ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।

ଭୁବନେଶ୍ୱର : ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭା କାର୍ଯ୍ୟକ୍ରମରେ କେନ୍ଦ୍ର ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।

ଡାକ୍ତର ପ୍ରଧାନଙ୍କୁ ଭାରତୀୟ ରାଜନୀତିର ଏକ ଦୀପ୍ତିମନ୍ତ ମୂଳାଧାର ସ୍ତମ୍ଭ ବୋଲି ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଥିବା ବେଳେ ତାଙ୍କୁ ଓଡ଼ିଶାର ଜଣେ ସ୍ଥିତପ୍ରଜ୍ଞ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ବର୍ଣ୍ଣନା କରିଥିଲେ ।

ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ ସହଜତା, ସରଳତା ଓ ସଠିକ୍ ଭାବ ଡାକ୍ତର ପ୍ରଧାନଙ୍କ କାର୍ଯ୍ୟରେ ପରିଲକ୍ଷିତ ହେଉଥିଲା। ଖୁବ୍‌ କମ୍ ସମୟ ପାଇଁ ହେଉ ମଧ୍ୟ ତାଙ୍କ ସହିତ ଉଦ୍‌ବୁଦ୍ଧ ଭାବେ କାମ କରିବାର ସୁଯୋଗ ପାଇଛି ଆଉ ଏହା ମଧ୍ୟ ଜାଣିଛି ଯେ, କହିବା ଏବଂ କରିବା ଏହି ଦୁଇଟି କାର୍ଯ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖୁଥିବା ମଣିଷ ଥିଲେ ଡାକ୍ତର ପ୍ରଧାନ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବିନମ୍ରତା ଓ ଆତ୍ମୀୟଭାବ ଥିଲା ଡାକ୍ତର ପ୍ରଧାନଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ଆକର୍ଷଣ ।

ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ପ୍ରତି ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ ଏବଂ ଆଚରଣ ତଥା ଉଚ୍ଚାରଣରେ ଏହା ତାଙ୍କ ଠାରେ ସର୍ବଦା ପ୍ରତିଫଳିତ ହେଉଥିଲା। କେବଳ ଜଣେ ରାଜନେତା ନୁହେଁ, ଜଣେ ଉତ୍ତମ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ହିଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ମଜବୁତ୍ କରିବାରେ ମୁଖ୍ୟ ସୂତ୍ରଧର ସାଜିଥିଲା । ସେ ଥିଲେ ଆମ ସମସ୍ତଙ୍କ ପାଇଁ ଏକ ଅଫୁରନ୍ତ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ।

ଏହି ଅବସରରେ ଲେଖକ କାଳିନ୍ଦି ସାମଲଙ୍କ ଦ୍ୱାରା ରଚିତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଡାକ୍ତର ବାବୁ’କୁ କେନ୍ଦ୍ର ରକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି କଟକର ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଦେଶର ଅନେକ ପ୍ରମୁଖ ନେତୃବୃନ୍ଦ ଡାକ୍ତର ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଶ୍ରୀ ମନମୋହନ ସାମଲ ଏବଂ ଓଡ଼ିଶାର ବରିଷ୍ଠ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments are closed.