ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ

ଦିଲ୍ଲୀ (୮/୪):ଅଲଚିକି ଲିପିର ଶତବର୍ଷ ପୁର୍ତ୍ତି ପାଳନରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଫାଗୁନ (ମାସିକ ସାନ୍ତାଳୀ ଖବରକାଗଜ) ମିଳିତ ଆନୁକୂଲ୍ୟରେ ଦିଲ୍ଲୀର ଡ଼: ଆମ୍ବେଦକର ଇନ୍ତାରନେସନାଲ ଅଡିଟରୀୟମଠାରେ ଗତ ଫେବୃଆରୀ ୧୬ ରେ ଆୟୋଜିତ ହୋଇଥିଲା l ଶତବର୍ଷ ପାଳନ ଅବସର ରେ ଭାରତର ୧୦୦ ଜଣ ସାନ୍ତାଳୀ ଲେଖକ, ସଂଗଠକ, ସଙ୍ଘଠନ ଓ ପ୍ରସାରକଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମ୍ବର୍ଦ୍ଧିତ କରିଥିଲେ l ଏହି ଉତ୍ସବରେ ରାଉରକେଲାର ସାନ୍ତାଳୀ କବି, ଲେଖକ, ଅନୁବାଦକ ଓ ଚିତ୍ରାଶିଳ୍ପୀ ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଅନୁପସ୍ଥିତ ଥିବାରୁ ଗତ ୨୯ ତାରିଖରେ ଫାଗୁନ ପତ୍ରିକାର ସମ୍ପାଦକ ଶ୍ରୀ ମାଙ୍ଗାତ ମୁର୍ମୁ ଭୁବନେଶ୍ୱରର ଧଉଳି ଠାରେ ଶାଲ, ମାନ ପତ୍ର, ସଂସ୍କୃତି ବିଭାଗର ଅଲଚିକିର ଶତବାର୍ଷିକୀ ସ୍ମାରକୀ ଓ ପଣ୍ଡିତ ରଘୁନାଥ ମୁର୍ମୁ ଡାକ ଟିକଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l


ଶ୍ରୀ ରମେଶ ପାତ୍ର ୯ ଜୁଲାଇ ୧୯୫୮ ମସିହାରେ ମୟୁରଭଞ୍ଜ ଜିଲ୍ଲାର ବାହାଲଦାରୋଡ଼ ନିକଟସ୍ଥ ହେଁସଡା (ତାରଣା) ଗ୍ରାମରେ ଜନ୍ମିଥିଲେ l ୧୯୭୮ ମସିହାରୁ ସାନ୍ତାଳୀ ଭାଷାରେ ଲେଖିବାକୁ ଆରମ୍ଭ କରିଥିଲେ l ୨୦୦୬ ମସିହାରେ ଦୈନିକ ସମ୍ବାଦ ଖବରକାଗଜ ରେ ” ସମ୍ବାଦ ତାରାସ” ଅଲଚିକିରେ ସମ୍ପାଦନ କରି ଇତିହାସ ସୃଷ୍ଟି କରିଥିଲେ l ନିଜସ୍ୱ ସମ୍ପାଦନାରେ ଅଲଚିକି ଲିପିରେ “‘ ସାରଥି ” ସାହିତ୍ୟ ପତ୍ରିକା ପ୍ରକାଶ କରୁଛନ୍ତି l ରାଞ୍ଚିରୁ ପ୍ରକାଶିତ ” ଆଖଳା ” ପତ୍ରିକାରେ ସାନ୍ତାଳୀ ବିଭାଗର ସମ୍ପାଦନା କରିଛନ୍ତି l ତାଙ୍କର ପ୍ରଥମ ପୁସ୍ତକ ” ଅଲଚିକିର ଜନ୍ମଦାତା ” ( ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ) ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ୨୦୦୫ ମସିହାରେ ପ୍ରକାଶିତ ହୋଇଛି l ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରଥମ ସାନ୍ତାଳୀ ପୁସ୍ତକ ଶ୍ରୀ ଯଦୁମଣି ବେଶ୍ରାଙ୍କର “ଭାବନା ” ର ଓଡ଼ିଆ ଅନୁବାଦ ୨୦୨୧ ମସିହାରେ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଶ୍ରୀ ଗୌରହରି ଦାସଙ୍କ ନିଜ ସଂଗେ ନିଜର ଲଢେଇର ସାନ୍ତାଳୀ ଅନୁବାଦ ୨୦୨୩ ମସିହାରେ ପ୍ରକାଶିତ l ଏବର୍ଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାନ୍ତାଳୀ ନାଟକ ବିଦୂଚାନ୍ଦାନ ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆରେ ପ୍ରକାଶ ପାଇବ l ଶ୍ରୀ ପାତ୍ର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିଖିତ ଚାରିଟି ନାଟକ ଓ ଦୁଇଟି କାବ୍ୟକୁ ସାନ୍ତାଳୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି l ଦେଢଶହରୁ ଉର୍ଦ୍ଧ୍ୱ ସାନ୍ତାଳୀ କବିତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି l ବହୁ ଓଡ଼ିଆ କବିତା ଓ ଗଳ୍ପକୁ ସାନ୍ତାଳୀ ଭାଷାରେ ଅନୁବାଦ କରିଛନ୍ତି l ତାଙ୍କର ବହୁତ ଓଡ଼ିଆ ଓ ସାନ୍ତାଳୀ ମୌଳିକ ରଚନା ଏବଂ ଅନୁବାଦ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପ୍ରକାଶିତ ହେଉଛି l ଶ୍ରୀ ପାତ୍ର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି l
ରିପୋର୍ଟ-ସନାତନ ମହାକୁଡ଼

Comments are closed.