ଗଜପତି,୨୬.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ୫୫ତମ କେଭିଏସ୍ ଜାତୀୟ କ୍ରୀଡ଼ା ମିଟ୍-୨୦୨୬ର ରୋଲର୍ ସ୍କେଟିଂ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରୀ ଶାମ୍ଭବୀ ସାହୁ ଦୁଇଟି କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି।ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ୯ମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଶାମ୍ଭବୀ ସାହୁ ପୁଡୁଚେରୀଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ୧୭ ବର୍ଷରୁ କମ ବାଳିକା ବର୍ଗର ୧୦୦୦ ମିଟର ଏବଂ ୩୦୦୦ ମିଟର ରୋଲର୍ ସ୍କେଟିଂରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି।ଏହି ପ୍ରତିଷ୍ଠିତ କ୍ରୀଡ଼ା ମିଟ୍ରେ ଦେଶର ୨୫ଟି କେଭିଏସ୍ ଜୋନ୍ରୁ ୫୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ କ୍ରୀଡ଼ା ବିଭାଗରେ ଅଂଶ ଗ୍ରହଣ କରିଥିଲେ।


ଭୁବନେଶ୍ୱର ଜୋନ୍ର ୧୮ ଜଣିଆ ଦଳରେ ପିଏମ୍ ଶ୍ରୀ କେଭି ଗଜପତିର ତିନିଜଣ ଛାତ୍ରଛାତ୍ରୀ—ଶାମ୍ଭବୀ ସାହୁ, ୟୁ. ସାନଭୀ ଓ ଅଭିରାଜ ଜେନା ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ।ଶାମ୍ଭବୀଙ୍କ ଏହି ସଫଳତା ତାଙ୍କର ନିରନ୍ତର ପରିଶ୍ରମ, ନିଷ୍ଠା ଓ କଠୋର ପ୍ରଶିକ୍ଷଣର ଫଳ ବୋଲି କୁହାଯାଇଛି। ସେ କୋଚ୍ ସୁକାନ୍ତ ଦଳବେହେରା ଏବଂ ଗଜପତି ଜିଲ୍ଲା ରୋଲର୍ ସ୍କେଟିଂ ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀ ମୋହନ ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିବାବେଳେ ବିଦ୍ୟାଳୟର ଶାରୀରିକ କ୍ରୀଡା ପ୍ରଶିକ୍ଷକ କେ. ଶ୍ୟାମ ପ୍ରସାଦଙ୍କ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛନ୍ତି।ଶାମ୍ଭବୀଙ୍କ ଏହି ସଫଳତାରେ ତାଙ୍କ ପିତା ଅଜିତ କୁମାର ସାହୁ, ମାତା ଉର୍ମିଳା ପୃଷ୍ଟି ଓ ଜେଜେମା ସାରସ୍ ଲତା ସାହୁ ପ୍ରମୁଖ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ପିଏମ୍ ଶ୍ରୀ କେଭି ଗଜପତିର ପ୍ରିନ୍ସିପାଲଙ୍କ ସମେତ ସମସ୍ତ କର୍ମଚାରୀ ଶାମ୍ଭବୀ ଓ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭୁବନେଶ୍ୱର ଜୋନ୍ ଓ ବିଦ୍ୟାଳୟର ଗୌରବ ବଢ଼ାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।