ସହଦେବଖୁଣ୍ଟା ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସର ୪୬ ଦୋକାନ ଘର ଆବଣ୍ଟନ ହେଲା

ଦୀର୍ଘ ଅପେକ୍ଷାର ହେଲା ଅନ୍ତ: ସ୍ଥାୟୀ ଜୀବିକାର ନୂଆ ଠିକଣା ପାଇଲେ ବ୍ୟବସାୟୀ

0
ବାଲେଶ୍ୱର, ୧୧ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ ସମୟରେ ପ୍ରଭାବିତ ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ନିର୍ମିତ ସହଦେବଖୁଣ୍ଟା ମାର୍କେଟ କମ୍ପ୍ଲେକ୍ସର ୪୬ଟି ଦୋକାନ ଘର ଆଜି ଆବଣ୍ଟନ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସରେ ଆଞ୍ଚଳିକ ପରିବହନ ବିଭାଗର ସହଯୋଗରେ ହିତାଧିକାରୀ ଚୟନ ପରେ ଦୋକାନ ଘରଗୁଡ଼ିକ ବଣ୍ଟନ କରାଯାଇଥିଲା।
ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ୪୬ ଜଣ ହିତାଧିକାରୀଙ୍କୁ ଦୋକାନ ଘରର ଚୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଦୀର୍ଘ ବର୍ଷ ଧରି ରାସ୍ତାକଡ଼ରେ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନେ ଏବେ ସ୍ଥାୟୀ ଓ ସୁରକ୍ଷିତ ପରିବେଶରେ ବ୍ୟବସାୟ କରିପାରିବେ। ଏହା ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ସାମାଜିକ ସମ୍ମାନ ବୃଦ୍ଧିରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଉପସ୍ଥିତ ରହି ନୂତନ ଦୋକାନ ଘର ପାଇଥିବା ବ୍ୟବସାୟୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ବ୍ୟବସାୟିକ ସଫଳତା କାମନା କରିଥିଲେ।
ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ୟାମଳେନ୍ଦୁ ରାଉତ ସଭାରେ ପୌରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପୌର ପରିଷଦରେ ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ଉମାକାନ୍ତ ଶତପଥୀ, କାଉନସିଲର ନିରୂପମା ଦାଶ, ଦେବାଶିଷ ସିଂ ଏବଂ ରାଧାକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ସହଦେବଖୁଣ୍ଟା ବସଷ୍ଟାଣ୍ଡର ପୁନର୍ବିକାଶ କାର୍ଯ୍ୟ ସମୟରେ ପ୍ରଭାବିତ ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପୁନର୍ବାସ ଓ ଜୀବିକା ସୁରକ୍ଷା ଉଦ୍ଦେଶ୍ୟରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା।
Leave A Reply

Your email address will not be published.