ପ୍ରାଣର ଠାକୁର

ଅମରନାଥ ବାରିକ୍

0

ପ୍ରାଣର ଠାକୁର

ପିନ୍ଧୁଛି ଗଜରା ନାଉଛି ସିନ୍ଦୁର
କାହ୍ନୁ ତୁମ ନାମ ଧରି
ଟାଣୁଛି ଓଢ଼ଣୀ ଦେଖୁଛି ଆଇନା
ତୁମକୁ ସ୍ମରଣ କରି ।।୧।।

ଯାଉଛି ଯମୁନା ହୋଇ ମୁଁ ଅଧିର
ତୁମକୁ ଦର୍ଶନ କରି,
କି ମାୟା ଲଗାଇ ଦେଇଛ ନାଗର
ହେଉଛି ତୁମକୁ ଝୁରି ।।୨।।

ଘର ଗୃହସ୍ଥିରେ ମନ ଲାଗୁନାହିଁ
ସବୁ ଦିଏ ଭୂଲ୍ କରି
ଜାଣି ପାରୁନାହିଁ ମୋ ମନର ଦଶା
ଯେତେ ଯାହା ଯାଏ କରି ।।୩।।

ଶାଶୂ ଦେଉଛନ୍ତି ଅନେକ ଗଞ୍ଜଣା
ସହୁଥାଏ ଡରିମରି
ନଣନ୍ଦ ଛାଡନ୍ତି କେତେ ଯେ ବୋଲଣା
ବଞ୍ଚୁଛି ମୁଁ ମରି ମରି ।।୪।।

ଗୋପ ଗାଆଁ ସାରା ବାଜୁଛି ନାଗରା
ମୋ ମନକୁ କଲ ଚୋରି
ଟୁପୁରୁ ଟାପୁରୁ ହେଉଛନ୍ତି ଯେତେ
ଗୋପାଳ ପୁରୁଷ ନାରୀ ।।୫।।

ପତି ଚନ୍ଦ୍ରଶେଣା ଜଗୁଥାନ୍ତି ବାଟ
ରଖନ୍ତି ଆକଟ କରି
ହେଲିଣି ପାଗଳି ହୟେ ଜଡସଡ
ପ୍ରାଣ ପାରେନାହିଁ ହାରି ।।୬।।

ନିନ୍ଦା ଅପବାଦ ନାହିଁ ମୋର ଡର
କରେନା ତାକୁ ଖାତିରି
ଛୁଇଁବାକୁ ଚାହେଁ ତୁମ ଶ୍ରୀଚରଣ
ପାଇବାକୁ କୃପା ବାରି ।।୭।।

ତଥାପି ବ୍ୟାକୁଳେ ଖୋଜୁଛି ତୁମକୁ
ପିଞ୍ଜରାବଦ୍ଧ ଏ ଶାରୀ
ଘରଦ୍ବାର ଛାଡି ଧାଏଁ ତୁମ ପାଇଁ
ମାନେ ନାହିଁ ମୁଁ ପଞ୍ଜୁରୀ ।।୮।।

ଦିଅ କୃଷ୍ଣ ତୁମ ପ୍ରେମରେ ଭିଜେଇ
ପ୍ରୀତି ଯାଉ ତୁମ ଝରି
ନ କର ବିଳମ୍ବ ଆହେ ଭାବଗ୍ରାହୀ
ଆହେ ପ୍ରଭୁ ଗିରିଧାରୀ ।।୯।।

ତିନି ଧାମ ହେଉ ଜୟ ଜୟ କାର
ମୁଖେ ତୁମ ନାମ ହରି
ଥାଉ ନିରନ୍ତରେ ଏ ପ୍ରେମ ଅମର
ଯୁଗେ ଯୁଗେ ଅବତରୀ ।।୧୦।।

କଥା ରହୁ ସାର ଜଗତେ କେବଳ
ଦିନବନ୍ଧୁ ଦଇତାରି
ସର୍ବବ୍ୟାପି ତୁମେ ହେ ନୀଳମାଧବ
ପ୍ରାଣୀଙ୍କ କଲ୍ୟାଣ କାରି ।।୧୧।।

ତୁମେ ମୋ ଭାବର ଧାରା କଳାକାହ୍ନୁ
ମୁଁ ତୁମ ପିଆସି ରାଧା,
କୁଞ୍ଜବନ ଲାଗେ ନିଚ୍ଛକ ବିସ୍ପିତା
ତୁମ ବିନା ସବୁ ଅଧା ।।୧୨।।

ଅମରନାଥ ବାରିକ୍

କୟାଁ,ମଙ୍ଗଳପୁର, ଯାଜପୁର
୯୫୪୦୩୦୮୦୯୫

Leave A Reply

Your email address will not be published.