ମୋହନ ଯାଦବ ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଭୋପାଳ:  ମୋହନ ଯାଦବ ବୁଧବାରଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଦେଶଟି ହେଉଛି, ଧାର୍ମିକ ସ୍ଥଳରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ବାଜିପାରିବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ଦ୍ଦେଶ କ୍ରମେ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନିୟମିତ କିମ୍ବା ଅନିୟନ୍ତ୍ରିତ ଶବ୍ଦ ପ୍ରସାରଣ ଉପକରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କେବ​ଳ ଅନିୟନ୍ତ୍ରିତ ସାଉଣ୍ଡ ଆମ୍ପ୍ଲିଫାୟାର ବ୍ୟବହାର ଉପରେ କଟକଣା ଲଗାଯାଇଛି। କିନ୍ତୁ ନିୟମିତ ଏବଂ ନିୟନ୍ତ୍ରିତ (ଅନୁମୋଦିତ ଡେସିବେଲ ବ୍ୟବହାର) ଉପରେ କଟକଣା ଲଗାଯାଇନାହିଁ ।

ଏହି ଆଦେଶରେ କୁହାଯାଇଛି ଯେ କେତେକ ଧାର୍ମିକସ୍ଥଳରେ ନିର୍ଦ୍ଧାରିତ ଡେସିବେଲରୁ ଅଧିକ ମାତ୍ରାରେ ଲାଉଡସ୍ପିକରର ପ୍ରୟୋଗ କରାଯାଉଥିବା ଦେଖାଯାଉଛି । ଏହା ଦ୍ବାରା ଧ୍ବନି ପ୍ରଦୂଷଣ ହେଉଛି ଓ ତାହା ଲୋକଙ୍କ ସ୍ବାସ୍ଥ୍ୟ ଓ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି । ଲାଉଡସ୍ପିକର ନିୟନ୍ତ୍ରିତ ବ୍ୟବହାର ଉପରେ ସୁପ୍ରିମକୋର୍ଟ, ଜାତୀୟ ଗ୍ରୀନ ଟ୍ରିବୁନାଲ ସମୟ ସମୟରେ ଆଦେଶ ଜାରି କରିଆସିଛନ୍ତି ।

ଆଜି ମଧ୍ୟାହ୍ନ ସମୟରେ ଡ.ଯାଦବ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସେ କହିଥିଲେ, ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିବାରୁ ମୁଁ ଦଳୀୟ ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଉଛି। ଏହା ହେଉଛି ବିଜେପିର ଚରିତ୍ର ଯାହା ମୋ ଭଳି ଜଣେ ଛୋଟ କର୍ମୀଙ୍କୁ ମଧ୍ୟ ସୁଯୋଗ ଦେଇଥାଏ । ମୁଁ ଜଣେ ସେବକ ଭାବରେ ଏହି ଦାୟିତ୍ୱ ନେଇଛି ।

Comments are closed.