ଇମାମି ନଗରରେ ଭକ୍ତିଭାବରେ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା : ଭକ୍ତଙ୍କ ଭିଡ଼ରେ ଉତ୍ସବମୁଖର ହେଲା ପରିବେଶ

0
 ବାଲେଶ୍ୱର, ୧୬/୭ (କୃଷ୍ଣ କୁମାର ମହାନ୍ତି): ରେମୁଣା ବ୍ଲକ୍ ଅନ୍ତର୍ଗତ ବାଲଗୋପାଳପୁର ଶିଳ୍ପାଞ୍ଚଳର ଇମାମି ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଶତାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦିବ୍ୟ ରଥଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରଥ ପ୍ରତିଷ୍ଠା, ଆଜ୍ଞାମାଳ ଅର୍ପଣ, ମଙ୍ଗଳାର୍ପଣ, ଧାଡ଼ିପହଣ୍ଡି ଓ ଟାହିଆଲାଗି ନୀତି ସମ୍ପନ୍ନ କରାଯାଇଥିଲା। ଇମାମିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁଶୀଳ କୁମାର ଖେତାନ ପାରମ୍ପରିକ ‘ଛେରା ପହଁରା’ ନୀତି ସମ୍ପାଦନ କରିଥିଲେ।
ଘଣ୍ଟ, କାହାଳୀ, ମୃଦଙ୍ଗ ଓ ଶଙ୍ଖଧ୍ୱନି ସହ ‘ଜୟ ଜଗନ୍ନାଥ’ ଜୟଘୋଷରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବରେ ଉଦ୍ବେଳିତ ହୋଇଉଠିଥିଲା। ଭକ୍ତମାନେ ଭକ୍ତିର ଦଉଡ଼ିରେ ସୁସଜ୍ଜିତ ରଥକୁ ଟାଣି ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଇମାମି ଗ୍ରୁପର ପ୍ରତିଷ୍ଠାତା ରାଧେଶ୍ୟାମ ଅଗ୍ରୱାଲ ଓ ରାଧେଶ୍ୟାମ ଗୋଏଙ୍କାଙ୍କ ଧାର୍ମିକ ଚେତନା ଓ ସେବାଭାବର ପ୍ରତୀକ ସ୍ୱରୂପ ଏହି ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିବାବେଳେ ବର୍ତ୍ତମାନ ଏହା ହଜାର ହଜାର ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ଆସ୍ଥାର କେନ୍ଦ୍ର ପାଲଟିଛି।
ସୁଶୀଲ ଗୋଏଙ୍କାଙ୍କ ତତ୍ତ୍ୱାବଧାନରେ ଇମାମି ପେପର ମିଲ୍ସ ଲେଡିଜ୍ କ୍ଲବ୍ ଓ ରଥଯାତ୍ରା କମିଟିର ସହଯୋଗରେ ସମଗ୍ର ଉତ୍ସବ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନୀର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କମ୍ପାନୀ ପକ୍ଷରୁ ଭକ୍ତମାନଙ୍କ ପାଇଁ ମହାପ୍ରସାଦ ବିତରଣ ସହ ମାଗଣା ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଥିଲା। ନଅ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ବୃନ୍ଦାବନର ପ୍ରଖ୍ୟାତ କଳାକାରମାନଙ୍କ ଦ୍ୱାରା ରାସଲୀଳା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
Leave A Reply

Your email address will not be published.