ବାଲେଶ୍ୱର ସାଇବର ସେଲ୍ ପକ୍ଷରୁ ଉଦ୍ଧାର ହୋଇଥିବା ୩୫ଟି ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ହେଲା

0
ବାଲେଶ୍ୱର, ୩/୫(କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ପୋଲିସର ସାଇବର ସେଲ୍ ବିଭିନ୍ନ ସମୟରେ ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ୩୫ଟି ମୋବାଇଲ୍ ଫୋନ୍ ଉଦ୍ଧାର କରି ସେଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇଛି।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବଜ୍ୟୋତି ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସିଇଆଇଆର ପୋର୍ଟାଲ ମାଧ୍ୟମରେ ଏହି ଫୋନ୍ ଗୁଡିକୁ ଟ୍ରାକ୍ କରାଯାଇଥିଲା।
ଶ୍ରୀ ଦାଶଙ୍କ ଅନୁଯାୟୀ ଆହୁରି ଅନେକ ମୋବାଇଲ୍ ବର୍ତ୍ତମାନ ଟ୍ରାକିଂ ପ୍ରକ୍ରିୟାରେ ରହିଛି। ଆଗାମୀ ଦିନରେ ସେଗୁଡିକ ମଧ୍ୟ ଉଦ୍ଧାର କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯିବ। ସେ ସାଧାରଣ ଲୋକଙ୍କୁ ସିଇଆଇଆର ପୋର୍ଟାଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପୋର୍ଟାଲରେ ପଞ୍ଜୀକରଣ କଲେ ହଜିଥିବା ମୋବାଇଲକୁ ବ୍ଲକ୍ ଓ ଟ୍ରେସ୍ କରିହେବ। ଏହା ଫୋନର ଅପବ୍ୟବହାର ରୋକିବାରେ ମଧ୍ୟ ସହାୟକ ହେବ।
ମୋବାଇଲ୍ ଫେରିପାଇ ଗ୍ରାହକମାନେ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି। ବିଭିନ୍ନ ସ୍ଥାନ ଓ ସମୟରେ ଏହି ଫୋନ୍ ଗୁଡିକ ଚୋରି ହୋଇଥିବା ମାଲିକମାନେ ଜଣାଇଛନ୍ତି। ସାଇବର୍ ଥାନା ଅଧିକାରୀ ମୀନା ବିନ୍ଧାଣୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
Leave A Reply

Your email address will not be published.