ଗଜପତି,୨୭.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଗୋପିନୀ ସାହିସ୍ଥିତ ଶ୍ରୀ ଗୋପୀନାଥ କଲ୍ୟାଣ ମଣ୍ଡପ ପରିସରରେ ଚାଲିଥିବା ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନ ଗତ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ ହୋଇ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା।କାର୍ଯ୍ୟକ୍ରମରେ କଥାବ୍ୟାସ ଭାବେ ନବଦ୍ୱୀପରୁ ଆସିଥିବା ବାବା ଶ୍ରୀ ଅନନ୍ତ ଦାସଜୀ ମହାରାଜ ଯୋଗଦେଇ ଭକ୍ତମାନଙ୍କୁ ଶ୍ରୀମଦ୍ ଭାଗବତର ବିଭିନ୍ନ ପ୍ରସଙ୍ଗ, ଭଗବାନଙ୍କ ଲୀଳା, ଭକ୍ତି, ଧର୍ମ ଓ ଆଧ୍ୟାତ୍ମିକ ଜୀବନର ମହତ୍ତ୍ୱ ସମ୍ପର୍କରେ ସରଳ ଭାଷାରେ ପ୍ରବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ଭାଗବତ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହୋଇ ଆସୁଥିଲା।ଏହି କାର୍ଯ୍ୟକ୍ରମର ଉଦଘାଟନ ଗତ ସେପ୍ଟେମ୍ବର ୧୯ ତାରିଖ ଶନିବାର ସନ୍ଧ୍ୟା ୫ଟା ସମୟରେ ଧାର୍ମିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ହୋଇଥିଲା। ଏହି ଅବସରରେ ପ୍ରତ୍ୟେକ ଦିବସରେ ସ୍ଥାନୀୟ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ମହାରାଜ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ଉପସ୍ଥିତି ଯୋଗୁଁ ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଭାଗବତର ଅମୃତମୟ ବାଣୀ, ଭକ୍ତି ଓ ଧର୍ମର ବାର୍ତ୍ତା ଶ୍ରବଣ କରିବା ପାଇଁ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀ ଗୋପୀନାଥ କଲ୍ୟାଣ ମଣ୍ଡପରେ ଏକତ୍ରିତ ହେଉଥିଲେ। ପ୍ରବଚନ ସମୟରେ ସମଗ୍ର ପରିବେଶ ଭଜନ, କୀର୍ତ୍ତନ ଓ ଭକ୍ତିରସରେ ମୁଖରିତ ହେଉଥିବା ଦେଖାଯାଇଥିଲା।. ଶ୍ରୀମଦ୍ ଭାଗବତ ପୁରାଣର ସାରମର୍ମ,ମଣିଷ ଜୀବନର ପରମ ଲକ୍ଷ୍ୟ ହେଉଛି ଭଗବାନଙ୍କ ପ୍ରତି ନିଷ୍କାମ ପ୍ରେମ ଭକ୍ତି, ଓ ଜ୍ଞାନ ମାଧ୍ୟମରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାର ପଠନ ଦ୍ଵାରା ମନ ପବିତ୍ର ଓ ଶାନ୍ତ ରହିଥାଏ।ଭାଗବତ କେବଳ ଗ୍ରନ୍ଥ ନୂହେଁ ବରଂ ଏହା ଜୀବନର ଦିଗଦର୍ଶନ ଅଟେ ବୋଲି କୁହାଯାଏ।ବୃନ୍ଦାବନ ଶ୍ରୀଧାମରୁ ଆସିଥିବା ସାଧୁ ଶ୍ରୀ ଯଶୋଦା ନନ୍ଦନ ଦାସଜୀ ମହାରାଜଙ୍କ ଦୂ ଏହି ଧାର୍ମିକ ଆୟୋଜନ କରାଯାଇଥିଲା।ଭାଗବତ କଥାପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀମଦ୍ ଭାଗବତର ଅମୃତମୟ ବାଣୀ ଶ୍ରବଣ କରିବା ସହ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥିଲେ।ସପ୍ତାହବ୍ୟାପୀ ଏହି ଧାର୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ଅଗଣିତ ଶ୍ରଦ୍ଧାଳୁ ଯୋଗଦେଇ ଭାଗବତ କଥା ଶ୍ରବଣ କରିବା ସହ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶରେ ନିଜକୁ ସାମିଲ କରିଥିଲେ। ପାରଳାଖେମୁଣ୍ଡି ସହରରେ ଏହି ଆୟୋଜନ ଭକ୍ତ ଓ ଭଗବତ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ଦାସ, ଗୋପୀନାଥ ପାଢୀ, ବେଣୁ ଗୋପାଳ ପାଢ଼ୀ,କୁସୁମ କୁମାରୀ ପଣ୍ଡା ଓ ରଶ୍ମି କୁମାରୀ ଦାଶ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।