ଶିଳ୍ପାଞ୍ଚଳରେ ଗଜରାଜ: ଜଗତପୁରରେ ଖେଳାଇଲା ଆତଙ୍କ,

କଟକ: ମଣିଷ ଆଉ ଗଜରାଜଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଘୋଷିତ ମହାସଂଗ୍ରାମ । କେଉଁଠି ମଣିଷ ହାତୀମାନଙ୍କୁ ଘଉଡ଼ାଇ ଜଙ୍ଗଲକୁ ନିଜ କବ୍‍ଜାକୁ ନେଉଛି ତ ଆଉ କେଉଁଠି ବାସହରା ଗରଜାର ଖାଦ୍ୟାଭାବ ଯୋଗୁଁ ଜନବସତି ଆଡ଼କୁ ମୁହାଁଇଛନ୍ତି । ଏମିତି ବେଳେବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ କେଉଁଠି ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେଉଁଠି ମଣିଷ ମୃତ୍ୟୁବରଣ କରୁଛି ।

ତେବେ ପ୍ରଶ୍ନ ଉଠୁଛି ଏଭଳି ଯୁଦ୍ଧ ଆଉ କେତେ ଦିନ । ହାତୀ ଜଙ୍ଗଲଛାଡ଼ି ଗାଁ ମୁଁହା ହୋଇଥିବାବେଳେ ଏବେ ଜଗତପୁର ଶିଳ୍ପାଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି । ୨ଟି ହାତୀ କଟକ ମହାନଗର ନିଗମର ୪୮ନମ୍ବର ୱାର୍ଡ଼ ଭୁବନପୁର ଅଞ୍ଚଳରେ ଉତ୍ପାତ ସୃଷ୍ଟି କରିବା ସହ ମଣିଷଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ୩ଟି ହାତୀ ମଙ୍ଗଳବାର ବିଳମ୍ବିତ ରାତିରେ ଚୌଦ୍ୱାର କାଗଜକଳ ପରିସରରୁ ମହାନଦୀରେ ଆସି ଜଗତପୁର ବ୍ୟାରେଜ ନିକଟରେ ଲାଗିଥିଲେ । ତେବେ ଗୋଟିଏ ଦନ୍ତାହାତୀ ଓ ଗୋଟିଏ ଛୁଆ ହାତୀ ଜଗତପୁରରେ ପ୍ରବେଶ କରି ଅଞ୍ଚଳର ବାଡି ବଗିଚା ଓ ରାସ୍ତା ଘାଟରେ ବୁଲିବା ସହ ଗାଡ଼ି ମୋଟର ଭଙ୍ଗାରୁଜା କରିଥିଲେ । ୨ ଜଣଙ୍କୁ ଦଳି ମାରିଦେଇଥିବା ବେଳେ ୩ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଫକୀରପୁର ପଣ୍ଡାସାହିର କମଳା ନାୟକ ନାମ୍ନୀ ଜଣେ ବୟସ୍କା ମହିଳା ଏବଂ ଟ୍ରକ ଟର୍ମିନାଲ ଠାରେ ଆନନ୍ଦ ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି । ବନ ବିଭାଗ କର୍ମଚାରୀମାନଙ୍କ ପକ୍ଷରୁ କେବଳ ମାଇକ ଯୋଗେ ପ୍ରଚାର କରି ଲୋକମାନଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରାଯାଇଥିଲା । ଫଳରେ ହାତୀ ଜନସବସତି ଭିତରେ ବୁଲୁଥିବାଦେଖି ଦେଖି ସ୍ଥାନୀୟ ଲୋକେ ଘର ଭିତରେ କବାଟ କିଳି ରହିଛନ୍ତି । କିଏ ଘର ଛାତ ଉପରେ ତ କିଏ ଝରକା ଫାଙ୍କରେ ଛିଡା ହୋଇ ହାତୀଙ୍କୁ ଦେଖି ମନ ଖୁସି କରୁଥିବା ଦେଖିବାକୁ ମିଳୁଥିଲା । ଗୋଟିଏ ପଟେ ଜଗତପୁରରେ ଗଜରାଜଙ୍କ ଆଗମନ ଅଞ୍ଚଳବାସୀ କେବେ ଦେଖିନଥିଲାବେଳେ ହାତୀଙ୍କ ଉପଦ୍ରବ ଦେଖି ଅନେକ ଲୋକ ଏହାର ମଜ୍ଜା ନେଉଥିବା ବେଳେ ଆଉ କିଛି ଲୋକେ ହାତୀ ଆତଙ୍କ ଦେଖି ଭୟବୀତ ଅବସ୍ଥାରେ ଘରେ କବାଟ କିଳି ଘର ଭିତରେ ରହିଥିଲେ ।

ଏପରିକି ହାତୀ ବନ ବିଭାଗ ଗାଡିଟିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଦୁଇ ଗୋଟି କାର ଓ ଛୋଟ ଛୋଟ କୁଡିଆ ଘର ସହ ବିଭିନ୍ନ ଧନ ସମ୍ପତ୍ତି ନଷ୍ଟ କରି ଦେଇଛନ୍ତି । ଅନ୍ୟପକ୍ଷରେ ୩ଟି ହାତୀ ମଧ୍ୟରୁ ଗୋଟିଏ ମାଈହାତୀ ମରି ବ୍ୟାରେଜ ଗେଟ ପାଖରେ ଭାସୁଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗ ତାହାକୁ ଉପରକୁ ଆଣିଥିଲେ । ବନବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଛେଦ କରାଯାଇ ଏହାକୁ ସମାଧି ଦିଆଯାଇଥିଲା । ତେବେ ହାତୀ ଗୋଷ୍ଠୀକୁ ହରାଇ ଦନ୍ତା ହାତୀ ସାଥୀମାନଙ୍କୁ ଖୋଜିବା ସହ ଅଞ୍ଚଳରେ ଉତ୍ପାତ ସୃଷ୍ଟି କରିଥିଲା ।

ଉକ୍ତ ହାତୀଟି ପିରବଜାର ଅଣ୍ଢେଇ ସାହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବାବେଳେ ସଂଧ୍ୟା ସମୟରେ ପୁରୁଣା ଜଗତପୁର ଦେଇ ବିରୂପା ନଦୀ ବାଲି ପଠାରେ ପହଞ୍ôଚଥିଲା । ତେବେ ରାତି ପ୍ରାୟ ୯ଟା ସମୟରେ ଉକ୍ତ ହାତୀ ଚୌଦ୍ୱାରସ୍ଥିତ ବନ୍ଦ ପଡ଼ିଥିବା ଲିବ୍ରା କାର୍ପେଟ କମ୍ପାନୀ ପରିସରରେ ପଶିଯାଇଥିଲା । ତେବେ ବନ ବିଭାଗ କର୍ମଚାରୀ ଲାଇଟ ଦେଖାଇ ହାତୀଟିକୁ ଜଗିଥିବାବେଳେ ଜନସାଧାରଣ ସାବଧାନ ରହିବାକୁ ବନବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟପକ୍ଷରେ ପଣ୍ଡାସାହି ଅଞ୍ଚଳରେ ନିଜ ଗୋଷ୍ଠୀକୁ ଖୋଜି ବୁଲୁଥିବା ଛୁଆ ହାତୀଟିକୁ ଟ୍ରାଙ୍କୁ ଲାଇଜ ଦ୍ୱାରା ଅଚେତ କରି ପୀର ବଜାର ଚେକ ଗେଟ ପାଖରୁ ବନବିଭାଗ କାବୁ କରି ଥିବା ଜଣାପଡ଼ିଛି ।

Comments are closed.