୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ବାର୍ହା ସହିତ ଲଢ଼ି ପ୍ରାଣ ହରାଇଲେ ମହିଳା

କୋର୍‌ବା: ୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ଛତିଶଗଡ଼ର କୋର୍‌ବା ଜିଲ୍ଲାର ଗୋଟାଏ ବିଲରେ ଜଣେ ସାହସିନୀ ମହିଳା ଗୋଟାଏ ଜଙ୍ଗଲୀ ବାର୍ହା ସହିତ ଲଢ଼େଇ କରି ପ୍ରାଣ ହରାଇଥିବା କଥା ଆଜି ବନ ବିଭାଗ ଅଧିକାରୀମାନେ କହିଛନ୍ତି।

ବାର୍ହା ସହିତ ମୁକାବିଲା କରି ସାଙ୍ଘାତିକ ଆହତ ହୋଇଥିବା ମହିଳାଜଣ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ତାଙ୍କ ଝିଅଟି କିନ୍ତୁ, ଅକ୍ଷତ ଅଛି ବୋଲି ସେମାନେ କହିଛନ୍ତି।

ପାସାନ୍‌ ଫରେଷ୍ଟ୍‌ ରେଞ୍ଜ୍‌ର ଅଧିକାରୀ ରାମନିବାସ ଦହାୟତ୍‌ କହିଛନ୍ତି, ଦୁବଶିୟା ବାଈ ନାମ‌ରେ ୪୫ ବର୍ଷୀୟ ମହିଳା ଏବଂ ତାଙ୍କ ୧୧ ବର୍ଷୀୟ ଝିଅ ରିଙ୍କି ମାଟି ଆଣିବା ଲାଗି ପାଖ ବିଲକୁ ଯାଇଥିବା ବେଳେ ରବିବାର ଦିନ ପାସାନ୍‌ ଥାନା ଅନ୍ତର୍ଗତ ତେଲିୟାମାର୍‌ ଗ୍ରାମରେ ଘଟଣାଟି ଘଟିଛି।

ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ଦୁବଶିୟା ଗଇନ୍ତିରେ ମାଟି ଖୋଳୁଥିବା ବେଳେ ହଠାତ୍‌ କୁଆଡୁ ଗୋଟାଏ ବାର୍ହା ଆସି ଝିଅକୁ ଆକ୍ରମଣ କରିବାକୁ ଝପଟିଗଲା। ଏହା ଦେଖି ମାଆ ଦୁବଶିୟା ଝିଅକୁ ବଞ୍ଚାଇବା ଲାଗି ବର୍ହାକୁ ଗଇନ୍ତିରେ ଆକ୍ରମଣ କଲେ। ଏହି ଲଢ଼େଇରେ ଦୁବଶିୟା ସେ ବାର୍ହାକୁ ମାରି ଦେଲେ ସତ, କିନ୍ତୁ ବାର୍ହା ଆଘାତରେ ସାଙ୍ଘାତିକ କ୍ଷତବିକ୍ଷତ ହୋଇଥିବାରୁ ତାଙ୍କର ବି ମୃତ୍ୟୁ ଘଟିଲା।

କିନ୍ତୁ, ଝିଅଟିର କୌଣସି କ୍ଷତି ହୋଇ ନ ଥିବା କଥା ପୁଲିସ ଅଧିକାରୀଜଣକ କହିଛନ୍ତି।

ଘଟଣା ସଂକ୍ରାନ୍ତରେ ଖବର ପାଇବା ପରେ ବନ୍ୟ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁବଶିୟାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ତ୍ବରିତ ଅନୁକମ୍ପାମୂଳକ ସହାୟତା ଭାବେ ପୀଡ଼ିତାଙ୍କ ପରିବାରକୁ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଛି। ବାକି ୫ ଲକ୍ଷ ୭୫ ହଜାର ଟଙ୍କା ଆବଶ୍ୟକ କାଗଜପତ୍ର କାର୍ଯ୍ୟ ଶେଷ‌ ହେଲେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Comments are closed.