ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ; ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ

0

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି l ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଫସଲ ଋତୁରେ ଚାଲିଥିବା ଗଞ୍ଜେଇ ନଷ୍ଟ ଅଭିଯାନ ସମୟରେ ଓଡ଼ିଶା ପୋଲିସ୍ ପକ୍ଷରୁ ଉପରୋକ୍ତ ୬ଟି ଚିହ୍ନଟ ଜିଲ୍ଲାର ୪୧ଟି ଥାନା ଅଧୀନରେ ମୋଟ ୩୬,୫୦୮.୭୯୨ ଏକର ଅଞ୍ଚଳରେ ଥିବା ୧,୬୩୧ଟି GPS-ମ୍ୟାପ୍‌ଡ୍ ଜମି ଖଣ୍ଡରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି lଏଥିମଧ୍ୟରୁ ୬,୬୩୨.୧୯୭ ଏକର ଜମି ସରକାରୀ ରାଜସ୍ୱ ଜମି ବୋଲି ଚିହ୍ନଟ ହୋଇଛି। ପୂର୍ବ ଫସଲ ଋତୁରେ, ଅର୍ଥାତ୍ ୨୦୨୫ ନଭେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଯେଉଁ ସ୍ଥାନଗୁଡ଼ିକରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା, ସେସବୁ ସ୍ଥାନର GPS କୋ-ଅର୍ଡିନେଟ୍‌ ମଧ୍ୟ ପୋଲିସ୍ ବିଭାଗ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ତଥ୍ୟକୁ ଆଧାର କରି ସମ୍ପୃକ୍ତ ଜମିଗୁଡ଼ିକ ଉପରେ ବ୍ୟବସ୍ଥିତ ଓ ନିରନ୍ତର ନିରୀକ୍ଷଣ କରାଯିବ। ବିଶେଷକରି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷରେ ଜଡ଼ିତ ବ୍ୟକ୍ତିମାନେ ପ୍ରତିବର୍ଷ ସମାନ ସରକାରୀ ରାଜସ୍ୱ ଜମିକୁ ପୁନର୍ବାର ଚାଷ ପାଇଁ ବ୍ୟବହାର କରିବାର ପ୍ରବଣତା ରହିଥିବାରୁ ଏଥିପ୍ରତି ସଜାଗ ରହିବାକୁ ରାଜସ୍ୱ ସଚିବ ଡ. ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି l ୨୦୨୬-୨୭ ଫସଲ ଋତୁ ଆରମ୍ଭ ହୋଇଥିବାରୁ ପୂର୍ବରୁ ଚାଷ ନଷ୍ଟ କରାଯାଇଥିବା ଜମିରେ ପୁନର୍ବାର ଗଞ୍ଜେଇ ଚାଷ ହେବାର ଆଶଙ୍କା ରହିଥିବାରୁ ଏହି ଅଞ୍ଚଳଗୁଡ଼ିକରେ ବିଶେଷ ନଜର ରଖିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ତହସିଲଦାର, ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ (RI) ଓ ରାଜସ୍ୱ ସୁପରଭାଇଜରମାନଙ୍କୁ ସମନ୍ଵିତ ପଦକ୍ଷେପ ନେବାକୁ କୁହାଯାଇଛି l ପୂର୍ବରୁ ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ଓ ନଷ୍ଟ କରାଯାଇଥିବା ସମସ୍ତ ସରକାରୀ ରାଜସ୍ୱ ଜମି ଉପରେ ନିରନ୍ତର ନଜର ତଥା ସତର୍କ ଦୃଷ୍ଟି ରଖିବା ସହ ଗାଆଁ ଏବଂ ପ୍ଲଟ୍ ଅନୁଯାୟୀ ସମ୍ପୃକ୍ତ ଜମିର ବିବରଣୀ ସହ GPS କୋ-ଅର୍ଡିନେଟ୍‌ ସଂଗ୍ରହ କରି ପୂର୍ବରୁ ପ୍ରସ୍ତୁତ ରହିବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ସେହିପରି ସରକାରୀ ରାଜସ୍ୱ ଜମିରେ ପୁନର୍ବାର ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ହେଲେ ତୁରନ୍ତ ସମ୍ପୃକ୍ତ ଥାନା, STF କିମ୍ବା ANTFକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ରହିଛି l Narcotic Drugs and Psychotropic Substances (NDPS) Act,୧୯୮୫ର ଧାରା ୪୭ ଅନୁଯାୟୀ ଆବଶ୍ୟକ ଆଇନଗତ ପଦକ୍ଷେପ ପାଇଁ ତୁରନ୍ତ ଅବଗତ କରାଇବା ସହ ଜିଲ୍ଲାସ୍ତରରେ ଏକ ଉପଯୁକ୍ତ ଆଭ୍ୟନ୍ତରୀଣ ରିପୋର୍ଟିଂ ବ୍ୟବସ୍ଥା ଅବସ୍ଥାପିତ କରି ଅବୈଧ ଚାଷ ସମ୍ପର୍କିତ ସୂଚନା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ବିଳମ୍ବ ନକରି ତୁରନ୍ତ ପହଞ୍ଚାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ରାଜସ୍ୱ ସଚିବ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହ ଅବୈଧ ଗଞ୍ଜେଇ ଚାଷ ରୋକିବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ ସହ ସମନ୍ୱୟ ରଖିବା ଏବଂ ନିର୍ଦ୍ଦେଶଗୁଡ଼ିକର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି। ସେହିପରି ଗଞ୍ଜେଇ ଚାଷରେ ଲିପ୍ତ କୌଣସି ମାଫିଆ ବ୍ୟକ୍ତିବିଶେଷଙ୍କୁ କୌଣସି ରାଜସ୍ୱ ଅଧିକାରୀ ସହଯୋଗ କରୁଥିବାର ସୂଚନା ମିଳିଲେ ତୁରନ୍ତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଜାରି କରିଛନ୍ତି l

Leave A Reply

Your email address will not be published.