ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର୍‌, ୫ ଦିନରେ ୩୮ ଲକ୍ଷ ଟଙ୍କାର ଧଳା ଜହର ଜବତ, ୧୦ ଗିରଫ

ଜଗତସିଂହପୁର ଟାଉନ୍: ଯେତେ ଧରପଗଡ଼ ଚାଲୁଛି ସେତେ ବାହାରୁଛି। ପୂରା ଜିଲ୍ଲାରେ ଛାଇଗଲାଣି ବ୍ରାଉନ୍‌ସୁଗାର କାରବାର । ପ୍ରତିଦିନ କେଉଁଠୁ ନା କେଉଁଠୁ ଚଢ଼ଉ ବେଳେ ମିଳୁଛି ଧଳାଜହର। ଅବକାରୀ ଓ ପୁଲିସ ଏକପ୍ରକାର ଆକ୍ସନ୍‌ମୁଡ୍‌କୁ ରହି ୫ ଦିନ ଭିତରେ ୩୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ଓ ୧୦ ଜଣଙ୍କୁ ଗିରଫ କରିବା ଘଟଣା ଏହି କାରବାରର ବ୍ୟାପକତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କିନ୍ତୁ ନିଶା ବେପାର ଥମୁନାହିଁ। ବିଶେଷ କରି ଛାତ୍ର ଓ ଉଚ୍ଚ ଶିକ୍ଷିତ ଯୁବ ଗୋଷ୍ଠୀ ନିଶା ବ୍ୟବହାର କରି ଅବାଟରେ ପଡ଼ିଛନ୍ତି। ବ୍ରାଉନସୁଗାର ପାଇଁ ପାଗଳ ହୋଇ ଯାଉଛନ୍ତି। ଅନ୍ୟପକ୍ଷରେ ଜଗତସିଂହପୁରକୁ ଧଳାଜହର କେଉଁଠୁ ଆସୁଛି? ତେବେ ଏହି ଧଳାଜହର ଯୋଗାଉଥିବା ମାଫିଆମାନେ କିଏ? ସେ ସମ୍ପର୍କରେ କିନ୍ତୁ ଟେର୍ ପାଇପାରୁନି ତଦନ୍ତକାରୀ ଟିମ୍। କେବଳ ଛୋଟ ମାଛକୁ ଧରି ଦେଇ ଖୁସ୍। ଜବତ ବ୍ରାଉନସୁଗାର ବିକ୍ରି ବାବଦ ଅର୍ଥ କୁଆଡ଼େ ଯାଉଛି, ବେପାରୀ କେଉଁଠି ରଖୁଛନ୍ତି? ସେ ସମ୍ପର୍କରେ ସୁରାକ୍ ପାଇପାରୁ ନାହାନ୍ତି ତଦନ୍ତକାରୀ ଟିମ୍।

ବ୍ରାଉନସୁଗାର ସହ ବିକ୍ରି ଅର୍ଥ ମିଳିଲେ ମାମଲା ଆହୁରି ଦୃଢ଼ ହୋଇପାରିବ ବୋଲି ତଥ୍ୟାଭିଜ୍ଞମାନେ ମତ ଦେଇଛନ୍ତି। ସୂଚନା ଅନୁସାରେ, ଗତ ୨୩ ତାରିଖରେ ଜଗତସିଂହପୁର ଅବକାରୀ ଥାନା ଗୋପାଳସାଗର ଅଞ୍ଚଳରେ ଚଢ଼ଉ କରି ପ୍ରଭାକର ଗୋଚ୍ଛାୟତ ନାମକ ୬୭ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିବା ସହ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ସେହିପରି ଅବକାରୀ ଟିମ୍ ୧୯ ତାରିଖରେ ସିଙ୍ଗିପୁର ଅଞ୍ଚଳରେ ଚଢ଼ଉ କରି ରତ୍ନାକର ସାହୁକୁ ଗିରଫ କରିବା ସହ ପ୍ରାୟ ୧୧ ଲକ୍ଷ ଟଙ୍କା ମୂଲ୍ୟର ୧୧୨ ଗ୍ରାମ ଧଳାଜହର ଜବତ କରିଥିଲା। ୨୨ ତାରିଖରେ ଜଗତସିଂହପୁର ଥାନା ପୁଲିସ ହାଟ ବଜାରରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବା ସହ ଦେଢ଼ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ପୁଲିସ ୨୩ ତାରିଖରେ ସାଁପୁର ଅଞ୍ଚଳରେ ଚଢ଼ଉ କରି ଜଣେ ବେପାରୀଙ୍କୁ ଗିରଫ କରିଥିଲା।

ଲୁନାରେ ବିକ୍ରି, ୫୫ ଗ୍ରାମ ଧଳା ଜହର ଜବତ
ଆଳିପିଙ୍ଗଳ ହାଇସ୍କୁଲ ସାମ୍ନାରେ ଲୁନାରେ ବୁଲି ବ୍ରାଉନ୍‌ସୁଗାର୍‌ ବିକୁଥିବା ଜଣେ ବେପାରୀକୁ ଅବକାରୀ ଥାନା ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଯୋଗେନ୍ଦ୍ର ନାଥ(୩୭)। ତା ନିକଟରୁ ୫୫ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଓ ଲୁନା ଜବତ କରାଯାଇଛି। ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୫ ଲକ୍ଷ ୭୦ ହଜାର ଟଙ୍କା ହେବ। ସେହିପରି ଜଗତସିଂହପୁର ଥାନା ପୁଲିସ ବାଘସାହି ପଣ୍ଡୁଆ ପୋଖରୀ ନିକଟରେ ଚଢ଼ଉ କରି ଜୟବଡ଼ର ଅଭିଷେକ ମହାନ୍ତି ଓରଫ୍ ବିଶାଲ ଓ ଗୋପାଳସାଗର ମାଧପୁରର ଚନ୍ଦନ ମଲ୍ଲିକ ଓରଫ୍ ଡାଙ୍ଗୁଆ ନିକଟରୁ ୧୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି।

Comments are closed.