‘ଟାଇମପାସ’ ପୁସ୍ତକ ପର୍ବରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଲୋକାର୍ପିତ କଲେ ‘ଆମ ରାଷ୍ଟ୍ରପତି: ଆମ ଗୌରବ’ ପୁସ୍ତକ

0
ନୂଆଦିଲ୍ଲୀ ୨୯/୭(କୃଷ୍ଣ କୁମାର ମହାନ୍ତି):  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୱର ତୁଙ୍ଗିମା ଏବଂ ନେତୃତ୍ୱର ନିପୁଣତା କେବଳ ଭାରତବାସୀଙ୍କର କାହିଁକି, ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିଛି। ସରଳତା ତାଙ୍କର ଭୂଷଣ, ପ୍ରତିବଦ୍ଧତା ତାଙ୍କ ହୃଦୟର ସ୍ପନ୍ଦନ। ପ୍ରଥମ ଓଡିଆ ରାଷ୍ଟ୍ରପତି ଭାବେ ସେ ଆମ ରାଜ୍ୟ ପାଇଁ ଆଣି ଦେଇଛନ୍ତି ଐତିହାସିକ ଗୌରବ ଓ ସମ୍ମାନ! ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ଚାରିବର୍ଷ ପୂର୍ତ୍ତି ଅବସରରେ, ଶ୍ରୀମତୀ ମୁର୍ମୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ନେଇ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆଲେଖ ସମ୍ବଳିତ ସଚିତ୍ର ସଂକଳନ ‘ଆମ ରାଷ୍ଟ୍ରପତି: ଆମ ଗୌରବ’ କଥାକାର ବିଜୟ ନାୟକଙ୍କ ସମ୍ପାଦନାରେ ପ୍ରକାଶ ପାଇଛି।
‘ଟାଇମପାସ’ ଦ୍ଵାରା ପ୍ରକାଶିତ ଏହି ପୁସ୍ତକଟି ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ପରେ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର (ରାଷ୍ଟ୍ର) ମନ୍ତ୍ରୀ ଏଲ୍ ମୁରୁଗାନ୍ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।
ସଂକଳିତ ଲେଖକମାନେ ନିଜ ଦୃଷ୍ଟି ଓ ଦୃଷ୍ଟିକୋଣ ଅନୁସାରେ ପ୍ରବନ୍ଧଗୁଡ଼଼ିକ ପ୍ରସ୍ତୁତ କରିଛନ୍ତି। ମାନନୀୟା ରାଷ୍ଟ୍ରପତିଙ୍କ ଜୀବନ ଓ ଜୀବନାଦର୍ଶ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ସୁରମା ପାଢ଼ୀ, ବିରୋଧିଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ  ମୂର୍ଦ୍ଧନ୍ୟ ରାଜନୀତିଜ୍ଞଙ୍କ ଠାରୁ ଆରମ୍ଭ କରି  ଡ. ପ୍ରତିଭା ରାୟ, ଡ. ବିନୟ ସହସ୍ରବୁଦ୍ଧେ, ଦାଶ ବେନହୁର, ଡ. ଶକୁନ୍ତଳା ବଳିଆର ସିଂହ, ପ୍ରଫେସର ଦମୟନ୍ତୀ ବେଶ୍ରା, ଡ. କବିତା ବାରିକ, ନବୀନ ଦାସ, ବିରୂପାକ୍ଷ ତ୍ରିପାଠୀ, ପ୍ରହଲ୍ଲାଦ କୁମାର ସିଂହ, ରାଜକୁମାର, ଡ. ପ୍ରଭାସ ଆଚାର୍ଯ୍ୟ, ପବିତ୍ର ପାଣିଗ୍ରାହୀ, ଅଭିରାମ ବିଶ୍ୱାଳ, ଅଭୟ ଦ୍ୱିବେଦୀ, ଗୋଲାପ ମଞ୍ଜରୀ କର, ଡ. ବିଜୟଲକ୍ଷ୍ମୀ ମହାନ୍ତି, ସଞ୍ଜୀବ କୁମାର ଦାସ, ବିଜୟ ନାୟକ, ଇତିଶ୍ରୀ ମୁର୍ମୁ ଆଦି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆଲେଖରେ ସମୃଦ୍ଧ ଏହି ପୁସ୍ତକଟି ଭବିଷ୍ୟତ ପାଇଁ ଏକ ସଂଗ୍ରହଣୀୟ ଦସ୍ତାବିଜ। ସମ୍ପ୍ରତି ଏହା ଆମାଜନରେ ଉପଲବ୍ଧ ଅଛି।
Leave A Reply

Your email address will not be published.