି ଖଣିଗୁଡ଼ିକୁ ଶାଗ, ମାଛ ମୂଲ୍ୟରେ ବିକିଦେଇ ଓଡ଼ିଶାର ଜମି, ଝଳ, ଜଙ୍ଗଲ, ଇତ୍ୟାଦିକୁ ନଷ୍ଟ କରି ଓଡ଼ିଶାକୁ ମରୁଭୂମିରେ ପରିଣତ କରିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି, ଯାହାପାଇଁ ଗରିବୀ, ବେରୋଜଗାରୀ ସମସ୍ୟା ବଢ଼ିବା ସହିତ ପରିବେଶକୁ ନଷ୍ଟ କରିବାକୁ ବାଧ୍ୟ କରାଯାଉଛି। ଆଉ ଏହା କରାହେଉଛି ଗଣତନ୍ତ୍ର ନାମରେ ଗଢ଼ା ଯାଇଥିବା ସରକାର ତଥା ଜନପ୍ରତିନିଧି ଏବଂ ତାଙ୍କ ଦ୍ବାରା ନିଯୁକ୍ତି ପାଇଥିବା ପୁଲିସ ଗୁଣ୍ଡାବାହିନୀମାନଙ୍କ ଦ୍ବାରା। ତାହା ସିଜିମାଲୀରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରା ପୋଲିସବାହିନୀ ଲଗାଇ ସାଧାରଣ ଆଦିବାସୀକୁ ଗିରଫ କରିବା ହେଉ ବା ଆମକୁ କେନ୍ଦୁଝରରୁ ଭୁବନେଶ୍ବର ଆସିବା ପଦଯାତ୍ରା ସମୟରେ ଫୁଲନଖରା ଠାରେ ଦଙ୍ଗା କେସ୍ ଲଗାଇ ଗିରଫ କରି ଜେଲ୍ ପଠାଇବା ହେଉ, ବା ଚାମେଲୀ ଓଝାଙ୍କୁ ବି.ଡ଼ି.ଓ ପୋଲିସ ଦ୍ବାରା ମିଛ କେସ୍ ଦେଇ ନିର୍ଯ୍ୟାତନା ଦେବା ହେଉ। ସବୁ ଏକା କଥା। ପୋଲିସର ଯେପରି ସାଧାରଣ ବ୍ୟକ୍ତିକୁ ଥାନାରେ ଥାର୍ଡ ଡିଗ୍ରୀ ଅତ୍ୟାଚାର କରି ମାରିଦେବା ଘଟଣା ବଢ଼ିଚାଲିଛି, ତାହା ଦର୍ଶାଉଛି ଯେ, ଯେପରି ଶାସନ ପ୍ରଶାସନ ନାହିଁ କହିଲେ ଚଳେ। ତତ୍ ସହିତ ରାଜ୍ୟରେ ଶିକ୍ଷିତ ବେରୋଜଗାରୀଙ୍କ ସଂଖ୍ୟା ବି ଦ୍ରୁତ ଗତିରେ ବଢ଼ିଚାଲିଛି। ଶିକ୍ଷିତ ବେରୋଜଗାରୀ ସଂଖ୍ୟା ରାଜ୍ୟରେ ୧୨ ଲକ୍ଷ ଅତିକ୍ରମ କଲାବେଳେ କେନ୍ଦ୍ରରେ ୧ କୋଟି ୧୦ ଲକ୍ଷ ଅତିକ୍ରମ କଲାଣି।
ଦୁର୍ନିତୀ ଓ ଭ୍ରଷ୍ଟାଚାର ଯେପରି ଦୁର୍ନିତୀ ଓ ଭ୍ରଷ୍ଟାଚାରରେ ପରିଣତ ହେବା ପରି ମନେହେଉଛି। ଓଡିଶାରେ ହେଉ ବା ଭାରତ ବର୍ଷରେ ହେଉ ଗୋଟିଏ ଗୋଟିଏ କିରାଣୀ ଓ ଯନ୍ତ୍ରୀଙ୍କ ବାସଭବନରୁ କୋଟି କୋଟି ଟଙ୍କାର ନୋଟ୍ ମିଳିଯାଉଛି। ଓଡ଼ିଶାରେ ପୋଲିସ ନିଯୁକ୍ତି ପାଇଁ ଏସ.ଆଇ ପରୀକ୍ଷା ହେଉ ବା କେନ୍ଦ୍ରରେ ମେଡ଼ିକାଲ ଛାତ୍ରଙ୍କର ନିଟ୍ ପରୀକ୍ଷା ହେଉ ସବୁଠାରେ ଦୁର୍ନିତୀର ଛାୟା। ନିଟ୍ ପରୀକ୍ଷାରେ ମେଡ଼ିକାଲ ପଢ଼ିବାକୁ ଚାହିଁଥିବା ବିଦ୍ୟାର୍ଥିମାନେ ତିନି ତିନି ଥର ନିଟ୍ ପେପର ଲିକ୍ ହେବା ପରେ ଆତ୍ମହତ୍ୟାର ରାସ୍ତା ଆପଣାଉଥିବା ବେଳେ ହଠାତ୍ ଅଭିଜିତ୍ ଦୀପକେଙ୍କ ନେତୃତ୍ବରେ କକ୍ରୋରଜ ଜନତା ପାର୍ଟି (CJP) ଦ୍ବାରା ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବକ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରି ଆନ୍ଦୋଳନ ଚଲାଇଛନ୍ତି। ଏହା ମୋଦୀ ସରକାରଙ୍କର ଚରମ ବିଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଅବଧାରଣା ଉପରେ ଏବଂ ନେତୃତ୍ବର ମାର୍ଗଦର୍ଶନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟବସ୍ଥାର ମଙ୍ଗୁଆଳ ସାଜିଛନ୍ତି। ଓଡ଼ିଶାରେ ବିକାଶ ନାମରେ ବିନାଶର ଯେଉଁ ତାଣ୍ଡବ ଲୀଳା ଚାଲିଛି, ଯେଉଁଥିପାଇଁ ଓଡ଼ିଶାର ଚାଷୀ, ମୂଲିଆ ଓ ଆଦିବାସୀ କାଙ୍ଗାଳ ହେବାକୁ ଯାଉଛନ୍ତି ଓ ଜଳ, ଜଙ୍ଗଲ, ଜମି ଓ ଖଣି ନଷ୍ଟ ହୋଇ ଓଡ଼ିଶା ମରୁଭୂମି ହେବାକୁ ଯାଉଛି ଏବଂ ଯୁବକଟି ବେକାର ହେବାକୁ ଯାଉଛି, ଏଥିପାଇଁ ଏପରି ଅବସ୍ଥାରେ ଉତ୍ସବ ପାଳିଲେ ସମାଧାନ ହେବ ନାହିଁ, ବରମ୍ ଲୋକଙ୍କ ସହିତ ଧୋକା ହେବ। ଏଥିପାଇଁ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ପାଳନ ନକରିପାରୁଥିବା ବେଳେ ସେମାନଙ୍କୁ ଅନ୍ଧାର ଭିତରକୁ ଠେଲିଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ତାଙ୍କ ମନ୍ତ୍ରୀ ମଣ୍ଡଳଙ୍କ ସହିତ ଇସ୍ତଫା ଦେଇ କ୍ଷମତାରୁ ଅପସରି ଯିବା ସେମାନଙ୍କର ନୈତିକ ଦାୟିତ୍ବ ହେବା ଉଚିତ୍ ବୋଲି ଶ୍ରୀ ଅକ୍ଷୟ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ।



ଆଜିର କାର୍ଯ୍ୟକ୍ରମରେ ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ବାଇଁ, ସଂଗଠନର ରାଜ୍ୟ ନାରୀ ନେତ୍ରୀ ମଧୁମିତା ସାମଲ, ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ, ଗଜପତି ପ୍ରଭାରୀ ରଣଜିତ୍ ପଟ୍ଟନାୟକ, ମୟୁରଭଞ୍ଜ ପ୍ରଭାରୀ ଦିନେଶ ଦାସ, ଗଞ୍ଜାମ ପ୍ରଭାରୀ କୃଷ୍ଣ ନାହାକ, ଗଣେଷ ବେହେରା, ଭଦ୍ରକ ଯୁବଛାତ୍ର ସଂଯୋଜକ ଜାହିର ଖାନ, ସହସଂଯୋଜକ ପ୍ରଭାତ ମହାଳିକ, କଳାହାଣ୍ଡି ଜିଲ୍ଲା ସଂଯୋଜକ ଲିଙ୍ଗରାଜ ପ୍ରଧାନ, କେନ୍ଦୁଝର ଜିଲ୍ଲା ସହସଂଯୋଜକ ଖଗେଶ୍ବର ମହାନ୍ତ, ବିଳାସୀନି ମହାନ୍ତ, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ପ୍ରସନ୍ନ ପ୍ରଧାନ, ସହସଂଯୋଜକ ନିରଞ୍ଜନ ପ୍ରଧାନ, ଜଗତସିଂହପୁର ଜିଲ୍ଲା ସଂଯୋଜକ ଅଶୋକ ସ୍ବାଇଁ, ଦେବୀ ପ୍ରସାଦ ମହାରଣା, ବୌଦ୍ଧ ଜିଲ୍ଲା ସଂଯୋଜକ ହୃଶିକେଶ ପ୍ରଧାନ, ମଞ୍ଜୁଲତା ସେଠୀ, ଯାଜପୁର ସଂଯୋଜକ ଅଶୋକ ଶାନ୍ତି, କଟକ ଜିଲ୍ଲାର ବରିଷ୍ଠ ଚାଷୀନେତା କାଶୀନାଥ ସ୍ବାଇଁ, କୃଷ୍ଣ ବେହେରା, ସୁବାଷ ଯତି, କେନ୍ଦ୍ରାପଡ଼ା ସହସଂଯୋଜକ ଦୋଳଗୋବିନ୍ଦ ସାହୁ, ସୋନପୁରର ଯୁବଛାତ୍ର ନେତା ବିଶ୍ବାନାଥ ଦେଉରୀ, ବୌଦ୍ଧ ଜିଲ୍ଲା ଯୁବଛାତ୍ର ନେତା ଶ୍ରୀକାନ୍ତ ସାହୁ, ପୁରୀର ଆର୍ତତ୍ରାଣ ପରିଡ଼ା, ଭୁବନେଶ୍ବରର ଯୁବଛାତ୍ର ସଂଯୋଜକ ଅମିତ ଜେନା, ଏସ. କେ ହେଦାଇ, ଜଟଣୀର ଏମ.ଡ଼ି ମୁନାଓ୍ବାର ପ୍ରମୁଖ ରାଲି ଓ ବିକ୍ଷୋଭର ନେତୃତ୍ବ ନେଇଥିଲେ।