ତରଭା ବ୍ଲକରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର
ତରଭା,ତା ୩୦/୦୭ : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀଭାବେ ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀ ସୁବ୍ରତ କୁମାର ମହାକୁର, ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାନନ୍ଦ କର୍ମୀ, ବିଏଫଓ ପଦ୍ମାଳୟା ମେହେର ଏବଂ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସମିତ୍ ମହାକୁର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏତଦ୍ବ୍ୟତୀତ ଜଙ୍ଗଲ, ଉଦ୍ୟାନ କୃଷି ଏବଂ ଜଳଛାୟା ପରି ଲାଇନ୍ ବିଭାଗର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାନନ୍ଦ କର୍ମୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଉକ୍ତ ଯୋଜନାରେ ୧୦୦ ଦିନର କର୍ମନିଯୁକ୍ତି ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଯୋଜନା ” VB G – RAM G ” ଓ ବର୍ଦ୍ଧିତ ୧୨୫ ଦିନର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ନୂତନ ଯୋଜନା ଏବଂ ବର୍ଦ୍ଧିତ ୧୨୫ ଦିନର କାର୍ଯ୍ୟ ସମ୍ପର୍କରେ ବ୍ୟାପକ ଆଲୋଚନା କରା ଯାଇଥିଲା। ଗ୍ରାମସଭା ଦ୍ୱାରା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ତ୍ବ ଦିଆଯାଇଥିଲା। ବେକାରୀ ଭତ୍ତା ପାଇଁ ଦୃଢ଼ ପଦକ୍ଷେପ ନେବା ସକାଶେ ଆଲୋଚନା ହୋଇଥିଲା। ଠିକ୍ ସମୟରେ ମଜୁରୀ ପ୍ରଦାନ ଏବଂ ବିଳମ୍ବ ପାଇଁ କ୍ଷତିପୂରଣ ଦେବାର ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସଶକ୍ତିକରଣ ଏବଂ କାର୍ଯ୍ୟରେ ଦକ୍ଷତା ଓ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ତ୍ବାରୋପ କରାଯାଇଥିଲା।ପୂର୍ବର ଜନଶୁଣାଣିର ବିବରଣୀ ପାଠ ପରେ, ବ୍ଲକ ସାମାଜିକ ସମୀକ୍ଷକ ଏବଂ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନଙ୍କ ଦ୍ୱାରା ସାମାଜିକ ସମୀକ୍ଷାର ମୁଖ୍ୟ ନିଷ୍କର୍ଷ ଓ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହା ସହିତ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ପଞ୍ଚାୟତ, ନିର୍ବାହୀ ଅଧିକାରୀ, ଆକାଉଣ୍ଟାଣ୍ଟ -କମ୍ -ଡାଟା ଏଣ୍ଟ୍ରି ଅପରେଟର, ଗ୍ରାମ ରୋଜଗାର ସେବକ ଏବଂ ଲାଇନ୍ ବିଭାଗର ଅଧିକାରୀମାନେ ନିଜ ନିଜର ରିପୋର୍ଟ ପାଠ କରିଥିଲେ।ଏହି ଜନଶୁଣାଣିରେ ବ୍ଲକର ସମସ୍ତ ମେଟ୍, ପଞ୍ଚାୟତିରାଜ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଶ୍ରମିକମାନେ ଯୋଗଦେଇ ନିଜ ନିଜର ସମସ୍ୟା ଓ ଅଭିଯୋଗ ରଖିଥିଲେ। ଏହାସହିତ ଜନ ଶୁଣାଣି କମିଟିର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହି ନିଜ ନିଜର ମହତ୍ତ୍ୱପୂର୍ଣ୍ଣ ମତପୋଷଣ କରିଥିଲେ । ଶେଷରେ ଜନଶୁଣାଣି କମିଟିର ଅଧ୍ୟକ୍ଷଙ୍କ ସମାପନୀ ବକ୍ତବ୍ୟ ପରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସମିତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଅଶ୍ୱିନୀ ମିଶ୍ର, ଭି ବି ଜୀ -ରାମ ଜୀ ସହଯୋଗୀ ଓ ଉତ୍ତମ ନାଗ, ମନରେଗା ସହଯୋଗୀ ସଭା କାର୍ଯ୍ୟରେ ସହଯୋଗ କରିଥିଲେ।