ନୀଳଗିରି: ଡାକ୍ତରଖାନାରେ ରୋଗୀ କଲବଲ ହେଉଥିବା ସମୟରେ ଟିକଟ କାଉଣ୍ଟର ଭିତରେ ଗୋଡ଼କୁ ଝରକା ଉପରକୁ ଟେକି ମୋବାଇଲରେ ଭିଡ଼ିଓ ଦେଖି ଚାଲିଥିଲେ ଜଣେ ଫାର୍ମାସିଷ୍ଟ। ସେହିପରି ନିଜ ଡ୍ୟୁଟିରେ ଅବହେଳା କରି ୨ଜଣ ନର୍ସ ଡାକ୍ତରଖାନା ଭିତରେ ଥିବା ଡ୍ୟୁଟି ରୁମରେ ରିଲ୍ସ କରୁଥିଲେ ଏବଂ ଆଉ ଜଣେ ମୋବାଇଲରେ ଗପି ଚାଲିଥିଲେ ବୋଲି ଅଭିଯୋଗ ଆସିଥିଲା। ବାହାର ଚଟାଣରେ ରୋଗୀମାନେ ପଡ଼ି କଲବଲ ହେଉଥିବା ସମୟରେ ନୀଳଗିରି ଡାକ୍ତରଖାନାରେ ଏଭଳି ବିଚିତ୍ର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ଘଟଣାରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଚିହିଡ଼ି ଉଠିଥିଲେ। ଯଦି ଡ୍ୟୁଟି କରିବାର ଅଛି ସଠିକ ଢ଼ଙ୍ଗରେ ଡ୍ୟୁଟି କର, ନଚେତ ବିଦା କରାଯିବା ପୂର୍ବରୁ ସ୍ବଇଛାରେ ଚାକିରି ଛାଡ଼ି ପଳାଅ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏହି ଫାର୍ମାସିଷ୍ଟଙ୍କ ଘର ମୟୂରଭଞ୍ଜ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ଡ୍ୟୁଟି ନଥିବା ସମୟରେ ରୋଗୀ ପଞ୍ଜିକରଣ କେନ୍ଦ୍ରରେ ମୋବାଇଲ ଦେଖୁଥିଲେ ବୋଲି କହିଥିଲେ। ସେପଟେ ନୀଳଗିରି ବ୍ଲକ ମାଟିଆଳି ଓ ବାଲେଶ୍ବର ଅଞ୍ଚଳର ଏହି ଦୁଇ ନର୍ସଙ୍କ ସମେତ ଫାର୍ମାସିଷ୍ଟଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀଳଗିରି ଏସଡିଏମଓ ଡା. ସତ୍ୟନାରାୟଣ ନାୟକ ଜଣାଇଛନ୍ତି।
Comments are closed.