କଟକ : ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ରେଜଲ୍ଟ ପ୍ରକାଶ କରାଯାଇଛି। ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ A1 ଗ୍ରେଡରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି A2 ଗ୍ରେଡରେ ୧୫,୬୮୧, B1 ଗ୍ରେଡରେ ୪୩,୫୬୫, B2 ଗ୍ରେଡରେ ୮୬,୧୦୩ , C ଗ୍ରେଡରେ ୧,୨୯,୮୦୩, D ଗ୍ରେଡରେ ୧,୪୬,୧୫୨, E ଗ୍ରେଡରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛି।
ସେହିପରି ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି। ଗଜପତିରେ ୯୯ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ସବୁଠୁ କମ୍ ପାସ୍ ହାର କେନ୍ଦୁଝର ଜିଲ୍ଲାରେ ରହିଛି। ୩୩୧୦ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଏଥର ଫର୍ମ ପୂରଣ କରିଥିଲେ ୫,୪୪,୬୭୦ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୫,୩୬,୩୦୬ ପରୀକ୍ଷାର୍ଥୀ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୩୬୪, ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୧୯,୨୫୧।
ଅନ୍ୟପକ୍ଷରେ ଚଳିତ ବର୍ଷ ମଧ୍ୟମାରେରେ ୮୭.୩% ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟମାରେ ୨ହଜାର ୯୮୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ହଜାର ୯୩୧ ଜଣ ପାସ୍ କରିଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପାସ୍ ହାର ୫୯.୮୨% ରହିଥିବା ବେଳେ ପରୀକ୍ଷା ଦେଇଥିଲେ ୧୦,୦୪୩, ସେଥିମଧ୍ୟରୁ ୭ହଜାର ୪୦୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।ପରୀକ୍ଷାର୍ଥୀମାନେ ବୋର୍ଡ ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in କୁ ଯାଇ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ। ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ। ମୋବାଇଲ୍ ମେସେଜ୍ ବକ୍ସକୁ ଯାଇ OR10<RollNo> ଟାଇପ୍ କରି 5676750 ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ। ପ୍ରଥମଥର ପାଇଁ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ସାର୍ଟିଫିକେଟ ବ୍ୟବସ୍ଥା କରିଛି ବୋର୍ଡ଼।