ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ

ଭାରତୀୟ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ : ଆସିଲା କେନ୍ଦ୍ରୀୟ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ ଚାଷକୁ ନେଇ ବଜେଟରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି। ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରଖାଯାଇଛି। ଏଥିସହିତ କଞ୍ଚାମାଲ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ସରକାର ଏକ ସମର୍ପିତ କାର୍ଯ୍ୟକ୍ରମ ଆରମ୍ଭ କରିବେ।

ଭାରତର ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ସହ ଜଡ଼ିତ ଚନ୍ଦନ ଚାଷକୁ ବୃଦ୍ଧି କରିବାକୁ ସରକାର ରାଜ୍ୟମାନଙ୍କ ସହ ସହଭାଗିତା କରିବେ। ଏଥିପାଇଁ ବୈଜ୍ଞାନିକ ଚାଷ ପ୍ରଣାଳୀ ଏବଂ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ଉପରେ ଫୋକସ୍ କରାଯିବ। ସେହିପରି ପୁରୁଣା ଓ କମ୍ ଅମଳକ୍ଷମ ବଗିଚାଗୁଡ଼ିକର ପୁନରୁଦ୍ଧାର କରାଯିବ।ଯେପରିକି ଅଖରୋଟ୍, ଆଲମଣ୍ଡ୍ ଏବଂ ପାଇନ୍ ନଟ୍ସର ଘନ ଚାଷ ପାଇଁ ସରକାରୀ ସହାୟତା ପ୍ରଦାନ କରାଯିବ।ଏହି ଯୋଜନାଗୁଡ଼ିକରେ ଗ୍ରାମୀଣ ଯୁବକମାନଙ୍କୁ ସାମିଲ କରାଯାଇ ମୂଲ୍ୟ ବୃଦ୍ଧି ଉପରେ ଜୋର୍ ଦିଆଯିବ, ଯାହା ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ। ଉପକୂଳବର୍ତ୍ତୀ ଅଞ୍ଚଳରେ କୋକୋ ଏବଂ କାଜୁ ଚାଷକୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯିବ ।

Comments are closed.