ପୁଲିସ ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ଓ ରାବଣପୋଡ଼ି ପାଇଁ ବାଲେଶ୍ୱର ସହରରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା

0
ବାଲେଶ୍ୱର, ୧୫/୧୦ ( କୃଷ୍ଣ କୁମାର ମହାନ୍ତି): ଦୁର୍ଗାପୂଜା ଓ ରାବଣପୋଡ଼ି ଉତ୍ସବକୁ ଦୃଷ୍ଟିରେ ରଖି ବାଲେଶ୍ୱର ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ଯାତାୟାତକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।
ସହରରେ ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ପାଳନ ହେବାକୁ ଥିବାବେଳେ ୨୨ ତାରିଖରେ ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଅବଧିରେ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ନିୟନ୍ତ୍ରଣ ଶେଷ ହେବା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ଗାଡ଼ି ପାର୍କିଂ କରାଯାଇପାରିବ।
ପାର୍କିଂ ପାଇଁ ଆରଟିଓ କାର୍ଯ୍ୟାଳୟ ପରିସର, ପୁରୁଣା ଷ୍ଟାଡିୟମ୍, ଡିଏଚ୍‌ଏଚ୍‌ ସମ୍ମୁଖସ୍ଥ ମୋର୍ ମଲ୍ କମ୍ପ୍ଲେକ୍ସ, ମିଶନ ହାଇସ୍କୁଲ ପଡ଼ିଆ, ସିଦ୍ଧି କଲ୍ୟାଣ ମଣ୍ଡପ-୧ ଓ ୨, ଏଫ୍‌.ଏମ୍‌. କଲେଜ ପଡ଼ିଆ, କୋର୍ଟ ପରିସର, ବିଏସ୍‌ଏନ୍‌ଏଲ୍‌ ଓ ଡାକଘର ପରିସର, ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ, ଏଫ୍‌.ଏମ୍‌. ଗୋଲେଇ ଏବଂ ଆଇଟିଆଇ ପଡ଼ିଆକୁ ଚିହ୍ନଟ କରାଯାଇଛି।
ସେହିପରି ଅକ୍ଟୋବର ୨୦ ତାରିଖରେ ରାବଣପୋଡ଼ି ଉତ୍ସବ ପାଇଁ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିବ। ଏଥିପାଇଁ ସମ୍ବାଦ କାର୍ଯ୍ୟାଳୟ ଛକ ଦେଇ ଶିଳ୍ପାଞ୍ଚଳ ପରିସର, ଆଇଟିଆଇ ହାଇସ୍କୁଲ ପରିସର, ଆରଟିଓ କାର୍ଯ୍ୟାଳୟ ପରିସର, ଆଇଟିଆଇ ହାଇସ୍କୁଲ ନିକଟସ୍ଥ ଏସ୍‌ବିଆଇ ଏଟିଏମ୍ ଲେନ୍‌, ସରକାରୀ ଆଇଟିଆଇ ପରିସର ଏବଂ ଆୟକର କାର୍ଯ୍ୟାଳୟ ପରିସରରେ ଗାଡ଼ି ପାର୍କିଂ କରାଯାଇପାରିବ।
ଉତ୍ସବ ସମୟରେ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜନସାଧାରଣ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରିବା ସହ ପୁଲିସ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବାଲେଶ୍ୱରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
Leave A Reply

Your email address will not be published.