କେନ୍ଦ୍ର ଓ ଓଡ଼ିଶା ବଜେଟ୍ ୨୦୨୭-୨୮ ପାଇଁ ନୀତିଗତ ପ୍ରସ୍ତାବ ରଖିଲା ଉତ୍କଳ ବିଶ୍ୱବିଦ୍ୟାଳୟ

0
ଭୁବନେଶ୍ୱର, ନଭେମ୍ବର ୨(କୃଷ୍ଣ କୁମାର ମହାନ୍ତି): କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶ ନିମନ୍ତେ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ୨୦୨୭-୨୮ ବଜେଟ୍ ପାଇଁ ବିଭିନ୍ନ ନୀତିଗତ ପ୍ରସ୍ତାବ ରଖିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟର ରୁସା-୨ ଅଧୀନସ୍ଥ ଉତ୍କର୍ଷ କେନ୍ଦ୍ର ଗ୍ଲୋବାଲ୍ ସେଣ୍ଟର ଫର୍ ରୁରାଲ୍ ଷ୍ଟଡିଜ୍ (ଜିସିଆର୍‌ଏସ୍‌) ପକ୍ଷରୁ ଭୁବନେଶ୍ୱରଠାରେ ଅକ୍ଟୋବର ୩୦ ତାରିଖରେ ଆୟୋଜିତ ଏନ୍‌ଏଫ୍‌ପିଆର୍‌ସି ଫାଉଣ୍ଡେସନ୍‌ର ପ୍ରାକ୍-ବଜେଟ୍ ପରାମର୍ଶ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯାଇଛି।
ଜିସିଆର୍‌ଏସ୍‌ର ସଂଯୋଜକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଆନାଲିଟିକାଲ୍ ଆଣ୍ଡ ଆପ୍ଲାଏଡ୍ ଇକୋନୋମିକ୍ସ ବିଭାଗର ମୁଖ୍ୟ ଡ. ଶିବ ଶଙ୍କର ମହାନ୍ତି ଏବଂ ସହ-ସଂଯୋଜକ ଡ. ଏସ୍‌. ପି. ମିଶ୍ର ଏହି ଅବସରରେ ଏକ ନୀତିଗତ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ। ଏହା ଡ. ଶିବ ଶଙ୍କର ମହାନ୍ତି ଓ ଡ. ସ୍ୱୟଂପ୍ରଭା ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି।
ଏହି ପ୍ରସ୍ତାବରେ କୃଷକଙ୍କ ଆୟ ବୃଦ୍ଧି, କୃଷି ଭିତ୍ତିଭୂମିର ବିକାଶ, ବଜାର ସୁବିଧାର ସମ୍ପ୍ରସାରଣ, ଗ୍ରାମୀଣ ନିଯୁକ୍ତି ସୃଷ୍ଟି, ସ୍ଥାୟୀ କୃଷି ପଦ୍ଧତି ଏବଂ ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ଓଡ଼ିଶାର ପରିପ୍ରେକ୍ଷୀରେ ଜଳସେଚନ ବ୍ୟବସ୍ଥାର ବିକାଶ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା, ମତ୍ସ୍ୟଚାଷର ପ୍ରସାର, କୃଷିର ବିବିଧୀକରଣ ଏବଂ ଗ୍ରାମୀଣ ଉଦ୍ୟୋଗର ବିକାଶ ଭଳି ପ୍ରାଥମିକତାକୁ ମଧ୍ୟ ଶ୍ୱେତପତ୍ରରେ ସ୍ଥାନ ଦିଆଯାଇଛି।
ପ୍ରମାଣଭିତ୍ତିକ ନୀତି ପ୍ରଣୟନ ଏବଂ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ଅଧିକ ଉତ୍ପାଦନଶୀଳ, ସମାବେଶୀ ଓ ଜଳବାୟୁ ସହନଶୀଳ କରିବା ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ପଦକ୍ଷେପ ଏକ ଉଲ୍ଲେଖନୀୟ ଉଦ୍ୟମ ବୋଲି କୁହାଯାଇଛି।
Leave A Reply

Your email address will not be published.