ସାଉଦି ଆରବରେ ୮ ହଜାର ସୈନ୍ୟ ଓ ଯୁଦ୍ଧବିମାନ ମୁତୟନ କଲା ପାକିସ୍ତାନ

0

ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ପାକିସ୍ତାନ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନିଜର ଦ୍ୱିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଆଧାରରେ ପାକିସ୍ତାନ, ସାଉଦି ଆରବକୁ ୮,୦୦୦ ସୈନ୍ୟ, ଯୁଦ୍ଧବିମାନ ସ୍କ୍ୱାଡ୍ରନ ଏବଂ ଏୟାର ଡିଫେନ୍ସ ସିଷ୍ଟମ ପଠାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ପାକିସ୍ତାନ ଏହି ଯୁଦ୍ଧରେ ମଧ୍ୟସ୍ଥତା କରୁଥିବା ବେଳେ ଅନ୍ୟପଟେ ସାଉଦିକୁ ସେନା ସାହାଯ୍ୟ ଯୋଗାଇ ଦେଇଛି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ସୌଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ, ଯଦି କୌଣସି ଦେଶ ଉପରେ ଆକ୍ରମଣ ହୁଏ, ତେବେ ଅନ୍ୟ ଦେଶ ତା’ର ସୁରକ୍ଷା ପାଇଁ ଆଗେଇ ଆସିବ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ପୂର୍ବରୁ ସଂକେତ ଦେଇଥିଲେ ଯେ ସାଉଦି ଆରବ, ପାକିସ୍ତାନର ପରମାଣୁ ସୁରକ୍ଷା କବଚ ମଧ୍ୟରେ ରହିଛି। ସେଥିପାଇଁ ସାଉଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବିଶାଳ ସମର ସଜ୍ଜା କରାଯାଇଛି।

ସାଉଦି ଆରବରେ ଏବେ ୮,୦୦୦ ଯବାନ ମୁତୟନ ହୋଇଥିଲା ବେଳେ, ଆବଶ୍ୟକ ପଡ଼ିଲେ ୮୦,୦୦୦ ପର୍ଯ୍ୟନ୍ତ ସୈନ୍ୟ ପଠାଇବାକୁ ଚୁକ୍ତି ହୋଇଛି। ଏଥିସହିତ ଚାଇନା ନିର୍ମିତ ପ୍ରାୟ ୧୬ଟି JF-17 ଫାଇଟର ଜେଟ୍ ଏବଂ ୨ଟି ଡ୍ରୋନ୍ ସ୍କ୍ୱାଡ୍ରନ ପଠାଯାଇଛି। ଆକାଶମାର୍ଗରୁ ସୁରକ୍ଷା ପାଇଁ ଚାଇନା ନିର୍ମିତ HQ-9 ଏୟାର ଡିଫେନ୍ସ ସିଷ୍ଟମ ସ୍ଥାପନ ମଧ୍ୟ କରାଯିବ।

ଏହି ସମସ୍ତ ସାମରିକ ଉପକରଣ ପାକିସ୍ତାନୀ ସେନା ଦ୍ୱାରା ପରିଚାଳିତ ହେବ, କିନ୍ତୁ ଏହାର ସମସ୍ତ ଖର୍ଚ୍ଚ ସାଉଦି ଆରବ ବହନ କରିବ।

ସୂଚନାଯୋଗ୍ୟ ଯେ, ଇରାନ ପକ୍ଷରୁ ସୌଦିର ପ୍ରମୁଖ ଶକ୍ତି ପ୍ରକଳ୍ପ ଉପରେ ଆକ୍ରମଣ କରାଯିବା ପରେ ପାକିସ୍ତାନ ଏହି ଯୁଦ୍ଧବିମାନ ଗୁଡ଼ିକୁ ସାଉଦି ପଠାଇଥିଲା। ତେବେ ଏହାପରେ ପାକିସ୍ତାନ ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥ ସାଜି ଗତ ୬ ସପ୍ତାହ ଧରି ଏକ ଅସ୍ଥାୟୀ ଯୁଦ୍ଧ ବିରତି କରାଇବାରେ ସଫଳ ହୋଇଥିଲା। କିନ୍ତୁ ବର୍ତ୍ତମାନ ସାଉଦି ଆରବକୁ ପାକିସ୍ତାନ ଏତେ ବଡ଼ ସାମରିକ ସହାୟତା ଯୋଗାଇବା ପରେ, ଇରାନ ସହ ତା’ର ସମ୍ପର୍କ ଏବଂ ତା’ର ମଧ୍ୟସ୍ଥତା ଭୂମିକା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.