ଗଜପତି, 30/8(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରୁ କାମ ଧନ୍ଦା ଅନ୍ବେଷଣରେ ପରିବାର ପରିପୋଷଣ ପାଇଁ ଘର ଦ୍ୱାର ଛାଡି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଅନେକ ବ୍ୟକ୍ତି ଯାଉଛନ୍ତି. ହେଲେ କୌଣସି ନା କୌଣସି କାରଣରୁ ଏହି ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ସେଠାରେ ହେଉଥିବା ଯୋଗୁଁ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସମ୍ପୃକ୍ତ ପରିବାର ସବୁଦିନ ପାଇଁ ଦୁଃଖ କଷ୍ଟ ସହ ଭୋକ ଉପାସରେ ଦିନ କାଟିବାକୁ ପଡୁଛି । ଗଜପତିରେ ଦାଦନ ଶ୍ରମିକଙ୍କ ଏଭଳି ଯାତନାର କାହାଣୀ ଅନ୍ତ କେବେ ତାହା ଏକ ବିରାଟ ପ୍ରଶ୍ନବାଚୀ? ହାଇଦ୍ରାବାଦରେ ପୁଣି ଜଣେ ଗଜପତିର ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଏହି ଶ୍ରମିକଙ୍କ ନିଜ ଝିଅ ବାହାଘର ବେଳର ଋଣର ବୋଝ ପରିଶୋଧ ପାଇଁ ହାଇଦ୍ରାବାଦ ଯାଇଥିଲେ. ହେଲେ ସଡ଼କ ଦୁର୍ଘଟଣା ତାଙ୍କ ଜୀବନର ସବୁ ଆଶାକୁ ଧୂଳିସାତ୍ କରିଦେଇଛି. ଶେଷରେ ରୋଜଗାର ପାଇଁ ଯାଇଥିବା ମୋହନା ବ୍ଲକ ଅନୁଗୁର ପଞ୍ଚାୟତର ତିଲିକଣ ଗ୍ରାମର ବାୟସ ରଇତ, ବାୟସ ରଇତଙ୍କ ମୃତଦେହ ଗାଁକୁ ଫେରିଛି. ଏହି ଘଟଣା ପରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନୁଗୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିଲିକଣ ଗାଁରେ ଶୋକର ଛାୟା ଖେଳିଯାଇଛି. ତିଲିକଣ ଗାଁର ବାୟସ ରଇତ (୫୯) ପରିବାରର ଆର୍ଥିକ ଆବଶ୍ୟକତା ପୂରଣ ସହ ଝିଅର ବାହାଘର ପାଇଁ ଧାରକରଜ କରିଥିଲ । ଗତ ଜୁନ୍ ମାସରେ ଝିଅର ବାହାଘର ସରିବା ପରେ ଋଣ ଶୁଝିବା ନେଇ ସେ ଚିନ୍ତିତ ଥିଲୋ ଏହି ପରିସ୍ଥିତିରେ ଅଧିକ ରୋଜଗାର ଆଶାରେ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରିବାକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ବାୟସ ତେବେ ଅଗଷ୍ଟ 27 ତାରିଖରେ ହାଇଦ୍ରାବାଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବାୟସ ଗୁରୁତର ଆହତ ହୋଇଥିଲୋ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ବାୟସଙ୍କ ମୃତ୍ୟୁ ଖବର ତିଲିକଣ ଗାଁରେ ପହଞ୍ଚିବା ପରେ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି । ଝିଅର ବାହାଘର ପାଇଁ କରିଥିବା ଋଣ ଶୁଝିବା ଆଶାରେ ଦୂର ହାଇଦ୍ରାବାଦକୁ ଯାଇଥିବା ବାୟସ ଆଉ ଜୀବିତ ଫେରିପାରିଲେ ନାହିଁ । ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ସମେତ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସମ୍ପୃକ୍ତ ପରିବାର ବର୍ତ୍ତମାନ ଅନାଥ ହୋଇପଡିଛନ୍ତି । ଏହି ଗରିବ ପରିବାରର ପରିପୋଷଣ ପାଇଁ ପ୍ରଶାସନ ଓ ସରକାର ଆବଶ୍ୟକତା ସହାୟତା ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି ।
Comments are closed.