ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ, ଆୟୋଜିତ ହେବ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ସ୍ୱରୂପ ବିଶ୍ବବିଦ୍ୟାଳୟ ପକ୍ଷରୁ ଚଳିତ ଡିସେମ୍ବର ୧୫ ରୁ ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ।

ହି ଅବସରରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା, ଚିତ୍ରକଳା, ଯୋଗ, ସଡ଼କ ନିରାପତ୍ତା କ୍ଷୁଦ୍ର ସଚେତନତା ନାଟକ, ନିଶାନିବାରଣ ସଚେତନତା ଅଭିଯାନ, ଫୁଟବଲ, ଭଲିବଲ, ଚେସ, ବ୍ୟାଡମିଣ୍ଟନ, କ୍ୟାରମ, ଝୋଟି, ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ସହିତ ୧୦୦, ୨୦୦ ଓ ୪୦୦ ମିଟର ପ୍ରତିଯୋଗିତା ସାଙ୍ଗକୁ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ ଥ୍ରୋ, ଜାଭେଲିନ ଥ୍ରୋ, ଡିସକସ ଥ୍ରୋ ଓ ଟଗ ୱାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାସହିତ ଭାରତରେ ବିଜ୍ଞାନର ଅଗ୍ରଗତି ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିପାରିବେ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Comments are closed.