ପାରାଦ୍ୱୀପ : ଓଡ଼ିଶାକୁ ଏ ବର୍ଷର ପ୍ରଥମ ମୌସୁମୀ ଛୁଆଁ। ରାଜ୍ୟରେ ପ୍ରବେଶ କରିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡି଼ଶା ପଟୁ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଇଏ ତାର ପ୍ରଭାବ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ଆଗରୁ ଗତକାଲିଠୁ ବଦଳିବାକୁ ଲାଗିଥିଲା ପାଗର ମିଜାଜ। ଆଉ ଆଜି ଦିନ ତମାମ ରାଜ୍ୟ ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳିଥଲା ମେଘୁଆ ଆକାଶ। କିଛି କିଛି ସ୍ଥାନରେ ହାଲକା ପବନ ସହ ଭଲ ବର୍ଷା ବି ବର୍ଷିଥିଲା।
ତେବେ ଚଳିତ ବର୍ଷ ଓଡ଼ିଶାକୁ ରଜ ପୂର୍ବରୁ ଆସିଥିଲେ ବି ମୌସୁମୀ ବାୟୁ ବିଳମ୍ବରେ ପ୍ରବେଶ କରିଥିବା ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଆଗକୁ ମୌସୁମୀ ଅଗ୍ରସର ରେଖା ଓଡ଼ିଶାର ପାରାଦ୍ୱୀପ ଓ ବାରିପଦା ମଧ୍ୟ ଦେଇ ଗତି କରିବା ସହ ଆଗକୁ ବଢ଼ିବା ପାଇଁ ପାଗ ବର୍ତ୍ତମାନ ଅନୁକୂଳ ରହିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶକା ମନୋରମା ମହାନ୍ତି।
ଚଳିତ ବର୍ଷ ୩ ଦିନ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ରେ କେରଳ ଛୁଇଁଥିଲା। ଆଉ ଏହାର ଠିକ୍ ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଛି ମୌସୁମୀ। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଚଳିତବର୍ଷ ମୌସୁମୀ ଋତୁରେ ବର୍ଷା କମ୍ ହେବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଆଜି ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ଭଲ ବର୍ଷା ବି ଦେଖିବାକୁ ମିଳିଛି। ଏହା ଭିତରେ ପ୍ରଚଣ୍ଡ ଖରାରୁ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ପରେ ଲୋକଙ୍କୁ ଗରମରୁ ଆଶ୍ବସ୍ତି ମିଳିଛି। ଏପଟେ ମୌସୁମୀ ଆସିବା ପରେ ଖୁସି ହୋଇଛନ୍ତି ରାଜ୍ୟର ଚାଷୀକୂଳ।
Comments are closed.