କୀର୍ତ୍ତି କିମ୍ବଦନ୍ତୀରେ ମା’ ଜୟଚଣ୍ଡୀ  ଶକ୍ତିପୀଠ

ଅମରନାଥ ବାରିକ୍

0
 ମନ୍ଦିର ମାଳିନୀ ଓଡ଼ିଶାର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ କୟାଁ ପଞ୍ଚାୟତ ଏକ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ । ଏଠାରେ ବିଭିନ୍ନ ବର୍ଗ ଜାତିର ମନୁଷ୍ୟ ବସବାସ କରନ୍ତି । ସେମାନେ ମୁଖ୍ୟତଃ ଗୋପାଳନ ଓ କୃଷି ଉପରେ ନିର୍ଭର କରୁଥିବା ବେଳେ ତନ୍ମଧ୍ୟରୁ କିଛି ମାତ୍ରାର ଲୋକ ବ୍ୟବସାୟ ମଧ୍ୟ କରନ୍ତି । ଯାଜପୁର ଜିଲ୍ଲା ମାନଚିତ୍ରରେ ଏହି ପଞ୍ଚାୟତ ଆଉ ଦୁଇଟି ଜିଲ୍ଲାକୁ ମଧ୍ୟ ସ୍ପର୍ଶ କରିଛି । ତାହା ହେଉଛି ଗୋଟିଏ କେନ୍ଦ୍ରାପଡ଼ା ଜିଲ୍ଲା ଓ ଅନ୍ୟଟି ହେଉଛି ଭଦ୍ରକ ଜିଲ୍ଲା । ତିନୋଟି ଜିଲ୍ଲା ସଙ୍ଗମର କେନ୍ଦ୍ରବିନ୍ଦୁ ପାଲଟିଛି ପୁଣ୍ୟତୋୟା ବୈତରଣୀ ନଦୀ । ଏହି ବୈତରଣୀ ନଦୀର ପଶ୍ଚିମ ଦିଗରେ ମା’ ଜୟଚଣ୍ଡୀ ଶକ୍ତି ପୀଠ ପ୍ରସିଦ୍ଧ ଧର୍ମ ପୀଠ ହୋଇଥିବା ବେଳେ ପୂର୍ବ ଦିଗରେ ବାବା ଆଖଣ୍ଡଳମଣିଙ୍କ ଅବସ୍ଥାନ ହୋଇଛି । ଏହି ଶକ୍ତି ପୀଠରୁ ପୂର୍ବ ଆଡ଼କୁ ପ୍ରମୁଖ ପ୍ରବେଶ ପଥ ପଡ଼ୋଶୀ ଭଦ୍ରକ ଜିଲ୍ଲା ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସଂଯୋଗ କରୁଛି । ସେମିତି ଏହି ଶକ୍ତି ପୀଠରୁ ପଶ୍ଚିମ ଆଡ଼କୁ କଟକ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ସ୍ପର୍ଶ କରିଛି । କୟାଁଗୋଲା ନିକଟରେ ବୈତରଣୀ ନଦୀ ସେତୁ ପାର ହେଲେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ବୋଡକ ଗ୍ରାମ ଆରମ୍ଭ । ସେହିପରି କୟାଁଗୋଲା ନିକଟସ୍ଥ ଗହିରାପାଳ ଗ୍ରାମ ନିକଟରେ ଥିବା ଏକ ସେତୁ ପାରି ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ କନପୁର ଗ୍ରାମ ପଡ଼ିଥାଏ । ଏହି ସୀମା ମଧ୍ୟ ଦେଇ ପ୍ରତ୍ୟେକ ଦିନ ସହସହ ଭକ୍ତ ମା’ ଜୟଚଣ୍ଡୀଙ୍କ  ଆଶୀର୍ବାଦ ନିମନ୍ତେ ଶକ୍ତି ପୀଠକୁ ଯାତ୍ରା କରନ୍ତି । ସୂର୍ଯ୍ୟଦୋୟ ପୂର୍ବରୁ ସେବାୟତ ମାନେ ମା’ଙ୍କୁ ଶୀତଳ ଜଳରେ ଚୁଆ ଚନ୍ଦନ ହଳଦୀ ଅତର ଲଗାଇ ସ୍ନାନ କରାଇ ଥାଆନ୍ତି । ପରେ ଚନ୍ଦନ ନାଲି ସିନ୍ଦୂର କୁଙ୍କୁମ ସୁବାସ ଅତର ଲଗାଇ, ପାଟ ଲୁଗା ପିନ୍ଧାଇ, ମନ୍ଦାର ଫୁଲରେ ସଜାଇ ଦିଆଯାଏ । ବିଭିନ୍ନ ସମୟରେ ଭଳିଭଳି ବେଶରେ ମା’ଙ୍କୁ ପୂଜା କରାଯାଏ । ଝୁଣା ଧୂପ ବାସ୍ନାରେ ମନ୍ଦିର ବେଢା ମହକି ଉଠୁଥାଏ । ହସ୍ତତନ୍ତ୍ର ବୁଣାକାରମାନେ ସୂତାରେ ନିର୍ମିତ ରଙ୍ଗିନ ଚାନ୍ଦୁଆ ତିଆରି କରି ମା’ଙ୍କ ପାଇଁ ଅର୍ପଣ କରିଥାନ୍ତି । ମୁଗୁନି ଶିଳା ବେଦୀ ଉପରେ ବସି ମାଆ ଝଟକୁ ଥାଆନ୍ତି । ଏଠାରେ ରହୁଥିବା ପୂଜକ ମାନଙ୍କ ପାରିଶ୍ରମିକ ପାଇଁ ନିକଟରେ ଥିବା ଠାକୁର ଜମି ପ୍ରଦାନ କରାଯାଇଛି । ସେମାନେ ପାଳି କରି ମା’ଙ୍କର ମନଲାଖି ସେବା କରିଥାନ୍ତି ।
                ବୈଶାଖ ମାସ ଓଡ଼ିଆ ନୂଆବର୍ଷ ତଥା ପଣା ସଂକ୍ରାନ୍ତିରେ ମା’ଙ୍କୁ ବେଲ କଦଳୀ ମହୁ ମିଶିରି ଦହି କ୍ଷୀର ମଖନ ଛେନା ଗୁଡ଼ରୁ ତିଆରି ପଣା ଅର୍ପଣ କରାଯାଇ ପଞ୍ଜିକା ଆରମ୍ଭ ହୋଇଥାଏ । ଠିକ୍ ସେମିତି ପରେ ପରେ ଜ୍ୟେଷ୍ଠ ମାସରେ ପଡୁଥିବା ପର୍ବ ପର୍ବାଣୀ ଯେମିତିକି ଗଣପର୍ବ ରଜ ଆଉ ଚନ୍ଦନ ପୂର୍ଣ୍ଣିମା ଭଳି ବିଭିନ୍ନ ଓଷା ବ୍ରତ ଭକ୍ତିର ସହିତ ପାଳନ କରାଯାଇଥାଏ । ଆଷାଢ଼ ମାସରେ ନିଷ୍ଠାର ସହିତ ରଥ ଯାତ୍ରା ପାଳନ କରାଯାଇଥାଏ । ଶ୍ରାବଣ ମାସ ଆରମ୍ଭରେ ସମସ୍ତ ପର୍ବ ସର୍ବୋପରି ରାକ୍ଷୀ ଅର୍ପଣ ଅର୍ଥାତ୍ ଗହ୍ମା ପୂର୍ଣ୍ଣିମାରେ ମା’ଙ୍କର ପ୍ରିୟ ଭୋଗ କ୍ଷୀରି ଖେଚୁଡ଼ି ପିଠା ଭଳି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଗ ଲାଗିଥାଏ । ଭାଦ୍ରବର ଆଗମନରେ ସଜ କରାଯାଏ ମା’ଙ୍କ ପରିଧାନ ଲାଗି ନୂତନ ପାଟ ବସ୍ତ୍ର । କାରଣ ଆଗ ନୂଆ ବସ୍ତ୍ରରେ ମା’ଙ୍କୁ ପଢ଼ୁଆଁ କରି ବଡ଼ ସନ୍ତାନଙ୍କ ପାଇଁ ଜନ୍ମାଷ୍ଟମୀ ପାଳନ କରାଯାଇଥାଏ । ଏହା କେବଳ ଓଡ଼ିଶାରେ ହିଁ ଏକ ଅନନ୍ୟ ପର୍ବ । ଆଶ୍ୱିନ ପଦାର୍ପଣ କଲେ ହସିଥାଏ ନଈପଠା, କାଶତଣ୍ଡୀ ଫୁଲର ଚାମରରେ ମହକି ଉଠେ ମହା ପାର୍ବଣ । ଯାହା ଶାରଦୀୟ ଦୁର୍ଗା ପୂଜା ନାମରେ ଉଛୁଳିଉଠେ । ମା’ଙ୍କ ପାଖରେ ମହା ଅଷ୍ଟମୀ ତିଥିରେ କଖାରୁ ବଳୀପଡ଼େ । ସବୁ ମାସଠାରୁ ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଇଥାଏ ମା’ଙ୍କ ନିକଟରେ । ଘୃତ ଦୀପ ଧୂପ କର୍ପୁର ଆଳତିର ତାଳେ ତାଳେ ବାଜି ଉଠେ ଘଣ୍ଟ ଘଣ୍ଟା ଶଙ୍ଖ ଖୋଳ ମର୍ଦ୍ଦଳ ।  ହବିଷ ଡାଲମା ଅନ୍ନ ପ୍ରସାଦ ଲାଗିଥାଏ ମା’ଙ୍କୁ । ଓଡ଼ିଆ ଘରର ଝୋଟି ଚିତାକୁ ଦେଖିଲେ ଜାଣିହୁଏ ଲକ୍ଷ୍ମୀପୂଜା ମାଣବସା ଗୁରୁବାର ଆସିଗଲା ବୋଲି । ଯାହା ମାର୍ଗଶିର ମାସରେ ମା’ଙ୍କ ନିକଟରେ ପାଳନ କରାଯାଇଥାଏ । ଲକ୍ଷ୍ମୀ ପୁରାଣରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି ଯେ ନାରୀ କେବେବି ଅବଳା, ଦୁର୍ବଳା ନୁହେଁ । ନାରୀ ପୂଜ୍ୟା, ନାରୀ ବନ୍ଦନୀୟା, ନାରୀ ସମ୍ମାନୀୟା, ନାରୀ ଜନନୀ ଭଗିନୀ ଜାୟା କାୟା ନାରୀ ସର୍ବ ଶକ୍ତି ସ୍ୱରୂପିଣୀ । ପୌଷ ମାସରେ ପୌଷ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଇଥାଏ । ନୂଆ ଧାନରୁ ପ୍ରସ୍ତୁତ କରାଯାଏ ମକର ଚାଉଳ । ଯାହା ମାଘ ମାସରେ ପଡୁଥିବା ପବିତ୍ର ମକର ସଂକ୍ରାନ୍ତି ଭଳି ମହାନ ପର୍ବ ପାଳନ କରାଯାଇଥାଏ ଏଠି । ଗୋପାଳ ଓଗାଳ ରଙ୍ଗ ଅବିର କଥା କହିଲେ ଫାଲଗୁନ ମାସରେ ପଡୁଥିବା ଦୋଳପୂର୍ଣ୍ଣିମା କୁ ବୁଝାଏ ଯାହା ମା’ଙ୍କ ପାଖରେ ମେଲଣ ପର୍ବ ରୂପରେ ପାଳନ କରାଯାଇଥାଏ ଏଠି । ଶେଷରେ ଚୈତ୍ର ମାସରେ ଚଇତି ପୂର୍ଣ୍ଣିମା ଆଉ ଅନ୍ୟାନ୍ୟ ପର୍ବ ପର୍ବାଣୀ ମଧ୍ୟ ଆନନ୍ଦ ସହକାରେ ପାଳନ କରାଯାଇଥାଏ ମା’ଙ୍କ ଶକ୍ତି ପୀଠରେ ।
                ଦେଶ ସ୍ୱାଧୀନ ପୂର୍ବରୁ ଜମିଦାର ପ୍ରଥା ରାଜଙ୍କ କଠୋର ଶାସନ କଥା କହିଲେ ଆଜି ବି ଲୋମ ଟାଙ୍କୁରି ଉଠେ । କନିକାର ରାଜା ସୀମା ଅତିକ୍ରମ କରି ଏଠାରେ ରହୁଥିବା ଗରିବ ଖଟିଖିଆ ଲୋକ ମାନଙ୍କ ଠାରୁ ଅତିରିକ୍ତ କର ଆଦାୟ କରୁଥିଲେ  । ଅତ୍ୟାଚାରିତ ପ୍ରଜା ଝାମ୍ପୁଲା ସିଂହ ମା’ ଜୟଚଣ୍ଡୀ ଙ୍କ ଅନୁମତି ନେଇ କନିକା ରାଜାଙ୍କ ସହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଙ୍କ ଖଣ୍ଡାରେ ମାଆ ଷଡ଼ଭୂଜା ଜୟଚଣ୍ଡୀଙ୍କ ଶକ୍ତି ଥିବାରୁ କନିକା ରାଜା ପରାସ୍ତ ହୋଇଥିଲେ । ଝାମ୍ପୁଲା ସିଂହ ବିଜୟଲାଭ କରିଥିଲା । କିଏ କହେ ମା’ ଜୟଚଣ୍ଡୀ କଲିକତାରୁ ଆସିଥିଲେ ତ କିଏ କହେ ଖୋର୍ଦ୍ଧାର ରଥି ଗଡ଼ରୁ ଆସିଥିଲେ । କିଏ କହେ କନିକାର ପଥର ଗଡ଼ରୁ ଆସିଥିଲେ ତ କିଏ କହେ କନିକା ପଳାଇ ଯାଇ ଥାନ୍ତେ । ଇତିହାସରେ ସେମିତି କିଛି ସଠିକ୍ ତଥ୍ୟ ନାହିଁ ଯେ ମାଆ କେମିତି ଆବିର୍ଭାବ ହେଲେ । ତଥାପି ସମାଲୋଚକ ମାନେ କୁହନ୍ତି ।
                      ଝାମ୍ପୁଲା ମାତିଲା ଖପରା ତାତିଲା
                              ଆସିଗଲା ନଈ ବଢ଼ି ।
                      ଆଉ ଯଦି ବେଳ ଘଡ଼ିଏ ଥାଆନ୍ତା
                          କନିକା ଯାଇଥାନ୍ତେ ମାଡ଼ି ।।
                ସେ ଯାହା ବି ହେଉ ମା’ଙ୍କର ମହିମା କଥା କହିଲେ ସରିବ ନାହିଁ । ମା’ ଜୟଚଣ୍ଡୀଙ୍କର  ଭକ୍ତ ଝାମ୍ପୁଲା ସିଂହକୁ ମା କହିଲେ ତୋ ଭକ୍ତିରେ ସନ୍ତୁଷ୍ଟ ହୋଇ ମୁଁ ତୋ ସାଙ୍ଗରେ ଯିବି କିନ୍ତୁ ତୁ ମୋତେ ପଛକୁ ଫେରି ଚାହିଁବୁ ନାହିଁ । ଯେଉଁଠି ପଛକୁ ଫେରି ଚାହିଁବୁ ମୁଁ ସେଇ ସ୍ଥାନରେ ରହିଯିବି । ଆଗେ ଆଗେ ଝାମ୍ପୁଲା ଚାଲିଥାଏ । ପଛରେ ମା’ ଜୟଚଣ୍ଡୀ ଚାଲୁଥାଆନ୍ତି । ମା’ଙ୍କର ସେ ଚରଣ କମଳରୁ ନୂପୁରର ରୁଣୁଝୁଣୁ ରୁଣୁଝୁଣୁ ଶବ୍ଦର ଝଙ୍କାର ଶୁଣି ଝାମ୍ପୁଲା ପଛକୁ ଫେରି ନ ଚାହିଁ ଆନନ୍ଦ ମନରେ ଚାଲିଥାଏ । କିଛି ବାଟ ଯିବା ପରେ ମଲ୍ଲିପୁର ଠାରେ ନୂପୁର ଶବ୍ଦ ବନ୍ଦ ହୋଇଗଲା । ଆଗରୁ ଏହି ଅଞ୍ଚଳ ବୃକ୍ଷଲତାରେ ଶୋଭନୀୟ ଥିବାରୁ ମା’ ଟିକେ ଲତା ଗହଳରେ ଝୁଲି ଖେଳୁଥିଲେ । ଝାମ୍ପୁଲା ମନରେ ସନ୍ଦେହ ସୃଷ୍ଟି ହେଲା ଆଉ କାହିଁ ନୂପୁର ଶଦ୍ଦ ଶୁଭୁନାହିଁ ! ସେ ପଛକୁ ଫେରି ଚାହିଁଦେଲା, ମା କହିଲେ “ତୁ ମୋତେ ପଛକୁ ଫେରି ଚାହିଁଥିବାରୁ ମୁଁ ଏଇଠି ଅବସ୍ଥାନ କରୁଛି ।” ସେହି ଦିନଠାରୁ ମା’ ମଲ୍ଲିପୁର ଠାରେ ରହି ପୂଜା ପାଇଆସୁଛନ୍ତି । ଦୈନିକ ମା’ଙ୍କୁ ପାଳିକରି ପଣ୍ଡିତମାନେ ପୂଜା କରନ୍ତି । ସେମାନଙ୍କ ମଧ୍ୟରୁ ମାନ ପଣ୍ଡା ବୋଲି ଜଣେ ମଲ୍ଲିପୁର ବରିଷ୍ଠ  ପୂଜକ ମା’ଙ୍କର ପ୍ରିୟ ସେବାୟତ ଥିଲେ । ଅତି ନିଷ୍ଠାର ସହିତ ସେ ବିଭିନ୍ନ ବେଶରେ ସଜାଇ ମନ ପ୍ରାଣ ଦେଇ ଭକ୍ତିଭାବରେ ପୂଜା କରି ମା’ଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ସେଥିପାଇଁ ମାନ ପଣ୍ଡାଙ୍କୁ ମା’ ଜୟଚଣ୍ଡୀଙ୍କର ବାପା ବୋଲି ସମ୍ବୋଧନ କରାଯାଏ । ଲୋକେ କୁହନ୍ତି “ମାନ ପଣ୍ଡାର ଇଚ୍ଛା ନା ମା’ ଜୟଚଣ୍ଡୀଙ୍କର ଇଚ୍ଛା”  । କୁହାଯାଏ ଜଣେ ଶଙ୍ଖାରୀ ଦିନେ ଶଙ୍ଖା ବ୍ୟବସାୟ କରିବା ପାଇଁ ଏହି ରାସ୍ତା ଦେଇ ଯାଉଥାଏ । ମା’ ଶଙ୍ଖାରୀ ଠାରୁ କିଛି ଶଙ୍ଖା ରଖିଲେ । ଶଙ୍ଖାରୀ ତା’ର ପଇସା ମାଗିବାରୁ ମା’ କହିଲେ “ମଲ୍ଲିପୁର ଗ୍ରାମରେ ମୋ ବାପା ମାନ ପଣ୍ଡା ଅଛନ୍ତି, ତାଙ୍କ ଠାରୁ ପଇସା ମାଗି ନେଇଯିବେ । କହିବେ ତମ ଝିଅ ଶଙ୍ଖା ନେଇଛି ।” ଶଙ୍ଖାରୀ ଯାଇ ମାନ ପଣ୍ଡାଙ୍କୁ ପଇସା ମାଗିବାରୁ ମାନ ପଣ୍ଡା କହିଲେ ମୋର କଉ ଝିଅ ତମ ଠାରୁ ଶଙ୍ଖା ନେଲା କେଉଁଠୁ ନେଲା । ତଥାପି ମାନ ପଣ୍ଡା ପଇସା ଦେଲେ । କାରଣ ସେ ସମୟର ଲୋକେ ବିଶ୍ୱାସୀ ଓ ଧର୍ମପରାୟଣ ଥିଲେ । ପୁଣି ଆଉ ଥରେ ସେହି ବାଟ ଦେଇ ଜଣେ ଲୁଗା ବେପାରୀ ଯାଉଥାଏ । ତା’ ଠାରୁ ମା’ ପାଟ ଲୁଗା ଖଣ୍ଡେ ରଖି, କହିଲେ “ମଲ୍ଲିପୁର ଗ୍ରାମରେ ମୋ ବାପା ମାନ ପଣ୍ଡା ଅଛନ୍ତି, ତାଙ୍କ ଠାରୁ ପଇସା ମାଗି ନେଇଯିବେ ।” ଲୁଗା ବେପାରୀ ଆସି ପଇସା ମାଗିବାରୁ ମାନ ପଣ୍ଡା ଚକିତ ହୋଇଗଲେ । କିଏ ବାରମ୍ବାର ମୋ ନାଁ କହି ଜିନିଷ ରଖୁଛି ? ପୁଣି କହୁଛି “ମଲ୍ଲିପୁର ଗ୍ରାମରେ ମୋ ବାପା ମାନ ପଣ୍ଡା ଅଛନ୍ତି, ତାଙ୍କ ଠାରୁ ପଇସା ମାଗି ନେଇଯିବେ ।” ଏମିତି କିଛି ସୂତ୍ରରୁ ମାନ ପଣ୍ଡା ଜାଣି ପାରିଲେ କି ସେ ହେଉଛନ୍ତି ମୋ ମା’ ଜୟଚଣ୍ଡୀ । ବହୁ ଭକ୍ତଙ୍କୁ ମଧ୍ୟ ମା’ ସ୍ୱପ୍ନରେ ଦେଖା ଦେଇଛନ୍ତି । ସେହି ସ୍ଥାନରେ ମା’ ରାତ୍ରି ସମୟରେ ଖେଳାବୁଲା କରିବାରେ ବହୁତ ଭକ୍ତ ମଧ୍ଯ ନିଜ ଆଖିରେ ଦେଖିଛନ୍ତି ।
                ଏହି ଐତିହାସିକ ପ୍ରମୁଖ ଧର୍ମସ୍ଥଳୀ କୟାଁ ପଞ୍ଚାୟତର ଆରାଧ୍ୟ ଦେବୀ ତଥା ପୂର୍ବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ଜୟଚଣ୍ଡୀ । ଏହି ଶକ୍ତିପୀଠରେ ମା’ଙ୍କ ଉଦ୍ଦେଶ୍ୟରେ ହେଉଥିବା ଅର୍ଥାତ୍ ଶ୍ରଦ୍ଧାଳୁ ମାନଙ୍କ ମଙ୍ଗଳ କାମନା ପାଇଁ ପଞ୍ଚଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଭଳି ପବିତ୍ର ମହୋତ୍ସବ ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଥାଏ । ଏହି ଐତିହାସିକ ପ୍ରମୁଖ ବାର୍ଷିକ ପଞ୍ଚଦିବସୀୟ ଅମୃତ ମହୋତ୍ସବ ଫଗୁ ଅଷ୍ଟମୀ ଠାରୁ ଆରମ୍ଭ ହୋଇ ଦ୍ୱାଦଶୀ ପର୍ଯ୍ୟନ୍ତ ଚାଲିଥାଏ । କୟାଁ ପଞ୍ଚାୟତର ଏହି ଐତିହାସିକ ଆଞ୍ଚଳିକ ମେଳା ଜନସାଧାରଣଙ୍କର କଲ୍ୟାଣ ହୋଇ ପାରିଛି । ଅଞ୍ଚଳବାସୀ ମାନେ ବଡ଼ ଧୁମ୍ ଧାମ ରେ ପାଳନ କରନ୍ତି । ବାର ମାସର ତେର ପର୍ବ ମଧ୍ୟରୁ ଏହି ପର୍ବଟି ଅନ୍ୟତମ ପ୍ରମୁଖ ପର୍ବ । ମା’ଙ୍କର ଏହି ଉତ୍ସବରେ ହଜାର ହଜାର ଭକ୍ତମାନଙ୍କର ସମାଗମ ବେଳେ ଯାଜପୁର ସମେତ ଆଉ ଦୁଇ ପଡ଼ୋଶୀ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରଦ୍ଧାଳୁମାନେ ଶୋଭା ଯାତ୍ରାରେ ଅଂଶଗ୍ରହଣ କରି କଳସରେ ଜଳ ଆଣି ଯଜ୍ଞ ବେଦୀରେ ଘଟ ସ୍ଥାପନ କରିଥାନ୍ତି । ଯଜ୍ଞ କାର୍ଯ୍ୟକୁ ପୁରୋଧା ତଥା ମନ୍ଦିରର ପ୍ରମୁଖ ସେବାୟତ ଓ ମଲ୍ଲୀପୁର ଗ୍ରାମଠାରୁ ଆରମ୍ଭ କରି ଯାଜପୁରର ସମସ୍ତ ସହଯୋଗୀ ବାହ୍ମଣ ମାନେ ଅଗ୍ନି ସ୍ଥାପନା କରିବା ସହିତ ଘୃତାହୁତି ପ୍ରଦାନ କରନ୍ତି ।  ପରେ ସୂର୍ଯ୍ୟ ଦେବତାଙ୍କୁ ପୂଜା, ଗୋ ପୂଜା, ଭୂମି ପୂଜନ, ବାୟୁ ପୂଜା, ଜଳ ପୂଜା ସମେତ ମା’ ଜୟଚଣ୍ଡୀଙ୍କ ପୂଜାର୍ଚ୍ଚନା ହୋଇ ଷୋଡ଼ଶ ଉପଚାର ପୂଜା ହେବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥାଏ । ବଡ ବିଚିତ୍ର କଥା ହେଲା ଯଜ୍ଞ କୁଣ୍ଡରେ ଯେଉଁ ଅଗ୍ନି ସଂଯୋଗ କରାଯାଏ ତାହା କେଉଁ ଦିଆସିଲ ବା ଅନ୍ୟ କୌଣସି ଉପାୟରେ ନୁହେଁ, ବରଂ ଯୁର୍ଯ୍ୟଙ୍କର ପ୍ରଖର କିରଣରୁ ଜ୍ୟୋତି ଆଣି ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥାଏ । ଏହି ଅବସରରେ ପ୍ରତ୍ୟେକ ଆଧ୍ୟାତ୍ମିକ ପ୍ରବଚନ, ଭଜନ, ଜଣାଣ, କୀର୍ତ୍ତନ, ସାଂସ୍କୃତିକ ପାଲା ଇତ୍ୟାଦି ପରିବେଷଣ କରାଯାଇଥାଏ । ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଦିବାନିଶି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାହିତ୍ୟ, କଳା ସଂସ୍କୃତିକୁ ପ୍ରୋତ୍ସାହିତ କରି ଆଗାମୀ ପିଢ଼ି ତଥା ଯୁବ ସମାଜକୁ ଆଧ୍ୟାତ୍ମିକ ଡୋରିରେ ବାନ୍ଧି ରଖିବା ପାଇଁ ଓଡ଼ିଶାର ବହୁ ଲୋକପ୍ରିୟ ସୁନାମଧନ୍ୟ ବରିଷ୍ଠ ଗାୟକ ମାନଙ୍କ ଦ୍ୱାରା ବାଦି ପାଲା ଅନୁଷ୍ଠିତ କରାଯାଇଥାଏ । ଫଳରେ ରୀତିନିତି ଅନୁଯାୟୀ ମନ୍ତ୍ରଧ୍ୱନି ସହିତ ହରିବୋଲ ହୁଳହୁଳି ଯଜ୍ଞସ୍ଥଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ମା’ଙ୍କ କୃପା ସାନିଧ୍ୟ ଲାଭ କରିବା ସହିତ ପାଞ୍ଚଦିନ ଧରି ମହୋତ୍ସବ ଚତୁର୍ପାର୍ଶ୍ୱରେ ବିଭିନ୍ନ ଦୋକାନ ବଜାର ପଡ଼ିଥାଏ । ଏହି ଅମୃତ ମହୋତ୍ସବକୁ ଦେଖଭାଲ ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ମା’ଙ୍କ ଶକ୍ତିପୀଠରେ ପାଞ୍ଚଦିନ ବ୍ୟାପି ପାଳିତ ଏହି ମହାସମାରୋହରେ କମିଟିର କର୍ମକର୍ତ୍ତାବୃନ୍ଦ ନିଷ୍ଠାର ସହିତ ସେବା କରିଥାନ୍ତି ।
                କୟାଁ, ଲକ୍ଷ୍ମୀପୁର, ଗୁଣ୍ଠୁଣିପଡ଼ା, ଗୋପବନ୍ଧୁ ନଗର, କୟାଁଗୋଲା, ଇଚ୍ଛାପୁର, ବଳରାମପୁର, ଧରମପୁର, ଗହିରାପାଳ, ଦରବା, ଗରବନ୍ଧ, କମାରଡିହ, ଲାଲବାଗ, ଦୁବକଣ, ଯୋଗୀମଠ, କୁଳସାହି, ମଲ୍ଲୀପୁର ସମେତ ଇଟାପଡ଼ା ଭଳି ଛୋଟ ବଡ଼ ଗ୍ରାମ ମାନଙ୍କରେ ଚାନ୍ଦା ଆଦାୟ କରାଯାଇଥାଏ । ଅତି ଉଲ୍ଲାସର ସହିତ ଭକ୍ତ ମାନେ ଯିଏ ଯାହା ପାରିଲା ମା’ଙ୍କ ପାଖରେ ସମର୍ପଣ କରିଥାଆନ୍ତି । ମାନସିକ କରି ଘିଅ, ଚାଉଳ, ଫୁଲ, କାଠ, ଧୂପ, ଦୀପ, ପରିବା ଏମିତିକି ଭୋଗ ପର୍ଯ୍ୟନ୍ତ ଆଣି ଅଧିଷ୍ଠାତ୍ରୀ ଦେବୀଙ୍କ ଚରଣରେ ସମର୍ପିତ କରନ୍ତି । ଏହି ଉତ୍ସବରେ ଦେଶ ବିଦେଶରେ ରହୁଥିବା ଅଞ୍ଚଳବାସୀ ମାନେ ଆସି ଯୋଗ ଦେଇଥାଆନ୍ତି । ଏହି ଅମୃତ ମହୋତ୍ସବ ଫାଲ୍ଗୁନ ମାସରେ ପଡ଼ିଥାଏ । ମାତ୍ର ଶିବରାତ୍ରୀ ଦୋଳପୂର୍ଣ୍ଣିମାର ଅନ୍ତରାଳରେ । ଆହୁରି ଏକ ଆନନ୍ଦର ବିଷୟ ଅଞ୍ଚଳବାସୀ ମାନେ ଝିଅ ପୁଅଙ୍କ ବିବାହ ବ୍ରତଭଳି ବିଭିନ୍ନ ଶୁଭ କାର୍ଯ୍ୟ ମଧ୍ୟ ଏହି ଧର୍ମ ପୀଠରେ କରାଇ ଥାଆନ୍ତି । କୟାଁ ପଞ୍ଚାୟତର ଏହା ସର୍ବ ପୁରାତନ ପ୍ରାଚୀନ ମନ୍ଦିର ଅଟେ । ପ୍ରାୟ କୋଡ଼ିଏ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ଅଟେ । ଆଜିକୁ ସହସହ ବର୍ଷ ତଳେ କାଠରେ ନିର୍ମିତ ଥିଲା ଏହା ।  ମାତ୍ର ପଚାଶ ବର୍ଷ ତଳେ କୟାଁ ଗ୍ରାମର ଜଣେ ମା’ଙ୍କ ଭକ୍ତ ଶ୍ରୀ ବୈଷ୍ଣବ ଚରଣ ପରିଡ଼ା ମନ୍ଦିର ନିର୍ମାଣ କରିବାରେ ତାଙ୍କର ପ୍ରଥମ ଏକ ସ୍ୱତନ୍ତ୍ର ପ୍ରମୁଖ ଭୂମିକା ରହିଥିଲା । ପରବର୍ତ୍ତୀ ସମୟରେ ଏହି ଐତିହାସିକ ମନ୍ଦିରର ସରକାରଙ୍କ ପକ୍ଷରୁ ପୁନର୍ନିମାଣ କରାଯାଇଥିଲା ଏହି ମନ୍ଦିରର ମୁଖ୍ୟ ଦ୍ୱାର ପୂର୍ବ ଆଡ଼କୁ ରହିଛି । ଦ୍ୱାର ସାମ୍ନାକୁ ଲାଗି ଏକ ବିରାଟ ଯଜ୍ଞ କୁଣ୍ଡର ନିର୍ମାଣ ହୋଇଛି । ମନ୍ଦିରର ବାମ ପାର୍ଶ୍ୱରେ ଏକ ରୋଷେଇ ଘର ତିଆରି ହୋଇଛି । ଗ୍ରୀଷ୍ମ ତାପରୁ ତୃଷ୍ନା ମେଣ୍ଟାଇବା ପାଇଁ ନିକଟରେ ଏକ ପୋଖରୀ ନଳକୂପ ଓ ପାଣି ଟ୍ୟାପର ବ୍ୟବସ୍ଥା ରହିଛି । ମନ୍ଦିର ବେଢାକୁ ଲାଗି ଏକ ପାଲା ମଣ୍ଡପ କରାଯାଇଛି । ମନ୍ଦିରର ମୁଖଶାଳାରେ ଦୁଇଗୋଟି ଆକର୍ଷଣୀୟ କଳା ଧଳା ରଙ୍ଗର ଘୋଡ଼ା ରହିଛନ୍ତି । ଯାହାର ଉଚ୍ଚତା ପ୍ରାୟ ସାତ ଫୁଟ୍ ଉଚ୍ଚତା ବିଶିଷ୍ଟ । ଏହା ମନ୍ଦିରକୁ ଆହୁରି ଶାଣିତ ସୌନ୍ଦର୍ଯ୍ୟ କରାଇ ପାରୁଛି । ତା’ ଛଡ଼ା ମା’ ମଧ୍ୟରାତ୍ରରେ ଘୋଡ଼ାରେ ଚଢ଼ି ବୁଲିବା ପାଇଁ ଯାଆନ୍ତି । ସେହି ପରିପ୍ରେକ୍ଷୀରେ ଦୁଇଗୋଟି ଘୋଡ଼ା ରଖାଯାଇଛି । ମନ୍ଦିର ଭିତର ବାହ୍ୟ ଆଡ଼କୁ ମନଲାଖି ହସ୍ତଶିଳ୍ପ କାରୁକାର୍ୟ୍ଯ କରାଯାଇଛି । ସେ ହେଉଛନ୍ତି ଜଗତର ମାଆ ତାଙ୍କୁ ଯିଏ ଯେପରି ଖୋଜେ ସିଏ ସେପରି ପାଏ । ତାଙ୍କର ଅଗାଧ ମହିମା ଅପାର କରୁଣା । ସେ କିନ୍ତୁ ସମସ୍ତଙ୍କ ଦୁଃଖ ଦୂର କରନ୍ତି । ପରିବେଶକୁ ସ୍ୱଚ୍ଛ ନିର୍ମଳ କରିବା ପାଇଁ ମନ୍ଦିର ପ୍ରାଙ୍ଗଣର ଚତୁର୍ପାର୍ଶ୍ୱରେ ଥିବା ପାଚେରୀ ଭିତରେ ତୁଳସୀ, ବେଲ, ନିମ୍ବ, ଆମ୍ବ ନଡ଼ିଆ ଭଳି ବିଭିନ୍ନ ଫୁଲ ଫଳ ଅନ୍ୟାନ୍ୟ ଗଛ ମଧ୍ୟ ଲଗାଯାଇଛି । ମନ୍ଦିରର ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ନିକଟରେ ଏକ ମୁଖ୍ୟ କାର୍ଯ୍ୟଳୟ ନିର୍ମାଣ ହୋଇଛି । ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ପାଇଁ ଏକ କଳାବିକାଶ କେନ୍ଦ୍ର ଅଛି । ଅଞ୍ଚଳବାସୀ ତଥା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଏକ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ କରାଯାଇଛି । ଆଉ ଏଠାରେ ଏକ କଲ୍ୟାଣ ମଣ୍ଡପ ସହିତ ଶୌଚାଳୟର ବ୍ୟବସ୍ତା କରାଯାଇଛି । ବିଜୁଳି ପାଣି ଆଧୁନିକରଣ ସିକ୍ୟୁରିଟି କ୍ୟାମେରା ଲାଇଟି ଫିଟିଙ୍ଗ କରାଯାଇଛି । ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବାକୁ ଲାଗିଛି । ଏଠି ବିଭିନ୍ନ ଆଡ଼ୁ ଭକ୍ତ ମାନେ ଆସି ନୀତି ପାଳିରେ ନୀତି ପ୍ରଦାନ କରନ୍ତି । ଦୈନିକ ବହୁସଂଖ୍ୟାରେ ଭକ୍ତ ମାନେ ପ୍ରସାଦ/ଭୋଗ ସେବନ କରନ୍ତି । ମା’ଙ୍କର ଅପାର କରୁଣା ସମସ୍ତ ଭକ୍ତମାନଙ୍କ ପ୍ରତି ଥାଏ ।
ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
Leave A Reply

Your email address will not be published.