ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସହ ଘନଘନ ବିଦ୍ୟୁତ୍ କାଟ୍ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏଥିରୁ ପଶୁପକ୍ଷୀଙ୍କୁ ବି ନିସ୍ତାର ମିଳୁନାହିଁ। ଏବେ କୁଡୁଡ଼ା ଚାଷ କରିଥିବା ବ୍ୟବସାୟୀ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି। ଫାର୍ମରେ ଗରମ ସହି ନପାରି କୁକୁଡ଼ାମରିଯାଉଛନ୍ତି। ବଡ଼ ଚାଷୀଙ୍କ ଭଳି ଅତ୍ୟାଧୁନିକ ସୁବିଧା ନଥିବା ଯୋଗୁଁ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ବହୁ କ୍ଷୁଦ୍ର ଚାଷୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଯାଁଳା ଅଞ୍ଚଳରେ ଲଗାତାର ୩/୪ ଘଣ୍ଟା ବିଦ୍ୟୁତ୍ କଟି ଯିବାରୁ ଅସହ୍ୟ ଗରମରେ ଗୋଟିଏ ଫାର୍ମର ୧୮୦୦ କୁକୁଡ଼ା ମରି ଯାଇଛନ୍ତି। କେବଳ ଏହି ଗୋଟିଏ ଫାର୍ମ ନୁହେଁ, ବହୁ ଛୋଟ କୁକୁଡ଼ା ଫାର୍ମ କରିଥିବା ଚାଷୀଙ୍କ କ୍ଷେତ୍ରରେ ସମାନ ଅବସ୍ଥା ଦେଖିବାକୁ ମିଳିଛି।
ଯାଁଳାରେ କୁକୁଡ଼ା ଫାର୍ମ କରିଥିବା ଦିଲୀପ କୁମାର ସ୍ବାଇଁଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ବିଦ୍ୟୁତ୍ କଟିଗଲା। ପ୍ରାୟ ୩/୪ ଘଣ୍ଟା ପର୍ଯ୍ୟନ୍ତ ଲାଇନ୍ ଆସିଲା ନାହିଁ। ଅସହ୍ୟ ଗୁଳୁଗୁଳିରେ ତାଙ୍କର ୧୮୦୦ କୁକୁଡ଼ା ମରିଗଲେ। ବିଦ୍ୟୁତ୍ କଟିବା ପରେ ସେ ଯାଁଳା ସେକ୍ସନ ଅଫିସକୁ ଜଣାଇଥିଲେ। କିନ୍ତୁ କର୍ମଚାରୀ ଅଭାବରୁ ଠିକଣା ସମୟରେ ମରାମତି ହୋଇପାରିଲା ନାହିଁ। ଫଳରେ ତାଙ୍କୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଲା। ଦିଲୀପଙ୍କ କହିବା ମୁତାବକ, ବଡ଼ ଫାର୍ମ ମାଲିକମାନେ ବିଦ୍ୟୁତ କାଟ୍କୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ରଖିଥାନ୍ତି। କିନ୍ତୁ ବ୍ୟବସାୟିକ ବିଦ୍ୟୁତ୍ ବିଲ୍ ପୈଠ କରିବା ଛୋଟ ଫାର୍ମ ବା କ୍ଷୁଦ୍ର ବ୍ୟବସାୟୀଙ୍କୁ କଷ୍ଟକର ହେଉଛି। ମିନି ଜେନେରେଟର କିଣି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ସମ୍ଭବ ହେଉନାହିଁ। ଘନଘନ ବିଦ୍ୟୁତ୍ କାଟ୍ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀ ଲକ୍ଷଲକ୍ଷ ଟଙ୍କା କ୍ଷତି ସହୁଛନ୍ତି। ଏଭଳି ଅବସ୍ଥା ଲାଗି ରହିଲେ ଆମ ଭଳି କ୍ଷୁଦ୍ର ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ।