ମୋହନା,୨୭।୭(ମନୋଜ ପାଢ଼ୀ): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇଥିଲେ ଛାତ୍ର । ହେଲେ ଫେରିଲାନି ତାଙ୍କ ସ୍ୱପ୍ନ, ଫେରିଲା କେବଳ ମୃତ୍ୟୁର ଖବର । ଘଟଣା ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ ମୋହନା ବ୍ଲକ ଡେଙ୍ଗେସଖାଲ ଗାଁରେ। ମୃତ ଯୁବକ ହେଲେ ଡେଙ୍ଗେସଖାଲ ଗାଁର ମୁନା ନାୟକ ( ୨୬ )।
ସୂଚନା ଅନୁସାରେ, ମୁନା ବି.ଏ. ପାସ୍ କରିବା ପରେ ବି.ଇ.ଡ଼ି ନାମ ଲେଖାଇ ଶିକ୍ଷକ ହେବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଆଡମିଶନ୍ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ମୁନାଙ୍କ ବାପାଙ୍କର ପ୍ରାୟ ୧୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମା’ ଅନେକ କଷ୍ଟରେ ତିନି ପୁଅ ଓ ଗୋଟିଏ ଝିଅଙ୍କୁ ପାଠ ପଢ଼ାଉଥିଲେ । ପରିବାରର ବଡ଼ ପୁଅ ହୋଇଥିବାରୁ ମୁନା ନିଜ ପାଠପଢ଼ା ସହ ପରିବାରର ଦାୟିତ୍ୱ ବୁଝି ରୋଜଗାର ଆଶାରେ ଘର ଛାଡ଼ିଥିଲେ । ହେଲେ ଗୋଆରେ ତାଙ୍କର ମୃତ୍ୟୁ ଖବର ଆସିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ମୁନାଙ୍କ ବି.ଇ.ଡ଼ି ପଢ଼ିବାର ସ୍ୱପ୍ନ ଅଧୁରା ରହିଯାଇଥିବା ବେଳେ ଏବେ ସମଗ୍ର ଗାଁ ଶୋକରେ ଭାଙ୍ଗି ପଡ଼ିଛି।
ଅନ୍ୟପଟେ ଗରିବ ପରିବାର ହୋଇଥିବାରୁ ଗୋଆରୁ ମୃତଦେହକୁ ନିଜ ଜନ୍ମମାଟିକୁ ଆଣିବା ପାଇଁ ସେମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ। ତେଣୁ ସରକାର ଏହି ଗରିବ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ମୃତ ଶରୀର ଗାଁରେ ପହଞ୍ଚିବ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ।
Sign in
Sign in
Recover your password.
A password will be e-mailed to you.
Comments are closed.