ଜାତୀୟ ରାଜପଥରୁ ଟୋଲ୍ ପ୍ଲାଜା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ

ଟାଇମ୍ସ ଗ୍ରୁପ୍ ପକ୍ଷରୁ ଗୁରୁବାର ଆୟୋଜିତ ‘ଟାଇମ୍ସ ଡ୍ରାଇଭ୍ ଅଟୋ ସମିଟ୍ ଆଣ୍ଡ୍ ଆଵାର୍ଡସ୍ ୨୦୨୬’ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ : ୨୦୨୬ ମସିହା ଶେଷ ସୁଦ୍ଧା ଦେଶର ସମସ୍ତ ଜାତୀୟ ରାଜପଥରୁ ଟୋଲ୍ ପ୍ଲାଜା ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ ବୋଲି ଟାଇମ୍ସ ଗ୍ରୁପ୍ ପକ୍ଷରୁ ଗୁରୁବାର ଆୟୋଜିତ ‘ଟାଇମ୍ସ ଡ୍ରାଇଭ୍ ଅଟୋ ସମିଟ୍ ଆଣ୍ଡ୍ ଆଵାର୍ଡସ୍ ୨୦୨୬’ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା ଘୋଷଣା କରିଛନ୍ତି । ବର୍ତ୍ତମାନ ଟୋଲ ବୁଥ୍ ବ୍ୟବସ୍ଥା ପରିବର୍ତ୍ତେ ଏକ ଅତ୍ୟାଧୁନିକ ବାଧାମୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଗଡକରୀ କହିଛନ୍ତି । ଏହା ନୂତନ ବ୍ୟବସ୍ଥା ଅଧିନରେ ଗାଡ଼ିଗୁଡ଼ିକୁ ଟୋଲ ପ୍ଲାଜାରେ ଆଉ ଧାଡ଼ି ବାନ୍ଧି ଅଟକିବାକୁ ପଡ଼ିବ ନାହିଁ, ବରଂ ଗାଡ଼ି ଚାଲୁଥିବା ସମୟରେ ହିଁ ସ୍ଵୟଂଚାଳିତ ଭାବେ ଟୋଲ ଆଦାୟ କରାଯାଇପାରିବ ।

ଏହି ନୂଆ ବ୍ୟବସ୍ଥା ମୁଖ୍ୟତଃ ସ୍ଵୟଂଚାଳିତ ନମ୍ଵର ପ୍ଲେଟ୍ ଚିହ୍ନଟ ଟେକନିକ୍ ଓ ଫାସଟ୍ୟାଗ୍ ଉପରେ ଆଧାରିତ ହେବାକୁ ଥିବାବେଳେ ଏହି ପ୍ରକ୍ରିୟାରେ ଜଣେ ଯାତ୍ରୀ କେବଳ ସେତିକି ଦୂରତା ପାଇଁ ଟୋଲ୍ ଦେବ, ଯେତିକି ଦୂରତା ସେ ରାଜପଥରେ ଅତିକ୍ରମ କରିଥିବେ। ଏହା ଦ୍ଵାରା ଯାତ୍ରା ଖର୍ଚ୍ଚରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିବ। ଯେଉଁଠାରେ ବର୍ତ୍ତମାନ ୧୨୫ରୁ ୧୫୦ଟଙ୍କା ଟୋସି ଫି ଦେବାକୁ ପଡ଼ୁଛି, ସେଠାରେ ଏହା ପ୍ରାୟ ୧୫ଟଙ୍କାକୁ ଖସିଆସିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ଦାବି କରିଛନ୍ତି। ଏଥିସହିତ ୩ହଜାର ଟଙ୍କାର ଏକ ସ୍ଵତନ୍ତ୍ର ପାସ୍ ବ୍ୟବସ୍ଥା ମଧ୍ୟ ରହିବ, ଯାହା ମାଧ୍ୟମରେ ୨୦୦ଟି ଟୋଲ୍ କ୍ରସିଂ ଦେଇ ଯାତ୍ରା କରିହେବ। ଦେଶର ୮୫ଟି ସ୍ଥାନରେ ଏହି ପରୀକ୍ଷାମୂଳକ ବ୍ୟବସ୍ଥା ସଫଳ ହୋଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ଏହା ସାରା ଦେଶରେ ଲାଗୁ ହେବ ।

ସୂରନାଯୋଗ୍ୟ, ପ୍ରତିବନ୍ଧକ-ମୁକ୍ତ ଯାତ୍ରା ପାଇଁ ଭାରତର ପ୍ରଥମ ”ମଲ୍ଟି-ଲେନ୍ ଫ୍ରି-ଫ୍ଲୋ” ସିଷ୍ଟମ୍ ଗୁଜୁରାଟର ଏନଏଚ୍-୪୮ ସୁରତରୁ ଭରୁଚ ସେକ୍ସନରେ ସଫଳତାର ସହ ଆରମ୍ଭ କରାଯାଇଛି। ଦିଲ୍ଲୀ-ଜୟପୁର, ଦିଲ୍ଲୀ-ଡେରାଡୁନ୍ ଓ ଚେନ୍ନାଇ-ବେଙ୍ଗାଲୁରୁ ଭଳି ପ୍ରମୁଖ ହାଇୱେ କରିଡରରେ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ବେଳେ ଏହି ଟେକନିକ୍ ଯୋଗୁଁ ସମୟ ଓ ଜାଳେଣି ସଞ୍ଚୟ ହେବା ସହ ଯାତ୍ରା ଅଧିକ ଆରାମଦାୟକ ହେବ। ତେବେ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶା କରାଯାଉଛି ।

Comments are closed.