ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ: ଦୂଷିତ କୂଅ ପାଣି ପିଇ ଅସୁସ୍ଥ ହେଉଛନ୍ତି ଗ୍ରାମବାସୀ; ଭୋଟ ବର୍ଜନ ଓ ରାଜରାସ୍ତାକୁ ଓଲ୍ହାଇବା ଚେତାବନୀ ।

0

ଆର, ଉଦୟଗିରି,୨୪.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲା ରା, ଉଦୟଗିରି ବ୍ଲକ ର ​ବସ୍ତ୍ରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତାଣ୍ଡିଗୁଡ଼ା ଗ୍ରାମର ୨ ନମ୍ବର ୱାର୍ଡରେ ଦୀର୍ଘ ଛଅ ମାସରୁ ଅଧିକ ସମୟ ଧରି ସୋଲାର ପାନୀୟ ଜଳ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀମାନେ ବାଧ୍ୟ ହୋଇ ଏକ କୂଅ ଉପରେ ନିର୍ଭର କରୁଛନ୍ତି। ତେବେ ଦୁଇ ଦୁଇ ଥର ବନ୍ୟା ଓ ବାତ୍ୟା ପାଣି କୂଅ ଭିତରେ ପଶିଯିବା ଯୋଗୁଁ କୂଅର ପାଣି ଦୂଷିତ ହୋଇଯାଇଛି।
​ଏହି ଦୂଷିତ ପାଣି ବ୍ୟବହାର କରିବା ଫଳରେ ଗ୍ରାମର ବହୁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବିଶେଷ କରି ଲୋକମାନେ ଜ୍ୱର ଓ କାଶରେ ପୀଡ଼ିତ ହୋଇ ଡାକ୍ତରଖାନା ଯାଉଥିବା ୱାର୍ଡ ମେମ୍ବର ସୂଚନା ଦେଇଛନ୍ତି।
​ଏହି ସମସ୍ୟା ସମ୍ପର୍କରେ ୱାର୍ଡ ମେମ୍ବର ବାରମ୍ବାର ପଞ୍ଚାୟତ ପିଇଓ (PEO) ଏବଂ ଜଳ ଯୋଗାଣ ବିଭାଗର ଅଧିକାରୀ କଲ୍ୟାଣୀ ପ୍ରଧାନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ନିକଟରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣି (ଗ୍ରୀଭେନ୍ସ)ରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଥିଲା। ସେତେବେଳେ ଯଥାଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ହେଁ, ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି।
​ଆଗାମୀ ପଞ୍ଚାୟତ ନିର୍ବାଚନରେ ଯଦି ଗ୍ରାମ ପ୍ରତି ଏଭଳି ଅଣଦେଖା ଜାରି ରହେ, ତେବେ ଗ୍ରାମବାସୀମାନେ ଭୋଟ ବର୍ଜନ କରିବେ ଏବଂ କାହାରିକୁ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଗ୍ରାମରେ ଏକ ମତଦାନ କେନ୍ଦ୍ର ମଧ୍ୟ ରହିଛି। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରାଯିବ ବୋଲି ୱାର୍ଡ ମେମ୍ବର ଓ ଗ୍ରାମବାସୀମାନେ ସ୍ପଷ୍ଟ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ କଲ୍ୟାଣୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ସେହି କାର୍ଯ୍ୟ ସରକାରୀ ଅନୁମୋଦିତ ହୋଇସାରିଛି ଅଳ୍ପ ଦିନ ମଧ୍ୟରେ ତାହା କାର୍ଯ୍ୟକାରୀ ହୋଇଯିବ।

Leave A Reply

Your email address will not be published.