ଜିଲା ଦାବିରେ ଆଠଗଡ ବନ୍ଦ ସଫଳ, ଜୀବନଯାତ୍ରା ପ୍ରଭାବିତ

ଆଠଗଡ: ଆଠଗଡକୁ ଜିଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଗୁରୁବାର ଡାକରା ଦିଆଯାଇଥିବା ବାରଘଣ୍ଟିଆ ଆଠଗଡ ବନ୍ଦ ସଫଳ ହୋଇଛି । ଗତକାଲିଠାରୁ ସମସ୍ତ ବଜାର କମିଟିର କର୍ମକର୍ତ୍ତା ଓ ବ୍ୟବସାୟୀମାନଙ୍କୁ ବନ୍ଦକୁ ସମର୍ଥନ କରି ଦୋକାନବଜାର ବନ୍ଦରଖିବାକୁ ନିବେଦନ କରିଥିଲେ। କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଆଠଗଡ ମଧ୍ୟ ଦେଇ ଯାଇଥିବା ସମସ୍ତ ମୁଖ୍ୟ ରାସ୍ତାଗୁଡ଼ିକର ବିଭିନ୍ନ ଛକ ସ୍ଥାନରେ ସକାଳେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଆଠଗଡ ସହରର ସମସ୍ତ ଦୋକାନ ବଜାର, ୪ ଚକିଆ ଓ ଭାରିଯାନ ଚଳାଚଳ ବନ୍ଦ ରହିଥିଲା। ସେହିପରି ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ସମ୍ମୁଖରେ ଆନ୍ଦୋଳନକାରୀ ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ କେବଳ ସରକାରୀ କାର୍ୟ୍ୟାଳୟ ଓ କେତେକ ବ୍ୟାଙ୍କକୁ ଛାଡିଦେଲେ ଅନ୍ୟ ସବୁ ବନ୍ଦ ରହିଥିଲା। ଏହି ବନ୍ଦ ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା ।

ଲୋକସଂଖ୍ୟା, ଆୟତନ ଓ ଜିଲା ମୁଖ୍ୟଦପ୍ତର ଠାରୁ ଆଠଗଡ ଉପଖଣ୍ଡର ନରସିଂହପୁର ପର୍ୟ୍ୟନ୍ତ ଦୂରତା ଦୃଷ୍ଟିରୁ ଆଠଗଡକୁ ଜିଲା ମାନ୍ୟତା ଦାବି ଯଥାର୍ଥତା ରହିଛି ବୋଲି କମିଟିର କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ପଦ୍ମପୁରକୁ ଜିଲାର ମାନ୍ୟତା ଦେବାର ପ୍ରତିଶୃତି ଦେବା ପରେ ପରେ ଆଠଗଡକୁ ଜିଲା ଘୋଷଣା ଦାବି କରାଯାଇ ଆସୁଛି। ଗତ ଅକ୍ଟୋବର ୩୦ ତାରଖରୁ ଆଠଗଡକୁ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହୋତ୍ସବ ପଡିଆ ସମ୍ମୁଖରେ ପ୍ରତିଦିନ ୩ ଘଣ୍ଟା ଲେଖାଏଁ ଶାନ୍ତିପୂର୍ଣ୍ଣ ଧାରଣା କାର୍ୟ୍ୟକ୍ରମ ଆଜି ପର୍ୟ୍ୟନ୍ତ ନିରବଛିନ୍ନ ଭାବେ ଜାରି ରହିଛି। ଏହି ଦାବିକୁ ଆହୁରି ଶାଣିତ କରିବା ଲାଗି କମିଟି ପକ୍ଷରୁ ଆଠଗଡ ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରାଣକୃଷ୍ଣ ଦାଶ ଓ ସଂଯୋଜକ ଫଣୀଭୂଷଣ ରଥଙ୍କ ନେତୃତ୍ୱରେ ଏହି ଆଠଗଡ ବନ୍ଦ ସଫଳ ହୋଇଥିଲା, କମିଟିର ଆବାହକ ଲଲାଟେନ୍ଦୁ ସେନାପତି, ସମ୍ପାଦକ ଜଗଦାନନ୍ଦ ତ୍ରିପାଠୀ, ଉପସଭାପତି ସୁରେଶ ଚନ୍ଦ୍ର ପରିଡା, ଯୁଗ୍ମ ସମ୍ପାଦକ ବିଜୟ ପରିଡା, କାର୍ୟ୍ୟକାରୀ ସମ୍ପାଦକ ପ୍ରିୟବ୍ରତ ଦାସ, ସଭ୍ୟ ପ୍ରକାଶ କୁମାର ସେଠୀ, ମାନସ ପଟ୍ଟନାୟକ, ନୂତନ ରାଉତ, ତପନ ଲେଙ୍କା, ନବ କିଶୋର ନାୟକଙ୍କ ସମେତ ବହୁ ସଦସ୍ୟ ଓ ସମର୍ଥକ ଚାନ୍ଦବାଲି ଛକ ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଫଳରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ବଜାର କମିଟି ଓ ବ୍ୟବସାୟୀଙ୍କ ସ୍ଵତଃସ୍ଫୁର୍ତ୍ତ ସମର୍ଥନ ମିଳିବା ଫଳରେ ଆଠଗଡ ବନ୍ଦ ସଫଳ ହୋଇଥିଲା ଶେଷରେ ବିଜେପି ନେତା ଅଭୟ କୁମାର ବାରିକ ଆସି ଆଠଗଡ ବନ୍ଦକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଶାନ୍ତିପୂର୍ଣ ଭାବେ ଆଠଗଡ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଠଗଡ ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ବରେ ବହୁ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ସ୍ଥାନରେ ମୃତୟନ ହୋଇଥିଲେ।

Comments are closed.