ଭୁବନେଶ୍ୱର:ଅର୍ଣ୍ଣବର ଯନ୍ତ୍ରଣା କମିନି ପୁଣି ସୃଷ୍ଟି ହୋଇଛି ବଙ୍ଗୋପ ସାଗରରେ ଆଉ ଏକ ବାତ୍ୟା ଆଶଙ୍କା। ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ସମୁଦ୍ରରେ ବଳ ଗୋଟାଇ କାଲି ବାତ୍ୟାରେ ପରିଣତ ହୋଇପାରେ। ପରବର୍ତ୍ତି ସମୟରେ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ।
ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ହୋଇପାରେ ବର୍ଷା ।
ବଙ୍ଗୋପ ସାଗରରେ ପୁଣି ସୃଷ୍ଟି ହୋଇଛି ଅବପାତ। ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ରରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି। ନଭେମ୍ବର ୨ ତାରିଖ ବିଳମ୍ବିତ ରାତିରୁ ୩ ତାରିଖ ଭୋର୍ ପ୍ରାୟ ୨ଟାରୁ ସକାଳ ୫ଟା ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁପାରେ ବାତ୍ୟା ମୋରାସୁ।
ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୪୫ କିମି ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ, ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ହୋଇପାରେ। ଝଟକା ପବନର ବେଗ ୯୫ରୁ ୧୦୦ କିମି ହୋଇପାରେ । ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ବୃଦ୍ଧି ସହ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ରହିଛି। ଗୋପାଳପୁର, ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଘଡ଼ଘଡ଼ି ସହ ଝଟକା ପବନ ବହିପାରେ । ୨ ନଭେମ୍ବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ୨ ନଭେମ୍ବରରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ। ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି ।