ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ।

ବାଲେଶ୍ୱର (୨୭/୩) : ରିପୋର୍ଟ-ସନାତନ ମହାକୁଡ଼ ।ନୀଳଗିରି ସନ୍ତରଗଡିଆ ସ୍ଥିତ ବାବା ପଞ୍ଚଲିଙ୍ଗେଶ୍ଵର ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଅଧୀନରେ ଆୟୋଜିତ ସ୍ଵତନ୍ତ୍ର ଶୀତକାଳୀନ ଶିବିର ୨୬ ମାର୍ଚ୍ଚ ୨୦୨୬ ଶୁକ୍ରବାର ଦିନ ସଫଳତାର ସହ ଉଦ୍ୟାପିତ ହୋଇଯାଇଛି। ଏହି ସାତଦିନିଆ ଶିବିର ୨୦ ମାର୍ଚ୍ଚ ୨୦୨୬ ରୁ ଆରମ୍ଭ ହୋଇ ଶତାଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ, କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶ୍ରୀହରିଶଙ୍କର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

ଶିବିରରେ ବିଭିନ୍ନ ବିଷୟରେ ପ୍ରବୀଣ ବକ୍ତାମାନେ ଯୋଗଦେଇ ସ୍ଵେଚ୍ଛାସେବୀମାନଙ୍କୁ ଜ୍ଞାନ ଓ ପ୍ରେରଣା ଯୋଗାଇଥିଲେ। ନୀଳିଗିରିର ବରିଷ୍ଠ ଆଇନଜୀବୀ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ବାଲ୍ୟ ବିବାହ ଓ ବାଳ ଶ୍ରମିକ ବିଷୟରେ ଆଲୋଚନା କରିଥିବାବେଳେ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମଣିପ୍ରସାଦ ଚୌଧୁରୀ ସାମଗ୍ରିକ ଜୀବନରେ ସେବାର ମୂଲ୍ୟବୋଧ ବିଷୟରେ ଉପସ୍ଥାପନା କରିଥିଲେ। ଶିକ୍ଷକ ରତିକାନ୍ତ ନାୟକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଆପତ୍କାଳୀନ ଚିକିତ୍ସା ବିଷୟରେ ଓ ସାଇବର ପୋଲିସ ଅଧିକାରୀ ଶ୍ରୀ ବାସୁଦେବ ଦତ୍ତ ଓ ଶ୍ରୀ ଡମ୍ବରୁଧର ସାଶ୍ମଲ ସାଇବର ଠକେଇ ସଚେତନତା ଉପରେ ଉପଦେଶ ଦେଇଥିଲେ।

ତଦୁପରି, ନୀଳିଗିରି ସଂସ୍କୃତ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ବ୍ୟକ୍ତିତ୍ୱ ବିକାଶ ବିଷୟରେ, ନୀଳିଗିରି ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡ. ଶଙ୍କର୍ଷଣ ନାୟକ ଜୀବନ କୌଶଳ ଶିକ୍ଷା ବିଷୟରେ ଆଲୋଚନା କରିଥିଲେ।

ବାଲେଶ୍ଵର ଇନଷ୍ଟିଟ୍ୟୁଟ୍ ଅଫ୍ ନେଚର କ୍ୟୁର ଏଣ୍ଡ ଯୋଗିକ ସାଇନ୍ସ (INCYS) ର ନିର୍ଦ୍ଦେଶକ ଡା. ଚିତ୍ତରଞ୍ଜନ ସାହୁଙ୍କ ପକ୍ଷରୁ ଯୋଗ ଓ ପ୍ରାଣାୟାମ ଉପରେ ଶିକ୍ଷା ଦିଆଯାଇଥିବାବେଳେ, ନାଚୁରୋପାଥି କନସଲ୍ଟାଣ୍ଟ ଓ ୱେଲନେସ୍ ମେଣ୍ଟର ଡା. ସୁବାସ ଚନ୍ଦ୍ର ସାରଙ୍ଗୀ ପ୍ରାକୃତିକ ଚିକିତ୍ସାର ଉପାଦେୟତା ଓ ସ୍ୱସ୍ଥ ଓ ଆନନ୍ଦମୟ ଜୀବନ ଶୈଳୀ ବିଷୟରେ ଉପସ୍ଥାପନା କରିଥିଲେ।

କୈଳାଶ ଫିଶରିଜର ମାଷ୍ଟର ଟ୍ରେନର ଶ୍ରୀ ଗୋପାଳ ଚନ୍ଦ୍ର ସାହୁ ମତ୍ସ୍ୟଚାଷ ମାଧ୍ୟମରେ ଆତ୍ମନିର୍ଭରତା ବିଷୟରେ ଓ ଫକିର ମୋହନ ବିଶ୍ୱବିଦ୍ୟାଳୟର NSS ଜିଲ୍ଲା ସମନ୍ୱୟକାରୀ ଡ. ପ୍ରତିମା ପ୍ରଧାନ ଜାତୀୟ ସେବା ଯୋଜନାର ନୀତି ଓ ନିୟମ ବିଷୟରେ ଅଲୋକପାତ କରିଥିଲେ। ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଗୌରାଙ୍ଗ ପଣ୍ଡା ଶିବିରର ଆଭିମୁଖ୍ୟ ବିଷୟରେ ମତପ୍ରକାଶ କରିଥିଲେ।

ଏହାସହ ସ୍ଵେଚ୍ଛାସେବୀମାନଙ୍କ ଦ୍ୱାରା ସ୍ଵଚ୍ଛତା ଅଭିଯାନ, ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ ଓ ସମାଜମୁଖୀ କାର୍ଯ୍ୟସମୂହ ସଫଳତାର ସହ କରାଯାଇଥିଲା।

ଉଦ୍ୟାପନୀ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶିଶିର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୀଳିଗିରିର ଉପଜିଲ୍ଲାପାଳ ଓ ପରିଚାଳନା ସମିତିର ସଭାପତି ଡ. ଶୁଭଶ୍ରୀ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵେଚ୍ଛାସେବୀମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ପ୍ରେରଣା ଦେଇ ସମସ୍ତଙ୍କୁ ପ୍ରମାଣପତ୍ର ବିତରଣ କରିଥିଲେ। ଡେପୁଟି କଲେକ୍ଟର ଶ୍ରୀ ଦେବୀଦତ୍ତ ପ୍ରୀତିରଞ୍ଜନ ବେହେରା ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉଷାରାଣୀ ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵେଚ୍ଛାସେବୀମାନଙ୍କୁ ସୁ-ନାଗରିକ ହେବା ପାଇଁ ପ୍ରେରିତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସ୍ଵେଚ୍ଛାସେବୀ ସୁଶ୍ରୀ ଜୟଶ୍ରୀ ରାୟଙ୍କ ଓଡିଶୀ ନୃତ୍ୟ ପ୍ରଦର୍ଶନ ସଭାକୁ ଆକର୍ଷିତ କରିଥିଲା। ଶିବିରଟିକୁ ସଫଳ କରିବାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ସ୍ମରଣୀୟ ରହିଛି।

Comments are closed.