ମୟୂରଭଞ୍ଜ ଜିଲାର ଜୀବନରେଖା ବୁଢ଼ାବଳଙ୍ଗରେ ପାଣି ନାହିଁ : ଶୁଖିଲା ପଡ଼ିଛି ନଦୀ ଶଯ୍ୟା।

ଫଳରେ ନଦୀ ସଂଲଗ୍ନ ଅଞ୍ଚଳରେ ଜଳସ୍ତର ଦ୍ରୁତ ହ୍ରାସ ପାଇବା ବର୍ତ୍ତମାନ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର ଜୀବନରେଖା ବୁଢ଼ାବଳଙ୍ଗରେ ପାଣି ନାହିଁ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ଫଳରେ ନଦୀ ସଂଲଗ୍ନ ଅଞ୍ଚଳରେ ଜଳସ୍ତର ଦ୍ରୁତ ହ୍ରାସ ପାଇବା ବର୍ତ୍ତମାନ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲାର ବୃହତ୍ତମ ଓ ରାଜ୍ୟର ଏକ ପ୍ରମୁଖ ନଦୀ। ଶିମିଳିପାଳରୁ ଏହାର ଉତ୍ପତ୍ତି ହୋଇ ବାଲେଶ୍ବର ବଳରାମଗଡ଼ିଠାରେ ବଙ୍ଗୋପସାଗରରେ ମିଶିଛି।

ବୁଢ଼ାବଳଙ୍ଗ ଶିମିଳିପାଳର ଦର୍ଶନୀୟ ଜଳପ୍ରପାତ ବରେଇପାଣିରୁ ଝରି ଯଶିପୁର ବ୍ଲକର ପାହାଡ଼ ଅଞ୍ଚଳ ହୋଇ ଉତ୍ତର ଦିଗକୁ ଗତି କରି ବାଙ୍ଗିରିପୋଷି ବ୍ଲକର କରଞ୍ଜିଆପାଳଠାରେ ପହଞ୍ଚିବା ପରେ ଉତ୍ତରପୂର୍ବ ଦିଗରେ ଜାନକାପାହାଡ଼ି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ସେଠାରୁ ପୂର୍ବ ଦିଗକୁ ପ୍ରବାହିତ ହୋଇ ଶାମାଖୁଣ୍ଟା, କୁଳିଅଣା, ବାରିପଦା, ବଡ଼ସାହି ଓ ବେତନଟୀ ବ୍ଲକ ଅତିକ୍ରମ ପରେ ବାଲେଶ୍ବର ଜିଲାର ରେମୁଣା ଓ ସଦର ବ୍ଲକ ଅତିକ୍ରମ କରି ବଳରାମଗଡ଼ି ମୁହାଣରେ ସମୁଦ୍ର ସହିତ ମିଶିଛି। ବାଟରେ ଅନେକ ଛୋଟଛୋଟ ନାଳ ଏବଂ କତରା, ପଳପଳା, ଚିପଟ, କାଟ୍ରା, ଜରାଳି, ସରାଳି, ମାଧବୀ, ଗଙ୍ଗାହାର ଓ ସୋନ ପରି ଉପନଦୀ ମିଶିଛନ୍ତି ବୁଢ଼ାବଳଙ୍ଗ ସାଥିରେ। ଫଳରେ ତଳମୁଣ୍ଡରେ ଏହାର ଆକାର ଗଭୀର ରାଜ୍ୟର ପ୍ରମୁଖ ନଦୀମାନଙ୍କ ସମକକ୍ଷ ହୋଇ ପାରିଛି। ନଦୀର ମୋଟ ଲମ୍ବ ୧୦୯ ମାଇଲ ବା ୧୭୫ କିମି ହୋଇଥିବା ବେଳେ ଏହାର ଜଳଧାରଣ କ୍ଷେତ୍ର ୪ ହଜାର ୮୪୦ ବର୍ଗ କି.ମି ବା ୧ ହଜାର ୮୭୦ ବର୍ଗ ମାଇଲ। ନଦୀର ସଂଲଗ୍ନରେ ବାରିପଦା ସହର ସମେତ ମୟୂରଭଞ୍ଜର ୭ଟି ବ୍ଲକର ୭୮ଟି ଗ୍ରାମ ନିର୍ଭରଶୀଳ। ନଦୀକୂଳିଆ ଜନସାଧାରଣଙ୍କର ଦୈନନ୍ଦିନ ବ୍ୟବହାର ସାଙ୍ଗକୁ ନଦୀରୁ ଉଠାଜଳସେଚନ ଓ ଉଠାପାନୀୟ ଜଳ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ପୂରଣ କରୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ନଦୀର ଜଳସ୍ତର ଉପରେ ଉପରୋକ୍ତ ଅଞ୍ଚଳର ଭୂତଳ ଜଳସ୍ତର ପ୍ରଭାବିତ ହୋଇଥାଏ।
ଚଳିତବର୍ଷ ନଦୀ ଶୁଖିଲା ପଡ଼ିଥିବାରୁ ଜଳସ୍ତର ନିମ୍ନଗାମୀ ହୋଇଛି। ରାଜ୍ୟ ସରକାରଙ୍କ ରିପୋର୍ଟରେ ବାଙ୍ଗିରିପୋଷି, ବଡ଼ସାହି ଓ ବେତନଟୀ ବ୍ଲକର ଭୂତଳ ଜଳସ୍ତର ଚିନ୍ତାଜନକ ହୋଇଛି। ଅପରପକ୍ଷରେ ବୁଢ଼ାବଳଙ୍ଗ ନଦୀ ପ୍ରବାହିତ ଅଞ୍ଚଳର ଉଭୟପାର୍ଶ୍ବର ଜଳଜମିରେ ଖରାଟିଆ ଧାନ ଓ ଅଣଧାନ ଫସଲ ବାରିପଦା ଓ ବାଲେଶ୍ବର ସହର ସମେତ ମୟୂରଭଞ୍ଜ ଜିଲାର ପୂର୍ବଭାଗ ଓ ବାଲେଶ୍ବର ଜିଲାର ରେମୁଣା ଏବଂ ନୀଳଗିରି ପରିବା ମାର୍କେଟ ତଥା ବିଭିନ୍ନ ସାପ୍ତାହିକ ହାଟ ସମ୍ଭାଳିଥାଏ। ଚଳିତବର୍ଷ ଦୀର୍ଘ ଦିନ ଧରି ବର୍ଷା ନଥିବାରୁ ନଦୀ ଶୁଖିଯିବାରୁ ଚାଷ ପ୍ରଭାବିତ ହୋଇଛି। ଉଭୟ ଜିଲା ପ୍ରାୟତଃ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ପରିବା ଉପରେ ନିର୍ଭର କରୁଛନ୍ତି। ବୁଢ଼ାବଳଙ୍ଗ ନଦୀ ଦୁଇଟି ଜିଲାର ପ୍ରମୁଖ ନଦୀ ହୋଇଥିବାବେଳେ ଦୀର୍ଘଦିନ ଧରି ଏହି ନଦୀ ଉପରେ ଡ୍ୟାମ୍‌ ବା ବ୍ୟାରେଜ ମଧ୍ୟ ନାହିଁ। ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ଅନେକ ସ୍ଥାନରେ ନଦୀ ଶୁଖିଲା ପଡ଼ିଥିବାବେଳେ ଆଉ କେତେକ ସ୍ଥାନରେ ଆଣ୍ଠୁଏ ମଧ୍ୟ ପାଣି ମଧ୍ୟ ନାହିଁ। ଅନେକ ସ୍ଥାନରେ ଜଳପ୍ରବାହ ଠପ୍‌ ହୋଇଛି। ଉପର ମୁଣ୍ଡରେ ଥିବା ସୋରିଷପାଳ, କାଁନଚିଣ୍ଡା ପରି କେତେକ ସ୍ଥାନରେ ଜନସାଧାରଣ ପଥର ବନ୍ଧ ବାନ୍ଧି ପାଣିକୁ ଅଟକାଇବା ସ୍ଥିତିରୁ ତଳମୁଣ୍ଡ ଗ୍ରାମବାସୀଙ୍କ ରୋଷର ଶିକାର ହେଉଛନ୍ତି।

Comments are closed.