ଆଦିବାସୀ ମହିଳାଙ୍କ ଜୀବିକା ବିକାଶ ପାଇଁ ପ୍ରଶିକ୍ଷଣ ଓ ଉପକରଣ ବଣ୍ଟନ ।

ଆର , ଉଦୟଗିରି 12/06/2026-: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାରସିଂ ପଞ୍ଚାୟତ ଅନ୍ତର୍ଗତ ଲମ୍ପଦା ଗ୍ରାମରେ ଆଦିବାସୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଜୀବିକା ବିକାଶକୁ ଲକ୍ଷ୍ୟ କରି ଆଇ ସି ଏ ଆର ଏବଂ ସି ଆଇ ଡବ୍ଲୁ ଏ ସଂସ୍ଥା ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଦିବାସୀ ଉପଯୋଜନା ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ ଆଦିବାସୀ ମହିଳା ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମହିଷ ପାଳନ, ଦୁଗ୍ଧ ଉତ୍ପାଦନ, ପଶୁ ସ୍ୱାସ୍ଥ୍ୟ ପରିଚାଳନା ଏବଂ ଆଧୁନିକ କୃଷି ଓ ପଶୁପାଳନ ପ୍ରଣାଳୀ ସମ୍ପର୍କରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ସଂସ୍ଥାର ବୈଜ୍ଞାନିକ ଓ କର୍ମକର୍ତ୍ତାମାନେ ମହିଳାମାନଙ୍କୁ ଦୁଗ୍ଧ ଉତ୍ପାଦନ ବୃଦ୍ଧି, ପଶୁ ରୋଗ ନିୟନ୍ତ୍ରଣ ଏବଂ ସ୍ୱୟଂରୋଜଗାରର ସୁଯୋଗ ସମ୍ପର୍କରେ ସଚେତନ କରିଥିଲେ। ଏହା ସହିତ ଦୁଗ୍ଧ ସଂଗ୍ରହ ଓ ସଂରକ୍ଷଣ ପାଇଁ ଷ୍ଟିଲ୍ ମିଲ୍କ କ୍ୟାନ, ପ୍ଲାଷ୍ଟିକ ଡ୍ରମ, ଫିଡ୍ ବାଲ୍ଟି, ପଶୁ ଚିକିତ୍ସା ସାମଗ୍ରୀ ଓ ଅନ୍ୟାନ୍ୟ ଉପଯୋଗୀ ଉପକରଣ ହିତାଧିକାରୀ ମହିଳାମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା କାର୍ଯ୍ୟକ୍ରମରେ ଏହି ସଂସ୍ଥାର ପ୍ରଧାନ ବୈଜ୍ଞାନିକ ଡ଼ଃ ବିଶ୍ୱନାଥ ସାହୁ, ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବୀରେନ୍ଦ୍ର ପଣ୍ଡା ସମେତ ଅନେକ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ଜନପ୍ରତିନିଧି, ଗ୍ରାମବାସୀ ଏବଂ ଏହି ସଂସ୍ଥାର ବିଶେଷଜ୍ଞମାନେ ଉପସ୍ଥିତ ରହି ଆଦିବାସୀ ମହିଳାଙ୍କ ଆର୍ଥିକ ଉନ୍ନତି ଓ ଆତ୍ମନିର୍ଭରଶୀଳତା ପାଇଁ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ। ସ୍ଥାନୀୟ ମହିଳାମାନେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ତାଙ୍କ ଜୀବିକା ଉନ୍ନତିରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏପରି ପ୍ରଶିକ୍ଷଣ ଓ ଉପକରଣ ସହାୟତା ଆଦିବାସୀ ଅଞ୍ଚଳର ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି।

Comments are closed.