ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନ ୨ଟାରୁ ପୁଣି ରଥଟଣା

ବର୍ଷା ସାଜିଲା ବାଧକ

0

ଭୁବନେଶ୍ବର : ପବିତ୍ର ଅଶୋକାଷ୍ଟମୀରେ ଗୁରୁବାର ଭକ୍ତିମୟ ହୋଇଛି ଏକାମ୍ର କ୍ଷେତ୍ର। ଶିବଭକ୍ତିରେ ତଲ୍ଲୀନ ହୋଇଛନ୍ତି ଅଗଣିତ ଭକ୍ତ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥାରୂଢ଼ ହୋଇ ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ରୁକୁଣା ରଥ ଟାଣିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଥିଲା। ମନ୍ଦିର ପ୍ରଶାସନର ସ୍ବତନ୍ତ୍ର ନୀତିନିର୍ଘଣ୍ଟର ପ୍ରାୟ ୧ଘଣ୍ଟା ୧୫ମିନିଟ୍‌ ବିଳମ୍ବରେ ଅପରାହ୍ଣ ୩ଟା ୪୫ରେ ରଥଟଣା ଆରମ୍ଭ ହୋଇଥିଲା। କିନ୍ତୁ ରଥ ପାଦେ ଗଡ଼ିବା ପରେ ଆଉ ଆଗକୁ ଗଡ଼ିନଥିଲା। ଦୁଇଟି ରଥ ଦଉଡ଼ିରୁ ବାମପାଖ ରଥ ଦଉଡ଼ି ଛିଣ୍ଡି ଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଛିଣ୍ଡା ଦୌଡ଼ି କଢ଼ାଯାଇ ସାନି ଆଉ ଏକ ଦଉଡ଼ି ବନ୍ଧାଯିବା ପରେ ରଥଟଣା ହୋଇଥିଲା। ଦଉଡ଼ି ବଦଳାଇବାକୁ ପ୍ରାୟ ଅଧଘଣ୍ଟା ଲାଗିଥିଲା। ରଥ ଆଗକୁ ଗଡ଼ିବା ପୂର୍ବରୁ ବଡୁ ସାହିର ଏକ ଦୋକାନକୁ ମାଡ଼ି ଯାଇଥିଲା। ଖରଡ଼ା ସେବାୟତ ତାହାକୁ ହଟାଇବା ପରେ ରଥ ବଢ଼େଇବାଙ୍କ ଛକ ମୋଡ଼ ଦେଇ ରଥ ବାଟ କୂଅ ମୁହଁ ବଡୁ ସାହି ନିକଟରେ ପହଞ୍ଚିବା ପରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ପୁଣି ରଥଟଣା ହୋଇଥିଲା। ଜଣେ ସେବାୟତଙ୍କ ଘରକୁ ମାଡ଼ି ଯାଇଥିଲା। ସେଠାରୁ ଖରଡ଼ା ସେବାୟତ ରଥକୁ ସଳଖ କରିବା ପରେ ପୂଜାପଣ୍ଡା ନିଯୋଗ କାର୍ଯ୍ୟାଳୟ ଠାରେ ସନ୍ଧ୍ୟା ୬ଟା ୧୦ରେ ରଥଟଣା ବନ୍ଦ କରାଯାଇଥିଲା। ଆଜି ଅପରାହ୍ଣ ୨ଟାରୁ ପୁଣି ରଥଟଣା ହେବ।

ରୁକୁଣା ରଥଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା, ପ୍ରଭୁ ଦୋଳଗୋବିନ୍ଦ ରଥାରୂଢ଼ ହୋଇ ରାମେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ଭୋର ସାଢ଼େ୪ଟାରେ ମନ୍ଦିର ପହୁଡ଼ ଖୋଲି ଦିଅଁଙ୍କ ଅନ୍ୟାନ୍ୟ ନୀତି ହୋଇଥିଲା। ଭୋଗମଣ୍ଡପ ପରେ ଦିଅଁଙ୍କ ସାନି ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ମହାସ୍ନାନ ଓ ବେଶ ହେବା ପରେ ଯାତ୍ରା ପୂଜାରେ ପୂଜାପଣ୍ଡା ସେବାୟତଙ୍କ ଅନୁପସ୍ଥିତି ଓ ଦିଅଁ ବେଶ ମାରା ଯୋଗୁଁଁ ପ୍ରାୟ ୧ଘଣ୍ଟା ଦିଅଁଙ୍କ ନୀତିରେ ବିଳମ୍ବ ହୋଇଥିଲା। ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା ଦିଅଁ ଯାତ୍ରା ପୂଜା କରିବା ସମୟରେ ମହାସୁଆର ସେବାୟତଙ୍କ ଯୋଗୁଁ ଦିଅଁଙ୍କ ବେଶ ମାରା ହୋଇଥିଲା। ପରେ ସାନି ନୀତି କରାଯାଇଥିଲା। ଦିନ ୧୨ଟା୧୦ରେ ଦିଅଁଙ୍କ ପହଣ୍ଡି ଆରମ୍ଭ ହୋଇ ୧୨ଟା ୪୦ରେ ଦିଅଁ ରଥାରୂଢ଼ ହୋଇଥିଲେ। ରଥ ଉପରେ ଦିଅଁଙ୍କ ୧୧ ପୂଜା ପରେ ରଥଟଣା ହୋଇଥିଲା। ରଥ ଅପରାହ୍ଣରେ ଯେଉଁ ଜାଗାରେ ଅଟକିଥିଲା ସେଠାରେ ଦିଅଁଙ୍କ ଦ୍ବିପ୍ରହର ଧୂପ ହୋଇ ଅନ୍ୟାନ୍ୟ ନୀତି କରାଯାଇଥିଲା। ଖୋର୍ଦ୍ଧା ଜିଲାପାଳ ଅମୃତ ଋତୁରାଜଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ।

Leave A Reply

Your email address will not be published.