ଜୟପୁର, ୨୦/୦୬(ଏ.ଭେଙ୍କଟ ରାଓ): ବିଜ୍ଞାନ ଯୁଗରେ ମଧ୍ୟ ପାରମ୍ପରିକ ବିଶ୍ୱାସ ଓ ଆଚାର-ବିଚାର ଆଦିବାସୀ ସମାଜରେ ଆଜି ବି ସମାନ ଭାବେ ଜୀବନ୍ତ ରହିଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଗଡପଦର ଗ୍ରାମରେ ଶନିବାର ପାଳିତ ହୋଇଛି ପ୍ରସିଦ୍ଧ ବିରିପାଣି ଯାତ୍ରା। ଏହି ଯାତ୍ରା ମାଧ୍ୟମରେ ଚଳିତ ବର୍ଷର ବର୍ଷା ପରିମାଣ ଓ ମୌସୁମୀର ଗତିବିଧି ସମ୍ପର୍କରେ ପୂର୍ବାନୁମାନ କରାଯାଉଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି।
ଆଦିବାସୀ ସଂସ୍କୃତି ଓ ପରମ୍ପରା ପାଇଁ ପରିଚିତ କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ବପର୍ବାଣୀ ଓ ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଗଡପଦରର ବିରିପାଣି ଯାତ୍ରା ଅନ୍ୟତମ। ରାଜା-ରଜୁଡ଼ା ଅମଳରୁ ଚାଲିଆସୁଥିବା ଏହି ପରମ୍ପରା ଅନୁଯାୟୀ ମୁଖ୍ୟ ପୂଜକ କିମ୍ବା ଶିରା ବର୍ଷାର ପରିମାଣ ସମ୍ପର୍କରେ ଆକଳନ କରିଥାନ୍ତି। ଚାଷବାସ ଉପରେ ନିର୍ଭରଶୀଳ ଏହି ଅଞ୍ଚଳର ଲୋକମାନେ ବର୍ଷାର ସ୍ଥିତି ଜାଣିବା ପାଇଁ ଏହି ଯାତ୍ରାକୁ ଅପେକ୍ଷା କରିଥାନ୍ତି।



ଯାତ୍ରା ଅବସରରେ ମା’ ବିରିପାଣିଙ୍କ ପୀଠରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତମାନେ ଛେଳି, କୁକୁଡ଼ା ଓ ପାରା ଆଦି ମାନସିକ ପୂରଣ ପାଇଁ ଅର୍ପଣ କରିଥାନ୍ତି। ପୂଜା ପରେ ଦେବୀଙ୍କ ପ୍ରତୀକ ଲାଠି ଧରି ପୂଜକମାନେ କଣ୍ଡାମାଳି ପାହାଡ଼ ଉପରକୁ ଯାଇଥାନ୍ତି। ସେଠାରେ ଥିବା ତିନୋଟି ଗର୍ତ୍ତରେ ପୂଜାର୍ଚ୍ଚନା କରି ସେଥିରେ ଥିବା ପାଣିର ପରିମାଣ ଆଧାରରେ ବର୍ଷାର ଆକଳନ କରାଯାଇଥାଏ।
ପରମ୍ପରା ଅନୁଯାୟୀ ସେହି ସ୍ଥାନରୁ ଆଣାଯାଇଥିବା ପାଣିକୁ ଦେବୀଙ୍କ ପୀଠରେ ପୂଜା ପରେ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥାଏ। ବିଶ୍ୱାସ ରହିଛି ଯେ, ଏହି ପବିତ୍ର ପାଣି ସେବନ କଲେ ବିଭିନ୍ନ ରୋଗ ଦୂର ହୋଇଥାଏ। ଏହାଛଡ଼ା ଛୋଟ ପିଲାମାନଙ୍କ ରୋଗ ନିବାରଣ ପାଇଁ ପୂଜକଙ୍କ ଦ୍ୱାରା ଲୁହା ସିଙ୍କୁଳିର ସ୍ପର୍ଶ ଦିଆଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।
ବାଜା, ବାଜନା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ଏହି ଯାତ୍ରାରେ କୋରାପୁଟ ଜିଲ୍ଲା ସମେତ ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଆଦିବାସୀ ସମାଜର ଏହି ପାରମ୍ପରିକ ବିଶ୍ୱାସ ଆଜି ମଧ୍ୟ ଅକ୍ଷୁଣ୍ଣ ରହିଥିବା ଦେଖିବାକୁ ମିଳିଛି।