ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ

ଅର୍ଜୁନୀ ଚରଣ ବେହେରା

ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ l
ବସିଲୁ ପର୍ବତ ଶିଖର ମଣ୍ଡି ll
ସିନ୍ଦୁର ମୁଣ୍ଡି ତୁ ହଳଦୀ ମୁଖୀ l
ସବୁରି ବିପଦୁ ପାରୁ ତୁ ରଖି ll
କୋଣାର୍କରେ ରାମଚଣ୍ଡୀକା ତୁହି l
କଳାପାହାଡ଼କୁ ଥିଲୁ ଭଣ୍ଡାଇ ll
କଟକେ ବୋଲାଉ କଟକଚଣ୍ଡୀ l
ଭଉଣୀ ତୋହର ଶ୍ରୀଗଡ଼ଚଣ୍ଡୀ ll
ବରୁଣାଇ ନାମେ ଖୁରୁଧା ଗଡ଼େ l
ରହିଲୁ ମା ବରୁଣାଇ ପାହାଡ଼େ ll
ପାହାଡ଼ଚଣ୍ଡୀ ତୁ ଚଣ୍ଡିଖୋଲରେ l
ବାଲି ହରଚଣ୍ଡୀ ବ୍ରହ୍ମ ଗିରିରେ ll
ନୂଆ ରାଜଧାନୀ ଭୁବନେଶ୍ୱର l
ବାସକଲୁ ଉପକଣ୍ଠେ ତାହାର ll
ପ୍ରସାଦରୁ ତୋର ଆମ ସହର l
ଜଗତେ ବିଦିତ ବିଦ୍ୟା ନଗର ll
ଷଡ଼ଭୁଜା ମାଆ ତୁ ମାହେଶ୍ୱରୀ l
ଶଙ୍କରୀ ଗଉରୀ ସୁର ସୁନ୍ଦରୀ ll
ବନବାସ କାଳେ ପ୍ରଭୁ ଶ୍ରୀରାମ l
ନିବାସ ରଚିଲେ ତୋର ଶ୍ରୀଧାମ ll
ଲକ୍ଷ୍ମଣ ତାହାଙ୍କ କନିଷ୍ଠ ଭାଇ l
ଶରମୁନେ ଆଙ୍କି ପୂଜିଲେ ମାୟୀ ll
ଲୁପ୍ତ ହେଲା କାଳଗର୍ଭେ ମୂରତି l
ଖୋଜି ପୂଜିଲେ ମୁକୁନ୍ଦ ନୃପତି ll
ପାଣ୍ଡରା ଗୁମ୍ଫା ମନ୍ଦିର ଦକ୍ଷିଣେ l
ପାଣ୍ଡବେ ରଚିଲେ ନିବାସ ବଣେ ll
ପଟିଆ ରାଜନ ଭକ୍ତ ପ୍ରଧାନ l
ତାଙ୍କ ଶିରେ କଲୁ ପାଟ ବନ୍ଧନ ll
ବାଘ ଭାଲୁ ଭରା ଅରଣ୍ୟେ ରହି l
କରୁଣା ବାଣ୍ଟୁଛୁ କରୁଣାମୟୀ ll
ରାଜଧାନୀଆଙ୍କ ରମ୍ୟ କାନନ l
ବଣଭୋଜି ସାଥେ ମାଆ ଦର୍ଶନ ll
ଧନ୍ୟରେ ଧନ୍ୟରେ ଭୁବନେଶ୍ୱର l
ଧନ୍ୟ ହେଲୁ ଧରି ମାଆକୁ ମୋର ll
ଦୟିନୀ ମାଆଲୋ କରୁଣାମୟୀ l
ଜଗତ ରଖିଥା ଘଣ୍ଟ ଘୋଡ଼ାଇ ll
🙏🙏🙏
ଅର୍ଜୁନୀ
————-
ମୋ -୭୬୯୩୦୯୧୯୭୧

Comments are closed.