ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଗଜପତି,୨୮।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷାରେ ପ୍ରଭାବିତ ଅଞ୍ଚଳ ତଥା ବିଭିନ୍ନ ବ୍ଲକ୍‌ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ସେ ବାତ୍ୟା ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଆଶ୍ରୟସ୍ଥଳୀଗୁଡ଼ିକରେ ରହିଥିବା ମୌଳିକ ସୁବିଧାର ସମୀକ୍ଷା କରିଥିଲେ।ମନ୍ତ୍ରୀ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷା, ରହିବା ବ୍ୟବସ୍ଥା, ଖାଦ୍ୟପେୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବିପର୍ଯ୍ୟୟ ସମୟରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।ବିଶେଷକରି ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଅନ୍ୟାନ୍ୟ ଅସହାୟ ଲୋକଙ୍କ ସୁରକ୍ଷା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ।ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାପଡିଛି। ଆବଶ୍ୟକ ସ୍ଥଳେ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଜରୁରୀକାଳୀନ ସେବା ଯୋଗାଇଦେବାକୁ ପ୍ରାଧାନ୍ୟ ଦେଇଥିଲେ।ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ମନ୍ତ୍ରୀଙ୍କ ଏହି କ୍ଷେତ୍ର ପରିଦର୍ଶନ ବିପର୍ଯ୍ୟୟ ପରିଚାଳନାରେ ପ୍ରଶାସନିକ ଗୁରୁତ୍ୱ ବହନ କରୁଛି। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଜିଲ୍ଲାର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.