ନୟାଗଡ଼ (୨୩/୦୩): ରିପୋର୍ଟ-ସନାତନ ମହାକୁଡ଼ । ଓଡ଼ଗାଁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ପନ୍ଦରଟି କ୍ଲଷ୍ଟରରେ ନବମ ତଥା ଚଳିତ ଶିକ୍ଷାବର୍ଷର ଅନ୍ତିମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।କ୍ଲଷ୍ଟର୍ ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।କ୍ଲଷ୍ଟର୍ ସିଆରସିସି ମାନଙ୍କ ଦ୍ୱାରା ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳାଫଳ,ଗ୍ରୀଷ୍ମାବକାଶ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଘରୋଇ ଶିକ୍ଷାଦାନ ଓ ଆଗାମୀ ଶିକ୍ଷାବର୍ଷ ପାଇଁ ନୂତନ ନାମ ଲେଖା, ପ୍ରବେଶ ଉତ୍ସବ, ଖଡ଼ିଛୁଆଁ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା।ଏ ଅବସରରେ ମଶାବାରୀ କ୍ଲଷ୍ଟରର ବୈଠକ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ କୁରୁମବାଙ୍କତରାରେ ଅନୁଷ୍ଠିତ ହୋଇଥିଲା।ସିଆରସିସି ଯଶୋବନ୍ତ ପଟ୍ଟନାୟକ ବୈଠକ ପରିଚାଳନା କରିଥିବାବେଳେ ଦଶପଲ୍ଲା ଡିଭିଜନ ବନଖଣ୍ଡ ଅଧିକାରୀ ଆୟେଶା ଅଖତାରୀ ନିଶା,ମହାନଦୀ ବନ୍ୟପ୍ରାଣୀ ଡିଭିଜନ ନୟାଗଡ଼ର ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ଓ ଉଦ୍ୟାନକୄଷି ବିଭାଗ ନୟାଗଡ଼ର ଉପନିର୍ଦ୍ଦେଶକଙ୍କ ସମେତ ନୟାଗଡ଼ର ଲୋକପ୍ରିୟ ବେସରକାରୀ ଅନୁଷ୍ଠାନ “ସେବା” ର ସମ୍ପାଦକ ଉପସ୍ଥିତ ରହି ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ବୄକ୍ଷରୋପଣ,ଔଷଧୀୟ ବଗିଚା, ଫୁଲଫଳ ତଥା ତୁଳସୀ ବଗିଚା ଏବଂ ଖରାଦିନେ ପକ୍ଷୀମାନଙ୍କ ପାଇଁ ଜଳ ଯୋଗାଣ ବ୍ୟବସ୍ଥା କିପରି ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।ସର୍ବଶେଷରେ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସାରାଣୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।