ସିନ୍ଧୁ ଜଳ ଚୁକ୍ତି ଶୁଣାଣିରେ ସାମିଲ ହେବନି ଭାରତ

ସିଓଏର କାର୍ଯ୍ୟ ପ୍ରକ୍ରିୟାକୁ କହିଲା ଅବୈଧ

ନୂଆଦିଲ୍ଲୀ : ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ନେଇ ଗଠିତ ଏକ ଅନ୍ତର୍ଜାତୀୟ ଅଦାଲତ କୋର୍ଟ ଅଫ୍‌ ଆର୍ବିଟ୍ରେସନ (ସିଓଏ)ର କାର୍ଯ୍ୟକୁ ଭାରତ ଖାରଜ କରିଛି। ଏହି ଅଦାଲତର ବୈଧତାକୁ ଭାରତ ସ୍ୱୀକାର କରେ ନାହିଁ ଏବଂ ଏହାର କୌଣସି ପ୍ରକାର କାର୍ଯ୍ୟ ପ୍ରକ୍ରିୟାରେ ସାମିଲ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଛି । ତେଣୁ ଏହି ଚୁକ୍ତି ବାବଦରେ କୌଣସି ସଂସ୍ଥାକୁ ଭାରତ ଜବାବ ଦେବାକୁ ବାଧ୍ୟ ନୁହେଁ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ନେଦରଲାଣ୍ଡ୍‌ସର ପିସ୍‌ ପ୍ୟାଲେସ୍‌ରେ ଫ୍ରେବୁଆରୀ ୨ (ସୋମବାର) ଏବଂ ୩ (ମଙ୍ଗଳବାର) ଶୁଣାଣି କରିବାକୁ ସିଓଏ ଧାର୍ଯ୍ୟ କରିଥିଲେ । ଏଥିସହ ଭାରତର ବଗଲିହାର ଏବଂ କିଶନଗଙ୍ଗା ହାଇଡ୍ରୋ ପାୱାର ପ୍ରୋଜେକ୍ଟ ସହ ଜଡ଼ିତ ‘ପୋଣ୍ଡେଜ୍‌ ଲଗ୍‌ ବୁକ୍‌’ ଦସ୍ତାବିଜ୍‌ ଦାଖଲ କରିବାକୁ ଆଦେଶ ଦେଇଥିଲେ । ଭାରତ ଏହି ଆଦେଶର ଜବାବ ଦେବାକୁ ମନା କରିଦେଇଛି । କୋର୍ଟ ଗତ ଜାନୁଆରୀ ୨୪ରେ ଜାରି ଆଦେଶରେ କହିଥିଲେ, ଯଦି ଭାରତ ଶୁଣାଣିରେ ସାମିଲ ହେବନି ତେବେ ପାକିସ୍ତାନ ଏକାକୀ ଦଲିଲ ଦେବ । ଏହା ପରେ ଗତ ୨୯ ତାରିଖରେ କୋର୍ଟ ଭାରତକୁ ଉକ୍ତ ପ୍ରକଳ୍ପ ବାବଦରେ ପରିଚାଳନାଗତ ରେକର୍ଡ ମାଗିଥିଲେ। ଭାରତ ଦସ୍ତାବିଜ୍‌ ନ ଦେଲେ ଏହା ମାନି ନିଆଯିବ ଯେ ଏହି ଦଲିଲକୁ ଜାଣିଶୁଣି ଲୁଚାଯାଉଛି ଏବଂ ଏହା ଭାରତ ବିରୋଧରେ ଯାଇପାରେ। ଭାରତ ପକ୍ଷରୁ କୁହାଯାଇଛି, ଏହି ବିବାଦ ଟେକ୍ନିକାଲ ଏବଂ ଏହାକୁ ନିରପେକ୍ଷ ବିଶେଷଜ୍ଞଙ୍କ ଜରିଆରେ ସମାଧାନ କରାଯିବା ଉଚିତ। ଏହି ନିରପେକ୍ଷ ବିଶେଷଜ୍ଞ କୌଣସି ଅଦାଲତରେ ହୋଇପାରିବେ ନାହିଁ। ସିନ୍ଧୁ ନଦୀ ପାଣିକୁ ନେଇ କୌଣସି ବୈଷୟିକ ସମସ୍ୟା ହେଲେ ସେଥିଲାଗି ନିରପେକ୍ଷ ବିଶେଷଜ୍ଞ ବ୍ୟବସ୍ଥା ବନାଯାଏ। ଏହି କଥା ସିନ୍ଧୁ ଜଳ ଚୁକ୍ତିରେ ପୂର୍ବରୁ ହିଁ ସ୍ଥିର ହୋଇଥିଲା।

ପ୍ରକାଶଥାଉ କି, ୧୯୬୦ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରି ନିରୀହ ପର୍ଯ୍ୟଟକଙ୍କ ଜୀବନ ନେବା ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ କରିଥିଲା। ଏହା ଅନୁସାରେ ସିନ୍ଧୁ ନଦୀ ପ୍ରଣାଳୀରେ ଥିବା ନଦୀଗୁଡ଼ିକର ଜଳ ଆଉ ପାକିସ୍ତାନକୁ ଛଡ଼ାଯିବ ନାହିଁ।

Comments are closed.