ବଢ଼ୁଛି ବୈତରଣୀ : ବିପଦରେ ୯ ପଞ୍ଚାୟତ

ଦଶରଥପୁର: ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ବୈତରଣୀ ଫୁଲିବାରେ ଲାଗିଛି। ଆଖୁଆପଦାଠାରେ ବୈତରଣୀର ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଜଳସ୍ତର ୧୭.୭୯ ମିଟର ରହିଛି। ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାରେ ବର୍ଷା ପରିମାଣ କିଛିଟା କମିଛି। ତଥାପି ରାତିରେ ବୈତରଣୀ ବିପଦସଂକେତ ଅତିକ୍ରମ କରିବା ଆଶଙ୍କା କରାଯାଉଛି। ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଲେ ଯାଜପୁର ଜିଲ୍ଲାର ଦଶରଥପୁର ପ୍ରତି ବିପଦ ଆଣିବ। ବିଶେଷ କରି ଗତ ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି। ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି।ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ଗତକାଲି ବୈତରଣୀ ନଦୀବନ୍ଧର ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା। ଜଳସେଚନ ବିଭାଗ ପକ୍ଷରୁ ଧସିଥିବା ସ୍ଥାନରେ ଜେସିବି ବ୍ୟବହାର ସହ ବଲ୍ଲା ପୋତାଯାଇ ମରାମତି କାର୍ଯ୍ୟ କରାଯାଉଛି। ବର୍ତ୍ତମାନ କେବଳ ୫୦ ଫୁଟ ମଧ୍ୟରେ ବଲ୍ଲା ପୋତାଯାଇଛି। ଯାହାକି ବନ୍ୟାପାଣିକୁ ଅଟକାଇବାରେ ସକ୍ଷମ ହେବନାହିଁ ବୋଲି କୁହାଯାଉଛି। ନଦୀର ଜଳସ୍ତର ବଢ଼ୁଥିବା ଯୋଗୁଁ ମରାମତି କାର୍ଯ୍ୟରେ ବାଧା ଉପୁଜିଛି। ଆଜି ରାତିରେ ଦଶରଥପୁର ବ୍ଲକରେ ବନ୍ୟାଜଳ ପହଞ୍ଚିବା ଆଶଙ୍କା ରହିଛି। ହେଲେ ମରାମତି କାର୍ଯ୍ୟ ଶେଷ ହୋଇପାରିନଥିବାରୁ ବଳରାମପୁର ଠାରେ ଧସିଥିବା ସ୍ଥାନରେ ଘାଇ ହୋଇଯିବାର ଆଶଙ୍କା ରହିଛି। ଧସିଥିବା ବନ୍ଧ ନିକଟରେ କମାରଡିହି ପଞ୍ଚାୟତର ବଳରାମପୁର, କୟାଁ ପଞ୍ଚାୟତର ଇଚ୍ଛାପୁର, ଗୁଣଣ୍ଠୁଣିପାଡା, କୟାଁ, ଲକ୍ଷ୍ମୀପୁର, ନିଜାମପୁରର ନୂଆପାଟଣା ଆଦି ଗାଁ ରହିଛି। ବ୍ଲକ୍‌ର କୟାଁ, କମାରଡିହି, ଖାନନଗର, ନିଜାମପୁର, ଦତ୍ତପୁର, ଦୁଦୁରାଅନ୍ତା, ଥାଲକୁଡି, ବିରିପଟା, ପାଲଟପୁର, ଜାଫରପୁର ଆଦି ପଞ୍ଚାୟତ ପ୍ରତି ବନ୍ୟା ବିପଦ ରହିଛି। ସୂଚନା ଅନୁସାରେ ଧସିଥିବା ସ୍ଥାନରେ ବୈତରଣୀ ନଦୀ ମୋଡ଼ ବଦଳାଇଛି। ଏଣୁ ବନ୍ୟାଜଳ ଆସିଲେ ସିଧା ବନ୍ଧରେ ମାଡ଼ ହେବ। ଏଣୁ ବନ୍ୟାଜଳ ଆସିଲେ ସିଧା ବନ୍ଧରେ ମାଡ଼ ହେବ।  ଆଜି ରାତିରେ ବୈତରଣୀ ବିପଦ ସଂକେତ ଅତିକ୍ରମ କରିବାର ଆଶଙ୍କା ରହିଛି ବୋଲି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସ କହିଛନ୍ତି।

Comments are closed.