ବୌଦ୍ଧରେ ଗତ କାଲିଠାରୁ ଲଗାଣ ବର୍ଷା ; ଅଙ୍ଗନବାଡ଼ି, ସ୍କୁଲ କଲେଜ ବନ୍ଦ

0

ବୌଦ୍ଧ : ବୌଦ୍ଧରେ ଗତ କାଲିଠାରୁ ଲଗାଣ ବର୍ଷା ଲାଗି ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସବୁ ଅଙ୍ଗନବାଡ଼ି,ସ୍କୁଲ କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି। ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ସ୍ୱାଭାବିକ ରହିଥିବା ବେଳେ ବୌଦ୍ଧ ସହର ନିକଟସ୍ଥ ମହାନଦୀର ଜଳସ୍ତର ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଆଜି ସକାଳ ୮ଟା ସୁଦ୍ଧା ବୌଦ୍ଧ ଇରିଗେସନ୍ ଆଇ.ବି. ନିକଟରେ ମହାନଦୀର ଜଳସ୍ତର ୮୫.୧୩ ମିଟର ରେକର୍ଡ କରାଯାଇଛି। ଏହା ସତର୍କ ସ୍ତର (୮୬.୮୦ ମିଟର) ଏବଂ ବିପଦ ସ୍ତର (୮୭.୮୦ ମିଟର) ଠାରୁ ଯଥେଷ୍ଟ ତଳେ ରହିଛି। ବର୍ତ୍ତମାନ ମହାନଦୀରେ ପ୍ରାୟ ୫,୦୧,୬୦୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୭୫ ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଦୁଇଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ୱରେ ଗୋଟିଏ ଓ ଡାହାଣ ପାର୍ଶ୍ୱରେ ଗୋଟିଏ) ଖୋଲାଯାଇଛି।
ହୀରାକୁଦ ଜଳଭଣ୍ଡାରକୁ ବର୍ତ୍ତମାନ ୧,୬୩,୬୫୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬୩,୩୪୮ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଏଥିମଧ୍ୟରୁ ୩୦,୧୬୦ କ୍ୟୁସେକ୍ ସ୍ପିଲୱେ ଏବଂ ୩୦,୦୦୨ କ୍ୟୁସେକ୍ ପାୱାର ଚ୍ୟାନେଲ୍ ମାଧ୍ୟମରେ ଛଡ଼ାଯାଉଛି। ଅବଶିଷ୍ଟ ଜଳ କେନାଲ ଓ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ପାଇଁ ବ୍ୟବହୃତ ହେଉଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି। ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ହୀରାକୁଦ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରାଯାଇ ପରିସ୍ଥିତିର ନିୟମିତ ସମୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରେ ବନ୍ୟାଜନିତ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ତଥାପି ନଦୀକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

Leave A Reply

Your email address will not be published.