ଗଜପତି:ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପ୍ୟାଲେସ୍ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ, ମୃତ ବ୍ୟକ୍ତିଙ୍କ ନାମ ବିଲୋପ, ନକଲି ନାମ ଚିହ୍ନଟ ଏବଂ ଭୋଟର ତାଲିକାର ତ୍ରୁଟି ସଂଶୋଧନ କାର୍ଯ୍ୟରେ ବିଏଲଓମାନଙ୍କୁ ସହଯୋଗ କରିବା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ବିଏଲଓମାନେ ଘରକୁ ଘର ବୁଲି ଯାଞ୍ଚ କାର୍ଯ୍ୟ କରିବେ ବୋଲି ମଧ୍ୟ ଅବଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ, ସହାୟକ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ପାରଳା ସହରର ବିଏଲଓମାନେ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।
ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଏକ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଗତ ୩୦ ମେ ଠାରୁ ୨୮ ଜୁନ୍ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ବୁଲି ତଥ୍ୟ ଯାଞ୍ଚ କରିବେ। ୫ ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯିବ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟାୟ ୫ ଜୁଲାଇରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ୬ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଜନସାଧାରଣ ଏ ସମ୍ପର୍କରେ ଅଧିକ ସୂଚନା ଓ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରିପାରିବେ।
ଆଜିର ସଚେତନତା ପଦଯାତ୍ରାରେ ପାରଳା ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.