ଆର,, ଉଦୟଗିରି 08/06/2026 : ମହାଭାରତ ସହ ଜଡିତ ପ୍ରସିଦ୍ଧ ମହେନ୍ଦ୍ରଗିରି ପାହାଡ଼ ଶିଖରରେ ଚାଲିଥିବା ନଅ ଦିନିଆ ମହେନ୍ଦ୍ର ମେଳା ଏବେ ସପ୍ତମ ଦିନରେ ପହଞ୍ଚିଛି। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ଶହ ଶହ ସାଧୁସନ୍ଥ, ମୁନି ଓ ଋଷିଙ୍କ ଉପସ୍ଥିତିରେ ହୋମ ଓ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି। ତେବେ ମେଳାରେ ପ୍ରାୟ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ପ୍ରଶାସନର ପରିଚାଳନାଗତ ତ୍ରୁଟି ଓ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ହଜାର ହଜାର ଗାଡ଼ି ପାହାଡ଼ ଉପରକୁ ଯାଇଥିବାରୁ ବ୍ୟାପକ ଟ୍ରାଫିକ ଜାମ ସୃଷ୍ଟି ହୋଇଥିଲା। ପାର୍କିଂ ପାଇଁ ଯଥେଷ୍ଟ ବ୍ୟବସ୍ଥା ନଥିବାରୁ ଲୋକେ ରାସ୍ତା କଡ଼ରେ ଗାଡ଼ି ରଖିବାକୁ ବାଧ୍ୟ ହୋଇଥିଲେ। ବୁରୁଖତ ଅଞ୍ଚଳରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଶିଶୁ, ବୃଦ୍ଧ ଓ ମହିଳାମାନେ ଦୀର୍ଘ ରାସ୍ତା ପାଦେ ପାଦେ ଯାତ୍ରା କରିଥିଲେ। ଅନେକ ସ୍ଥାନରେ ଭକ୍ତମାନଙ୍କୁ ଭୋଜନ ବଣ୍ଟନରେ ମଧ୍ୟ ଅବ୍ୟବସ୍ଥା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ଏପରିକି ଟ୍ରାଫିକ ଜାମ ଯୋଗୁଁ ଅନେକ ଅଧିକାରୀ ଓ କର୍ମଚାରୀ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଥିଲେ।
ସ୍ଥାନୀୟ ଲୋକଙ୍କ ମତରେ, ଏତେ ବଡ଼ ଜନସମାଗମକୁ ଆକଳନ କରିବାରେ ପ୍ରଶାସନର ଗୁଇନ୍ଦା ତଥ୍ୟ ଓ ପୂର୍ବ ପ୍ରସ୍ତୁତି ବିଫଳ ହୋଇଛି। ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ମହେନ୍ଦ୍ର ମେଳା ଧାର୍ମିକ ଆସ୍ଥାର ଏକ ବଡ଼ କେନ୍ଦ୍ର ହୋଇଥିବା ବେଳେ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆଗାମୀ ଦିନରେ ଅଧିକ ସୁଦୃଢ଼ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.