ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି। ଅସ୍ତ୍ରବିରତି ପ୍ରସଙ୍ଗରେ ଇରାନ ସହିତ ଆମେରିକାର କଥାବାର୍ତ୍ତା ଆରମ୍ଭ ହୋଇଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଦୁଇ ଦିନ ହେଲା ଅସ୍ତ୍ରବିରତି ପାଇଁ କଥାବାର୍ତ୍ତା ଚାଲିଛି। ଆଉ ଏହି କଥାବାର୍ତ୍ତା ସକାରାତ୍ମକ ଓ ଗଠନମୂଳକ ଦିଗରେ ଅଗ୍ରସର ହେଉଛି। କଥାବାର୍ତ୍ତାର ସକାରାତ୍ମକ ପ୍ରଭାବ ସ୍ବରୂପ ଇରାନ ଉପରେ ୫ଦିନ ପାଇଁ ଆକ୍ରମଣ ବନ୍ଦ କରିବାକୁ ଟ୍ରମ୍ପ ତାଙ୍କ ଯୁଦ୍ଧବିଭାଗକୁ ନିର୍ଦେଶ ଦେଇଛନ୍ତି। ବିଶେଷକରି ଇରାନର ଶକ୍ତି ଓ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ବନ୍ଦ କରିବାକୁ ଟ୍ରମ୍ପ ନିର୍ଦେଶ ଦେଇଛନ୍ତି।
ସୋମବାର ଟ୍ରମ୍ପ ଟ୍ରୁଥ ସୋସିଆଲରେ କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ମୁଁ ଏହା ଜଣାଇ ବହୁତ ଖୁସି ଯେ, ଗତ ଦୁଇ ଦିନ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ସଂପୂର୍ଣ୍ଣ ଏବଂ ସମଗ୍ର ସମାଧାନ ପାଇଁ ଅତ୍ୟନ୍ତ ଭଲ ଏବଂ ଫଳପ୍ରଦ ଆଲୋଚନା ହୋଇଛି। ଏହି ଗଠନମୂଳକ କଥାବାର୍ତ୍ତା ଆଗାମୀ ସପ୍ତାହ ସାରା ଜାରି ରହିବ, ତେଣୁ ମୁଁ ଯୁଦ୍ଧ ବିଭାଗକୁ ନିର୍ଦେଶ ଦେଇଛି ଯେ ଆଗାମୀ ୫ଦିନ ପାଇଁ ଇରାନର ପାୱାର ପ୍ଲାଣ୍ଟ ଏବଂ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଉ। ଏହା ଚାଲିଥିବା ବୈଠକ ଏବଂ ଆଲୋଚନାର ସଫଳତାକୁ ସୂଚିତ କରୁଛି।’ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯେଉଁ ଅସ୍ତ୍ରବିରତି କଥାବାର୍ତ୍ତା ଚାଲିଛି ତାହା ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସହିତ ହେଉ ନାହିଁ।
Comments are closed.