ରତନପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣେ ଗୁରୁତର

0

ବ୍ରହ୍ମପୁର : ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ନିକଟରେ ଲୋହରାଖଣ୍ଡି ନଦୀ ହିଡ଼ରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ସୋମନାଥପଲ୍ଲୀର ପ୍ରତାପ ଦାସ ଜଣେ ଟ୍ରାକ୍ଟର୍ ଚାଳକ ଅଟନ୍ତି। ଆଜି ସଂକ୍ରାନ୍ତି ଛୁଟି ଥିବାରୁ ବେଲଗୁଣ୍ଠା ଥାନା ବଲାଡ଼ି ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟ ନିରଞ୍ଜନ ବେହେରାଙ୍କ ଘରକୁ ଯାଇ ମଧ୍ୟାହ୍ନ ସମୟରେ ନିରଞ୍ଜନଙ୍କ ପୁଅ ଜଗନ୍ନାଥ ବେହେରାଙ୍କ ସହିତ ମୋଟରସାଇକେଲ୍ ଯୋଗେ ନିଜ ଗ୍ରାମ ସୋମନାଥପଲ୍ଲୀକୁ ଫେରୁଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଗନ୍ନାଥ ଏବଂ ପ୍ରତାପ ଏକ ମୋଟରସାଇକେଲ୍ ରେ ନଦୀ ହିଡ଼କୁ ଉଠିବା ସମୟରେ ପଛପଟୁ ଏକ ହାଇୱା ଟ୍ରକ୍ ଆସି ଜଗନ୍ନାଥଙ୍କ ମୋଟରସାଇକେଲ୍ କୁ ଧକ୍କା ଦେଇଥିଲା। ଫଳରେ ଜଗନ୍ନାଥ ଏବଂ ପ୍ରତାପ ଛିଟିକି ପଡ଼ିଥିଲେ। ଉଭୟେ ତଳେ ପଡ଼ିଯିବା ପରେ ହାଇୱାଟି ଜଗନ୍ନାଥଙ୍କ ଅଣ୍ଟା ଉପରେ ମାଡ଼ିଯାଇଥିଲା। ପରେ ହାଇୱାଟି ପଛକୁ ଖସିବା ସମୟରେ ତଳେ ପଡିଯାଇଥିବା ପ୍ରତାପଙ୍କ ହାତ ଉପରେ ଚଢ଼ି ଯାଇଥିଲା।

ଫଳରେ ଜଗନ୍ନାଥ ଗୁରୁତର ଆହତ ହୋଇଥିବା ବେଳେ ପ୍ରତାପଙ୍କର ମଧ୍ୟ ଗୋଟିଏ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଉଭୟଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.