ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାନବାଧିକାର ଇଣ୍ଟର୍ନମାନଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗର ଆଲୋଚନା

• ରାଜ୍ୟ ନିର୍ବାଚନ ଆୟୋଗର ଭୂମିକା ଉପରେ ୪୩ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ; ସଂବିଧାନିକ ବ୍ୟବସ୍ଥା ଓ ନିର୍ବାଚନୀ ଚ୍ୟାଲେଞ୍ଜ ଉପରେ ଆଲୋକ ପାତ କଲେ କମିଶନର ପାଢ଼ୀ

ବାଲେଶ୍ୱର, ୦୪/୦୫ (କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ (CHRC)ରେ ଚାଲୁଥିବା ମାନବାଧିକାର ଇଣ୍ଟର୍ନଶିପ୍ ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିବା ଆର୍‌.ଡି. ମହିଳା ବିଶ୍ୱବିଦ୍ୟାଳୟର ୪୩ ଜଣ ଅଣ୍ଡର୍‌ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ପରିଦର୍ଶନ କରି “ରାଜ୍ୟ ନିର୍ବାଚନ ଆୟୋଗର ଗୁରୁତ୍ୱ ଓ ତାହାର ଭୂମିକା” ବିଷୟରେ ଏକ ଇଣ୍ଟର୍‌ଆକ୍ଟିଭ୍ ଅଧିବେଶନରେ ଅଂଶ କରିଥିଲେ।
ଏହି ଦଳକୁ ସିଏଚଆରସି (CHRC)ର ଅଧ୍ୟକ୍ଷ ଡକ୍ଟର ଗୋପବନ୍ଧୁ ମଲ୍ଲିକ ଓ ପରାମର୍ଶଦାତା ପ୍ରଫେସର ନିରଞ୍ଜନ ବାରିକ ନେତୃତ୍ୱ ନେଇଥିଲେ। ସଂଗଠନ ସଚିବ ପ୍ରଫେସର ରଶ୍ମି ରାଉଳ ମଧ୍ୟ ଉପସ୍ଥିତ ଥିଲେ ଓ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।
ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀ, ଯିଏ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ, କହିଥିଲେ ଯେ ସଂବିଧାନର ଧାରା ୨୪୩ ଅନୁସାରେ ସ୍ଥାପିତ ରାଜ୍ୟ ନିର୍ବାଚନ ଆୟୋଗର ପ୍ରମୁଖ କର୍ତ୍ତବ୍ୟ ହେଉଛି ନଗର ନିଗମ, ନଗରପାଳିକା, ବିଜ୍ଞପିତ ଅଂଚଳ ପରିଷଦ, ପଞ୍ଚାୟତ, ବ୍ଲକ୍ ପଞ୍ଚାୟତ ଓ ଜିଲ୍ଲା ପରିଷଦର ନିର୍ବାଚନକୁ ସ୍ୱାଧୀନ ଓ ନିଷ୍ପକ୍ଷ ଭାବରେ ପରିଚାଳନା କରିବା।
ସେ ନିର୍ବାଚନ ସମ୍ପର୍କିତ ମୁଖ୍ୟ ପ୍ରସଙ୍ଗଗୁଡିକ ଯଥା ଡିଲିମିଟେସନ୍, ବିଧାନସଭା ପୁନର୍ଗଠନ, ଭୋଟର ତାଲିକାର ବିଶେଷ ସଂଶୋଧନ
 ଓ ନିର୍ବାଚନ ପରିଚାଳନାର ଚ୍ୟାଲେଞ୍ଜଗୁଡିକ ଉପରେ ଆଲୋକପାତ କରିଥିଲେ। ଏହା ସହିତ ସେ ସଂବିଧାନର ଭାଗ-୧୫ ଅନ୍ତର୍ଗତ ଧାରା ୩୨୪ ରୁ ୩୨୯, ଧାରା ୨୪୩ଏ ଓ ୭୩ତମ, ୭୪ତମ, ୮୬ତମ, ୧୦୨ତମ ଓ ୧୦୬ତମ ସଂଶୋଧନଗୁଡିକର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ।
ହରପ୍ରିୟା ରାଉତ, ମୁସ୍କାନ ଅଗରୱାଲ, ପିଙ୍କି ମହାପାତ୍ର, ସୁପ୍ରିୟା ତୁରୁକ ଓ ନିବେଦିତା ସାହୁ ସହିତ ଅନ୍ୟାନ୍ୟ ଛାତ୍ରଛାତ୍ରୀ କହିଥିଲେ ଯେ ଏହି ଅଧିବେଶନ ତାଙ୍କର ଜ୍ଞାନକୁ ସମୃଦ୍ଧ କରିବା ସହିତ ଲୋକତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଭୋଟର ଭାବେ ନିଜ ଦାୟିତ୍ୱ ପ୍ରତି ସଚେତନ କରାଇଛି।
ଶେଷରେ ଇଣ୍ଟର୍ନ ହରପ୍ରିୟା ରାଉତ କମିଶନର ଓ କାର୍ଯ୍ୟାଳୟ କର୍ମଚାରୀଙ୍କୁ ତାଙ୍କର ମାର୍ଗଦର୍ଶନ, ସମର୍ପଣ ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.