କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକରେ କଳା ପତାକା ପ୍ରଦର୍ଶନ

କଟକ: କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବିରୋଧୀ ଓ ଶାସକ କର୍ପୋରେଟରଙ୍କ ମଧ୍ୟରେ ଜୋରଦାର ହୋହଲ୍ଲା, ଧାରଣା, କଥା କଟାକଟି ଦେଖିବାକୁ ମିଳିଥିଲା। ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ନେଇ ବିରୋଧୀ କର୍ପୋରେଟରମାନେ ସ୍ବର ଉଠାଇ ଥିଲେ। ପରେ ଏହାକୁ ନେଇ ବୈଠକରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ୪୬ ନମ୍ବର ୱାର୍ଡ କର୍ପୋରେଟରଙ୍କ ଧମକପୂର୍ଣ୍ଣ ଅଡିଓ ଭାଇରାଲ୍ ଘଟଣା, ରାସ୍ତାଘାଟ ଶୋଚନୀୟ ବେଳେ ମେୟରଙ୍କ ନୂଆ କ୍ବାର୍ଟର୍ସ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା, ଜିଲ୍ଲା ପ୍ରଶାସନ ପୂଜା ପ୍ରସ୍ତୁତି ବୈଠକକୁ କର୍ପୋରେଟର ମାନଙ୍କୁ ଡକା ନଯିବା ଏବଂ ମଶା ତେଲ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର କର୍ପୋରେଟରମାନେ ପାଟିତୁଣ୍ଡ କରିବା ସହିତ ଧାରଣା ଦେଇଥିଲେ। ବିଜେପି କର୍ପୋରେଟର ଦୀପକ କୁମାର ଦାସ, ଗଗନ ଓଝା, ଗୋପାଳ ବେହେରା, ମମତା ମହାନ୍ତି, ଲିପସା ନାୟକ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉଠାଇ ପ୍ରତିବାଦ ସ୍ବରୂପ ଧାରଣା ଦେବା ସହ ଗୃହ ମଝିରେ ବସି କଳା ପତାକା ପ୍ରଦର୍ଶନ କରିଥିଲେ। ସେମାନଙ୍କ ସହିତ ପ୍ରାରମ୍ଭିକ ସ୍ତରରେ ମେୟର ଓ ଶାସକ ଦଳ କର୍ପୋରେଟରଙ୍କର କଥା କଟାକଟି ହୋଇଥିଲେ ମଧ୍ୟ ପରେ ମେୟର ଓ ଶାସକ ଦଳ କର୍ପୋରେଟରମାନେ ସେମାନଙ୍କୁ ବୁଝାସୁଝା କରି ପରିବେଶକୁ ସ୍ବାଭାବିକ କରିବାକୁ ଉଦ୍ୟମ କରିଥିଲେ।

ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଦମୟନ୍ତୀ ମାଝି, କମିସନର ନିଖିଲ ପୱନ୍‌ କଲ୍ୟାଣ୍‌ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଏଭଳି ପାଟିତୁଣ୍ଡ ଭିତରେ ଦଶହରା ପୂର୍ବରୁ ସହରର ରାସ୍ତା ମରାମତି, ଆଲୋକ, ପାଣି, ‌ସ୍ଲାବ୍‌, ବୁଲାପଶୁ, ମଣ୍ଡପ ନିକଟରେ ଡଷ୍ଟବିନ୍‌ ରଖିବା, ପ୍ରତିଦିନ ଦୁଇ ଥର ସଫେଇ ‌ହେବା, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ଶୀଘ୍ର ଟଙ୍କା ମଳିବା ପରି ଅନେକ ଗୁରୁତ୍ବପୂର୍ଣ୍ଣ ‌ବିଷୟ ଆଲୋଚନା ହୋଇଥିଲା। ପୂଜା ପୂର୍ବରୁ ସହରରେ ଜାଇକା ରାସ୍ତା ମରାମତି କରିବାକୁ ନେଇ ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ପୋରେଟର ଓ ଜାଇକା ଅଧିକାରୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବୈଠକ ଡାକିବାକୁ କ‌ର୍ପୋରେଟର ମାନେ ଦାବି କରିଥିଲେ। କିନ୍ତୁ, ଦଶହରାକୁ ଆଉ ମାତ୍ର ୧୫ ଦିନ ଥିବାବେଳେ ଏସବୁ କିଭଳି ସମ୍ଭବ ହେବ, ତାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି। ମାତ୍ର ପ୍ରତି ୱାର୍ଡର ଆବଶ୍ୟକତାକୁ ଦେଖି ଚଳିତ ବର୍ଷ ଦଶହରାରେ ପଟ୍‌ହୋଲ କାମ କରାଯିବ ବୋଲି ବୈଠକରେ କମିସନର ସୂଚନା ଦେଇଥିଲେ। ୱାର୍ଡରେ କେଉଁ କାମ ଅଧିକ ଗୁରୁତ୍ବ ବହନ କରୁଛି ତାର ଚିଠା ପ୍ରସ୍ତୁତ କରାଯାଇ କାମ ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଏହି ବୈଠକରେ କଟକ ସାଂସଦଙ୍କ ପ୍ରତିନିଧି ଚିରଞ୍ଜୟ ସାହୁ ପୂଜା ପୂର୍ବରୁ ସହରର ସମସ୍ତ ପ୍ରବେଶ ପଥର ମରାମତି କରିବା ସହ ପାର୍କ ଗୁଡିକୁ ସୁନ୍ଦର କରିବାକୁ ପ୍ରସ୍ତାବ ରଖିଥିଲେ। ସେହିପରି ବାରବାଟୀ ବିଧାୟକଙ୍କ ପ୍ରତିନିଧି କେଦାର ପୃଷ୍ଟି ନିଗମକୁ ଅସ୍ଥାୟୀ କର୍ମଚାରୀ ଯୋଗାଉଥିବା ଆଉଟ୍‌ସୋର୍ସିଂ ସଂସ୍ଥା ଚୟନ ପାଇଁ ୨୦୨୨ରେ ହୋଇଥିବା ଟେଣ୍ଡରକୁ ବାତିଲ ନକରି ଏହାକୁ କାର୍ଯ୍ୟକ୍ଷମ କରିବାକୁ କହିଥିଲେ। ଚୌଦ୍ବାର ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ଓ ସଦର ବିଧାୟକଙ୍କ ପ୍ରତିନିଧି ମନୋରଂଜନ ମହାପାତ୍ର ଦଶହରା ପୂର୍ବରୁ ସହରର ରାସ୍ତା, ଆଲୋକ, ପାଣି, ପରିମଳ ଆଦି ବିଷୟକୁ ସୁବ୍ୟବସ୍ଥିତ କରିବାକୁ ପ୍ରସ୍ତାବ ଦେଇଥିଲେ।

Comments are closed.