ସ୍ୱଦେଶୀ ଆତ୍ମଘାତୀ ଡ୍ରୋନ୍ ତିଆରି କରୁଛି ଭାରତ, ଶତ୍ରୁ ପାଖକୁ ଯାଇ କରିବ ଆକ୍ରମଣ

ନୂଆଦିଲ୍ଲୀ : ପଶ୍ଚିମ ଏସିଆ ଓ ୟୁରୋପରେ ଯୁଦ୍ଧରେ ଶସ୍ତା ଓ ଦୂରଗାମୀ ଡ୍ରୋନ୍‌ର ସାମର୍ଥ୍ୟ ପ୍ରମାଣିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ଚୁପ୍‌ଚାପ୍‌ ପାଇଲଟ୍-ରହିତ ଘାତକ ଅସ୍ତ୍ରର ଭଣ୍ଡାର ପ୍ରସ୍ତୁତ କରୁଛି । ବର୍ତ୍ତମାନ ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରଶସ୍ତ୍ରର ଉପଯୋଗ ସର୍ବକାଳୀନ ସର୍ବାଧିକ ସ୍ତରରେ ଥିବାବେଳେ ଭାରତ ଚୁପ୍‌ଚାପ ଏକ ସ୍ୱଦେଶୀ ଅସ୍ତ୍ର ପ୍ରସ୍ତୁତି କରୁଛି, ଯାହାର ନାଁ ‘ଶେଷନାଗ୧୫୦’ । ଏହା ଏକ ଲମ୍ବା ଦୂରଗାମୀ ଆତ୍ମଘାତୀ ଡ୍ରୋନ୍, ଯାହା ଶତ୍ରୁ ପାଖକୁ ଯାଇ ଆକ୍ରମଣ କରେ ।

ଯୁଦ୍ଧର ଏକ ନୂଆ ଶୈଳୀରେ ଭାରତର ପ୍ରବେଶର ଏହା ପ୍ରତୀକ, ଯାହା ବିଶ୍ୱସ୍ତରରେ ଯୁଦ୍ଧ ପୃଷ୍ଠଭୂମିକୁ ପରିବର୍ତ୍ତନ କରୁଛି । ଏହା ଶତ ପ୍ରତିଶତ ସଠିକ୍ ଆକ୍ରମଣ ଶୈଳୀ, ଯାହା ଅପେକ୍ଷାକୃତ ଶସ୍ତା, ବ୍ୟବହାରଯୋଗ୍ୟ ଓ ମାନବ-ରହିତ ଡ୍ରୋନ୍ ଦ୍ୱାରା କରାଯାଏ । ଶେଷନାଗ-୧୫୦ ଏକ ଲମ୍ବା ଦୂରଗାମୀ ଯୁଦ୍ଧାସ୍ତ୍ର, ଯାହା ‘ଆତ୍ମଘାତୀ ଡ୍ରୋନ୍’ ବା ‘କାମିକେଜ ଡ୍ରୋନ୍’ ଭାବେ ପରିଚିତ । ପାରମ୍ପରିକ ମିସାଇଲ ଏକ ସ୍ଥିର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ଗତି କରନ୍ତି । ଶେଷନାଗ-୧୫୦ ଲକ୍ଷ୍ୟସ୍ଥଳ ସ୍ଥିର କରି ତାକୁ ଧ୍ୱସ୍ତ କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳ ଉପରେ ଘୂରିବୁଲେ ।

ଶେଷନାଗ ନାଁ ସହ ଯୋଡ଼ି ହୋଇଥିବା ‘୧୫୦’ ଏହାର ବେଗକୁ ଦର୍ଶାଉଛି । ଭୂପୃଷ୍ଠରୁ ଶକ୍ତି ଓ ପାଇଲଟ୍‌ଙ୍କ ଜୀବନକୁ ବିପଦରେ ନ ପକାଇ ଏହା ଶତ୍ରୁ ସୀମା ଭିତରେ ପ୍ରବେଶ କରି ଲକ୍ଷ୍ୟସ୍ଥଳକୁ ନଷ୍ଟ କରେ । ଶେଷନାଗ୧୫୦ର ବେଗ ୧୦୦୦ କିମି । ପ୍ରାୟ ୪୦ କିଲୋ ବିସ୍ଫୋରକ ସହ ଏହା ଉଡ଼ିପାରେ । ଟ୍ୟାଙ୍କ୍, ଏଡିଏସ୍, ବଙ୍କର ଭଳି ଲକ୍ଷ୍ୟକୁ ଧ୍ୱସ୍ତ କରିବା ପାଇଁ ଏହି ବିସ୍ଫୋରକ ପର୍ଯ୍ୟାପ୍ତ । ବେଙ୍ଗାଲୁରୁ ସ୍ଥିତ ପ୍ରତିରକ୍ଷା ଷ୍ଟାର୍ଟଅପ୍ ନ୍ୟୁସ୍ପେସ୍ ରିସର୍ଚ୍ଚ ଟେକ୍ନୋଲୋଜିସ୍ ଏହାକୁ ଡିଜାଇନ୍ ଓ ପ୍ରସ୍ତୁତ କରିଛି । ଶେଷନାଗ-୧୫୦ରେ ଭିଜୁଆଲ ନାଭିଗେସନ୍ ଓ ଉନ୍ନତ ନିୟନ୍ତ୍ରଣ ସଫ୍ଟୱେର ରହିଛି । ଜିପିଏସ୍ ସିଗ୍ନାଲ ଜାମ୍ ହେଲେ ମଧ୍ୟ ଏହା କାମ କରେ । ଏହାର ସଠିକତା ପ୍ରାୟ ୫-ମିଟର ସିଇପି, ଯାହା କିଛି କ୍ରୁଜ୍ ମିସାଇଲର ସଠିକତା ହାର ସହ ତୁଳନୀୟ ।

ଭାରତ ଅନ୍ୟତମ ଡ୍ରୋନ୍ ହେଉଛି ‘ପ୍ରୋଜେକ୍ଟ କାଲ୍’ । ଏହା ଏକ ସ୍ୱଦେଶୀ ଲମ୍ବା ଦୂରଗାମୀ ଡ୍ରୋନ୍ ପ୍ଲାଟ୍‌ଫର୍ମ, ଯାହାର ବିକାଶ ଏବେ ପ୍ରଥମ ପର୍ଯ୍ୟାୟରେ । ଏହାର ଆନୁମାନିକ ବେଗ ୧୦୦୦ କିମି ଯାଏ ଏବଂ କ୍ଷମତା ୩-୪ ଘଣ୍ଟା କରିବାର ଯୋଜନା ରହିଛି । ଯୁଦ୍ଧ ସ୍ଥିତିରେ ଏହା ଟାର୍ଗେଟ୍ ଭିତରକୁ ଯାଇ ଲଜିଷ୍ଟିକ୍ ହବ୍, ରାଡାର ଓ ଅନ୍ୟ ମୂଲ୍ୟବାନ ସାମରିକ ଭଣ୍ଡାର ଉପରେ ଆକ୍ରମଣ କରିପାରେ । ଆଇଜି ଡିଫେନ୍ସ ଏବେ ଉନ୍ନତ ଓ ପାଇଲଟ୍-ରହିତ ସାମରିକ ଟେକ୍ନୋଲୋଜି ଉପରେ ଫୋକସ୍ କରୁଛି । ଏହି ପ୍ରୋଜେକ୍ଟ ଭାରତକୁ ଲମ୍ବା ଦୂରଗାମୀ ଆତ୍ମଘାତୀ ଡ୍ରୋନ୍ ନିର୍ମାଣ କରୁଥିବା ହାତଗଣତି ଦେଶଙ୍କ ମଧ୍ୟରେ ସାମିଲ କରିବ । ପ୍ରୋଜେକ୍ଟ କାଲ୍ ଭାରତର ରକ୍ଷା କ୍ଷମତାକୁ ମଜଭୁତ କରିବ । ପଡ଼ୋଶୀ ଦେଶ ପ୍ରତି ବିପଦ ସମୟରେ ଭାରତକୁ ଆଉ ମହଙ୍ଗା ଯୁଦ୍ଧାସ୍ତ୍ର କିମ୍ବା ବିଦେଶୀ ଡ୍ରୋନ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଶସ୍ତା ଓ ପ୍ରଭାବଶାଳୀ ଡ୍ରୋନ୍ ସାହାଯ୍ୟରେ ଭାରତ ଶତ୍ରୁ ଉପରେ ଚାପ ପକାଇ ପାରିବ । ଆଗାମୀ ଦିନରେ ଏଭଳି ଡ୍ରୋନ୍ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

Comments are closed.